ଓଡ଼ିଶାଲାଇଭ୍ ବ୍ୟୁରୋ

ବିଦେଶରେ ବିଶେଷ କରି ଆମେରିକାରେ ଉଚ୍ଚଶିକ୍ଷା ଗ୍ରହଣ କରିବା ଭାରତୀୟ ଯୁବଗୋଷ୍ଠୀଙ୍କର ଏକ ସ୍ୱପ୍ନ। ଏଥିପାଇଁ ଆର୍ଥିକ ସମ୍ବଳର ଯେତିକି ଦରକାର ତାଠାରୁ ଅଧିକ ଦରକାର ଦକ୍ଷତା ଆଉ ବୁଦ୍ଧିମତା। ତେବେ ଭାରତର ରାଜ୍ୟଗୁଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରୁ ସର୍ବାଧିକ ଯୁବକ ଯୁବତୀ ଆମେରିକାରେ ପଢୁଥିବା ଦେଖିବାକୁ ମିଳିଛି।

୨୦୨୩ରେ ଆମେରିକା ଯେତିକି ଭାରତୀୟ ଛାତ୍ରଛାତ୍ରୀଙ୍କୁ ଭିସା ଦେଇଛି ତାହା ମଧ୍ୟରୁ ୫୬ ପ୍ରତିଶତ ଛାତ୍ର ଏହି ଦୁଇଟି ରାଜ୍ୟର। ଏହି ସଂଖ୍ୟାରୁ ଏତିକି ସ୍ପଷ୍ଟ ହେଉଛି ଯେ, ଆନ୍ତର୍ଜାତୀୟ ଶିକ୍ଷା କ୍ଷେତ୍ରରେ ଭାରତର ଉପସ୍ଥିତିକୁ ବୃଦ୍ଧି କରିବାରେ ଦକ୍ଷିଣ ଭାରତ ରାଜ୍ୟର ଭୂମିକା ବେଶ ମହତ୍ୱପୂର୍ଣ୍ଣ ଅଟେ। ଏହି ତଥ୍ୟ ଆମେରିକାର କନସୁଲେଟ ଜେନେରାଲ ଦେଇଛନ୍ତି।

ଆନ୍ଧ୍ର ଏବଂ ତେଲେଙ୍ଗାନାରେ ଭାରତର ଅନ୍ୟ ରାଜ୍ୟ ତୁଳନାରେ ଶିକ୍ଷାଗତ ଭିତ୍ତିଭୂମି ବିଶେଷ କରି ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ, ଗଣିତ (ଏସଟିଇଏମ) ବିଷୟ କ୍ଷେତ୍ରରେ ଯଥେଷ୍ଟ ଉଚ୍ଚକୋଟୀର। ଭାରତର ଅନେକ ବଡ଼ ବଡ଼ କୋଚିଂ ଇନଷ୍ଟିଚ୍ୟୁଟ ଏହିସବୁ ରାଜ୍ୟରେ ରହିଛି। ଏଠି ଏମିତି  ଇନଷ୍ଟିଚ୍ୟୁଟ ଅଛି ଯେଉଁଠି ଜିଆରଇ ଓ ଟିଓଇଏଫଏଲ ଭଳି ଆନ୍ତର୍ଜତିକ ସ୍ତରର ପରୀକ୍ଷା ପାଇଁ ପିଲାଙ୍କୁ କୋଚିଂ ଦିଆଯାଏ। ଏହି ଭିତ୍ତିଭୂମି ଏଠିକାର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିଯୋଗିତାରେ ଆଗରେ ରହିବା ପାଇଁ ଏକ ସୁଯୋଗ ଆଣି ଦେଇଛି ବୋଲି ଶିକ୍ଷାବିତମାନେ ମତ ଦେଇଛନ୍ତି।

ବିଶ୍ୱସ୍ତରୀୟ ଶିକ୍ଷାର ପେଣ୍ଠସ୍ଥଳୀ ଭାବେ ଆମେରିକୀୟ ବିଶ୍ୱବିଦ୍ୟାଳୟଗୁଡ଼ିକର ଲୋକପ୍ରିୟତା ଅଧିକ ରହିଛି। ତେଣୁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ଛାତ୍ରଛାତ୍ରୀଙ୍କ ପାଇଁ ଆମେରିକା ବେଷ୍ଟ ଚଏସ ତାଲିକାରେ ରହିଛି ।

ସବୁଠାରୁ ବଡକଥା ହେଲ ଆନ୍ଧ୍ର ଏବଂ ତେଲେଙ୍ଗାନାରେ ସାମାଜିକ ଏବଂ ଅର୍ଥନୈତିକ ବିକାଶ ପାଇଁ ଉଚ୍ଚଶିକ୍ଷାକୁ ଏକ ଅତ୍ୟାବଶ୍ୟକ ବିନିଯୋଗ ବୋଲି ଭାବିଥାନ୍ତି। ଯାହାକି ବିଦେଶରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ସହାୟକ ସାଂସ୍କୃତିକ ବାତାବରଣକୁ ପ୍ରୋତ୍ସାହିନ ଦେଇଥାଏ। ତା’ ଛଡ଼ା ଆମେରିକା ପରି ଦେଶରେ ରହୁଥିବା ଏନଆଇଏ କମ୍ୟୁନିଟି ମଧ୍ୟ ଅଧିକ ପିଲା କିପରି ଏଠି ଉଚ୍ଚଶିକ୍ଷାର ସୁବିଧା ସୁଯୋଗ ପାଇ ପାରିବେ ସେଥିପାଇଁ ପ୍ରୋତ୍ସାହନ ଦେଇଥାନ୍ତି।

ତଥ୍ୟରୁ ଜଣାପଡିଛି, ଏହି ଦୁଇ ରଜ୍ୟର ଛାତ୍ରମାନେ ମୁଖ୍ୟତଃ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ, ଗଣିତ (ଏସଟିଇଏମ) ବିଷୟରେ ମାଷ୍ଟର ଡିଗ୍ରୀ କରିବା ପାଇଁ ଚାହାନ୍ତି, ଯେଉଁଥିରେ କମ୍ପ୍ୟୁଟର ସାଇନ୍ସ, ଡାଟା ସାଇନ୍ସ ଏବଂ ଇଞ୍ଜିନିୟରିଂ ଆଦି ବିଭାଗ ବି ରହିଛି। ଆନ୍ତର୍ଜାତିକ ସ୍ତରରେ ଏହିସବୁ କ୍ଷେତ୍ରରେ ଦକ୍ଷତା ଥିବା ପିଲାମାନଙ୍କର ଚାହିଦା ଅଧିକ ରହିଛି। ବିଶେଷ କରି ଆମେରିକା ବିଶ୍ୱବିଦ୍ୟାଳୟରେ ଶିକ୍ଷାପ୍ରାପ୍ତ କରିଥିବା ଛାତ୍ରଛାତ୍ରୀଙ୍କ ଚାହିଦା ଢେର ଅଧିକ। ସେଥିପାଇଁ ଭାରତର ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଆମେରିକା ବେଶି ଆକର୍ଷିତ କରିଥାଏ। 

ଉଚ୍ଚଶିକ୍ଷା ପାଇଁ ବିଦେଶ ଯାଉଥିବା ଛାତ୍ରଛାତ୍ରୀଙ୍କୁ ନୂଆ ସାଂସ୍କୃତିକ ବାତାବରଣରେ ଖାପ ଖୁଆଇ ଚଳିବା, ଆର୍ଥିକ ସମସ୍ୟାକୁ ସାମ୍ନା କରିବା ଏବଂ ଜଟିଳ ପ୍ରକ୍ରିୟା ଅନୁସାରେ ଯାଇ ଭିସା ସଂଗ୍ରହ କରିବା ପରି ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ତେବେ ପୁରାତନ ଛାତ୍ରମାନଙ୍କର ନେଟୱର୍କ, ସେଠାରେ ଥିବା ଭାରତୀୟ କମ୍ୟୁନିଟି ଏପରି କଠିକ ପରିସ୍ଥିତିକୁ ସହଜ କରିବା ପାଇଁ ସହାୟତା କରିଥାନ୍ତି। ଯାହା କି ଅଧିକରୁ ଅଧିକ ଛାତ୍ରଙ୍କୁ ଏଠାରେ ପଢ଼ିବା ପାଇଁ ପ୍ରୋତ୍ସାହିତ କରିଥାଏ। 

Tags: #IndianStudents #HigherEducation #StudentVisa #USA #AndhraPradesh #Telangana

LEAVE A REPLY

Please enter your comment!
Please enter your name here