ପୁଷ୍ପମିତ୍ର ମହାନ୍ତି
ମଙ୍ଗଳ ଗ୍ରହରେ ମାନବଜାତିର ସମ୍ଭାବ୍ୟ ଭବିଷ୍ୟତକୁ ନେଇ ପୁଣି ଥରେ ଉତ୍ସାହ ସୃଷ୍ଟି କରିଛନ୍ତି ଟେକ୍ ମୁଗଲ ତଥା ସ୍ପେସ୍ ଏକ୍ସ ସିଇଓ ଏଲନ୍ ମସ୍କ।
ନିକଟରେ ଏକ୍ସ (ପୂର୍ବ ଟ୍ୱିଟର)ରେ ଏକ ପୋଷ୍ଟରେ ଏଲନ ମସ୍କ ମଙ୍ଗଳ ଅଭିଯାନ ବିଷୟରେ ଚାଲିଥିବା କଳ୍ପନାଜଳ୍ପନାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ମଙ୍ଗଳ ଗ୍ରହରରେ ଆଗାମୀ ୩୦ ବର୍ଷ ମଧ୍ୟରେ ଜନବସତି ଗଢ଼ି ଉଠିବ।’’
ଏଲନ ମସ୍କଙ୍କ ଏହି ସଦ୍ୟତମ ମନ୍ତବ୍ୟ ତାଙ୍କ ଅନୁଗାମୀଙ୍କ ଉତ୍ସାହକୁ ବଢ଼ାଇଥିବା ବେଳେ ଅନେକ ଏହାକୁ ନେଇ ଆଶ୍ଚର୍ଯ୍ୟ ହୋଇଛନ୍ତି।
ଜଣେ ଅନୁଗାମୀ ଲେଖିଛନ୍ତି, “ଆଶା କରୁଛି ମୁଁ କେବଳ ଏହି ଉନ୍ନତି ଦେଖିବା ପାଇଁ ଆଉ ୧୦ ବର୍ଷ ବଞ୍ଚିବି।” ଅନ୍ୟ ଜଣେ କମେଣ୍ଟ କରିଛନ୍ତି, “ଏହା ବହୁତ ଅବିଶ୍ୱସନୀୟ।’’
ଚଳିତ ବର୍ଷ ପ୍ରାରମ୍ଭରେ ଏଲନ ମସ୍କ ଏକ ନିୟୁତ ଲୋକଙ୍କୁ ମଙ୍ଗଳ ଗ୍ରହକୁ ସ୍ଥାନାନ୍ତର କରିବା ପାଇଁ ତାଙ୍କର ମହତ୍ୱାକାଂକ୍ଷୀ ‘ଗେମ୍ ପ୍ଲାନ୍’ ବିଷୟରେ ସଙ୍କେତ ଦେଇଥିଲେ। ଏହା ସହ ମାନବିକତାକୁ ‘ବହୁ-ଗ୍ରହୀୟ ପ୍ରଜାତି’ ରେ ପରିଣତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପୃଥିବୀର ସମ୍ବଳ ଓ ଯୋଗାଣ ଶୃଙ୍ଖଳା ବିଚ୍ଛିନ୍ନ ହେଲେ ମଧ୍ୟ ଅନ୍ୟଗ୍ରହକୁ ଏଭଳି ଡେଇଁବା ଓ ସେଠାରେ ମାନବ ସଭ୍ୟତାର ବଞ୍ଚିବା ସୁନିଶ୍ଚିତ କରିବ ବୋଲି ସେ ବୁଝାଇଥିଲେ।
ସ୍ପେସ୍ ଏକ୍ସର ଷ୍ଟାରସିପ୍ ରକେଟ୍, ଯାହା ଏପର୍ଯ୍ୟନ୍ତ ନିର୍ମିତ ସର୍ବବୃହତ। ଆଗାମୀ ଦଶନ୍ଧିରେ ଏକ ଆତ୍ମନିର୍ଭରଶୀଳ କଲୋନି ବା ଜନବସତି ପ୍ରତିଷ୍ଠା କରିବାକୁ ଯୋଜନା କରି ଏଲନ ମସ୍କ ଏହାକୁ ଲାଲ ଗ୍ରହ ଏବଂ ଏହା ବାହାରେ ମାନବ ଜାତିକୁ ନେଇ ଯାଉଥିବା ବାହନ ଭାବରେ ପରିକଳ୍ପନା କରିଛନ୍ତି।
ଯଦିଓ ଏକ ନିର୍ଦ୍ଦିଷ୍ଟ ସମୟସୀମା ଅନିଶ୍ଚିତ ରହିଛି, ତଥାପି ଏଲନ ମସ୍କଙ୍କ ଦୃଷ୍ଟିକୋଣ ମହାକାଶ ଗବେଷଣାରେ ମାନବଜାତିର ଭବିଷ୍ୟତ ବିଷୟରେ ବିତର୍କ ଏବଂ ଉତ୍ସାହ ସୃଷ୍ଟି କରୁଛି।
Tags: #ElonMusk #SpaceX #MarsColonization #SpaceExploration