ପୁଷ୍ପମିତ୍ର ମହାନ୍ତି

ଭାରତର ଜେଲଗୁଡ଼ିକରେ ଏବେ କ୍ଷମତାଠାରୁ ଅଧିକ ସଂଖ୍ୟକ କଏଦୀ ରହୁଛନ୍ତି। ବହୁ ସଂଖ୍ୟକ କଏଦୀ ଜାମିନ ପାଇବାରୁ ଅସମର୍ଥ ଥିବାରୁ ଜେଲରେ ବିଚାରାଧୀନ କଏଦୀଙ୍କ ଭିଡ଼ ରହୁଛି। ଅନ୍ୟପକ୍ଷରେ ଡିସେମ୍ବର ୨୦୨୩ରେ ସେଣ୍ଟର ଫର ରିସର୍ଚ୍ଚ ଆଣ୍ଡ ପ୍ଲାନିଂ (ସିଆରପି) ଦର୍ଶାଇଥିଲା ଯେ, ଜାମିନ ମିଳିବା ସତ୍ତ୍ୱେ ପାଖାପାଖି ୨୫ ହଜାର ବ୍ୟକ୍ତି ଆର୍ଥିକ ଅନଟନ କାରଣରୁ ଜାମିନ ବଣ୍ଡ ବାବଦ ଅର୍ଥ ଦେଇ ନପାରି ଜେଲରେ ବନ୍ଦୀ ଅଛନ୍ତି।

ଏହି ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ୨୦୨୩ ବଜେଟ୍ ଅଭିଭାଷଣରେ ଗରିବ କଏଦୀମାନଙ୍କୁ (ଉଭୟ ବିଚାରାଧୀନ କଏଦୀ ଏବଂ ଦୋଷୀମାନଙ୍କୁ) ମୁକ୍ତ କରିବାରେ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଏକ ଯୋଜନା ଆରମ୍ଭ କରିଥିଲେ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କ୍ଷମତାସମ୍ପନ୍ନ କମିଟିର ଅନୁମୋଦନ କ୍ରମେ ଏହି ଯୋଜନାରେ ବିଚାରାଧୀନ କଏଦୀଙ୍କ ପାଇଁ ୪୦ ହଜାର ଟଙ୍କା ଏବଂ ଦୋଷୀଙ୍କୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ।

ଜାମିନ ବଣ୍ଡ ଦାଖଲ କରିବାରେ ଅସମର୍ଥ କଏଦୀମାନଙ୍କର ଦୀର୍ଘକାଳୀନ ସମସ୍ୟାର ସମାଧାନ ଭାବରେ ଏହି ପଦକ୍ଷେପ ଉପସ୍ଥାପିତ କରାଯାଇଥିଲା, ଯାହା ଜେଲ୍ ଭିଡ଼କୁ କମାଇବ ବୋଲି ଆଶା କରାଯାଉଥିଲା।

ତେବେ ଘୋଷଣା ହେବାର ବର୍ଷକ ପରେ ମଧ୍ୟ ଏହି ଯୋଜନାରେ ସୀମିତ ସଫଳତା ଦେଖିବାକୁ ମିଳିଛି। ଏଥିରୁ ଉପକୃତ ହେଉଥିବା କଏଦୀଙ୍କ ସଂଖ୍ୟା ଚିନ୍ତାଜନକ ଭାବେ କମ୍ ରହିଛି। ଅକ୍ଟୋବର ୨୦୨୪ରେ ଗୃହ ମନ୍ତ୍ରାଳୟ (ଏମ୍ଏଚ୍ଏ) ପକ୍ଷରୁ ଏକ ଆଡଭାଇଜରି ଜାରି କରାଯାଇଥିଲା। ଏଥିରେ କୁହାଯାଇଥିଲା, ମନ୍ତ୍ରାଳୟ ପକ୍ଷରୁ ବାରମ୍ବାର ଅନୁରୋଧ ସତ୍ତ୍ୱେ ଅନେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଏହି ଯୋଜନାକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛନ୍ତି।

ସୂଚନା ଅଧିକାର (ଆରଟିଆଇ) ଜରିଆରେ ୬ଟି ରାଜ୍ୟ ମହାରାଷ୍ଟ୍ର, ଓଡ଼ିଶା, ଦିଲ୍ଲୀ, ବିହାର, କେରଳ ଓ ପଶ୍ଚିମବଙ୍ଗରୁ ମିଳିଥିବା ତଥ୍ୟରୁ ଜଣାପଡ଼ିଛି ଯେ, ଏହି ଯୋଜନା ମାଧ୍ୟମରେ କେବଳ ମହାରାଷ୍ଟ୍ର ହାତଗଣତି କଏଦୀଙ୍କୁ ମୁକ୍ତ କରିବାରେ ସଫଳ ହୋଇଛି। ଅପରପକ୍ଷରେ ଏକାଧିକ ଯୋଗ୍ୟ କଏଦୀଙ୍କୁ ଚିହ୍ନଟ କରିଥିବା ରାଜ୍ୟ ଓଡ଼ିଶା ଏପର୍ଯ୍ୟନ୍ତ କାହାରିକୁ ମୁକ୍ତ କରିନାହିଁ।

ବିଭିନ୍ନ ରାଜ୍ୟରେ ଏହି ଯୋଜନାର ସ୍ଥିତି

ଆରଟିଆଇ ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ର ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ଏହି ଯୋଜନା ଅଧୀନରେ କଏଦୀମାନଙ୍କୁ ମୁକ୍ତ କରାଯାଇଛି। ୨୦୨୪ରେ ରାଜ୍ୟ ସରକାର ୧୦ ଜଣ ବିଚାରାଧୀନ କଏଦୀ ଓ ଜଣେ ଦୋଷୀଙ୍କୁ ମୁକ୍ତ କରିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଅପରପକ୍ଷରେ ଓଡ଼ିଶା ୨୦୨୪ ଜୁଲାଇ ଶେଷ ସୁଦ୍ଧା ୪ ଜଣ ଦୋଷୀ ଓ ୩ ଜଣ ବିଚାରାଧୀନ କଏଦୀଙ୍କୁ ମୁକ୍ତି ପାଇଁ ଯୋଗ୍ୟ ବୋଲି ଦର୍ଶାଇଥିଲେ ହେଁ ଏଯାବତ୍‌ କାହାରିକୁ ମୁକ୍ତ କରାଯାଇନାହିଁ।

ଦିଲ୍ଲୀରେ ୧୦୩ ଜଣ ଯୋଗ୍ୟ କଏଦୀଙ୍କୁ ଚିହ୍ନଟ କରାଯାଇଥିଲେ ମଧ୍ୟ କାହାରିକୁ ଛଡ଼ାଯାଇ ନାହିଁ। ବିହାର, କେରଳ ଏବଂ ପଶ୍ଚିମବଙ୍ଗ ଭଳି ଅନ୍ୟ ରାଜ୍ୟଗୁଡ଼ିକ କାର୍ଯ୍ୟକାରିତା ସମ୍ପର୍କରେ ତଥ୍ୟ ପ୍ରଦାନ କରିବାରେ ବିଫଳ ହୋଇଛନ୍ତି କିମ୍ବା ଏପର୍ଯ୍ୟନ୍ତ ଏହି ଯୋଜନା ଆରମ୍ଭ କରିନାହାନ୍ତି। ଉଦାହରଣ ସ୍ୱରୂପ ବିହାରର ଜେଲଗୁଡ଼ିକ ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ)ର ଆଇନଗତ ସହାୟତାରେ କଏଦୀମାନଙ୍କୁ ମୁକ୍ତ କରିଥିଲେ, କିନ୍ତୁ ଏହି ଯୋଜନା ଦ୍ୱାରା ପ୍ରଦାନ କରାଯାଇଥିବା ଆର୍ଥିକ ସହାୟତାର ଲାଭ ଉଠାଇ ନଥିଲେ।

ଜାମିନ ସର୍ତ୍ତ ପୂରଣ କରିବାରେ ଅସମର୍ଥ କଏଦୀଙ୍କ ଉପରେ ଆର୍ଥିକ ବୋଝ ହ୍ରାସ କରିବା ଉଦ୍ଦେଶ୍ୟରେ ଏହି ଯୋଜନା ରଖାଯାଇଥିବା ବେଳେ ଅମଲାତାନ୍ତ୍ରିକ ପ୍ରତିବନ୍ଧକ ଓ ସମନ୍ୱୟ ଅଭାବରୁ ଏହାର କାର୍ଯ୍ୟକାରିତା ବାଧାପ୍ରାପ୍ତ ହୋଇଛି। ଗୃହ ମନ୍ତ୍ରାଳୟର ବାରମ୍ବାର ଅନୁରୋଧ ସତ୍ତ୍ୱେ ଅନେକ ରାଜ୍ୟ ଏହି ଯୋଜନାର ସମ୍ପୂର୍ଣ୍ଣ ଲାଭ ଉଠାଇ ନାହାନ୍ତି ବୋଲି ମନ୍ତ୍ରାଳୟର ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଓଡ଼ିଶାର ନିଷ୍କ୍ରିୟତା

ଏହି ଯୋଜନାର କାର୍ଯ୍ୟକାରିତାରେ ଓଡ଼ିଶା ଏକ ରୋଚକ ଉଦାହରଣ ପ୍ରଦାନ କରିଛି। ୨୦୨୪ ଜୁଲାଇ ୩୧ ସୁଦ୍ଧା ରାଜ୍ୟ ଜେଲ କର୍ତ୍ତୃପକ୍ଷ ବହୁ ସଂଖ୍ୟକ ଯୋଗ୍ୟ କଏଦୀଙ୍କୁ ଚିହ୍ନଟ କରିଛନ୍ତି। ତେବେ ଏହି ଯୋଜନାରେ କାହାରିକୁ ମୁକ୍ତ କରାଯାଇ ନଥିବା ବେଳେ କେଉଁ କାରଣରୁ ଏପରି ହୋଇଛି ତାହା ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ ହୋଇନାହିଁ।

ଓଡ଼ିଶା ଜେଲ୍ ବିଭାଗ ପକ୍ଷରୁ ୮୪ଟି ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଏହି ସମସ୍ୟାର ସମାଧାନ ପାଇଁ ମିଳିତ ପ୍ରୟାସ ଉପରେ ଆଲୋକପାତ କରାଯାଇଥିଲା। ଏହା ବ୍ୟତୀତ ରାଜ୍ୟ କ୍ଷମତାସମ୍ପନ୍ନ କମିଟି ଏକ ତଦାରଖ ବୈଠକ କରିଥିଲେ। ଜଣେ ବିଚାରାଧୀନ କଏଦୀ ୪୦ ହଜାର ଟଙ୍କାରୁ ଅଧିକ ଜାମିନ ରାଶି ପାଇବାକୁ ଯୋଗ୍ୟ ସାବ୍ୟସ୍ତ ହୋଇଥିଲେ ହେଁ ତଦାରଖ କମିଟି ଏହି ମାମଲାକୁ ଖାରଜ କରିଦେଇଥିଲା। ଅନ୍ୟ ଦୁଇ ଜଣ ଦୋଷୀଙ୍କୁ ମଧ୍ୟ ଚିହ୍ନଟ କରାଯାଇଥିଲା, କିନ୍ତୁ ସେମାନଙ୍କ ମାମଲା ଏବେ ବି ବିଚାରାଧୀନ ରହିଛି।

ଏହି ବିଳମ୍ବ କେବଳ ଓଡ଼ିଶା ପାଇଁ ନୁହେଁ, ଆରଟିଆଇ ତଥ୍ୟରୁ ଜଣାପଡ଼ିଛି ଦିଲ୍ଲୀ ସମେତ ଅନ୍ୟାନ୍ୟ ରାଜ୍ୟ ମଧ୍ୟ କଏଦୀଙ୍କ ମୁକ୍ତିରେ ବିଳମ୍ବର ସମ୍ମୁଖୀନ ହୋଇଥିଲେ। ମହାରାଷ୍ଟ୍ର ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ଠୋସ୍ ଫଳାଫଳ ଦେଖିବାକୁ ମିଳିଛି।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଯୋଗ୍ୟ କଏଦୀଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ କରିବାର ଦାୟିତ୍ଵ ହେଉଛି ଜିଲ୍ଲାପାଳଙ୍କର। ଯେତେବେଳେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ପାଖରେ ଏଭଳି ମାମଲାଗୁଡ଼ିକୁ ପ୍ରାଥମିକତା ଦେବା ପାଇଁ ସମ୍ବଳର ଅଭାବ ରହିଥାଏ, ସେ ସମୟରେ ଯୋଗ୍ୟ କଏଦୀଙ୍କ ମୁକ୍ତିରେ ଅହେତୁକ ବିଳମ୍ବ ପାଇଁ ଜିଲ୍ଲାପାଳଙ୍କୁ ଦାୟୀ କରାଯାଏ।

ଯୋଜନାର ସୀମା

ବିଶେଷକରି ଜେଲରେ ଭିଡ଼କୁ ଦୃଷ୍ଟିରେ ରଖି ଏହି ଯୋଜନାର ସୀମିତ ପ୍ରଭାବକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ଏହି ଯୋଜନାର ଆଧାର, ଜାମିନ ପାଇଁ ଆର୍ଥିକ ସହାୟତା ପ୍ରଦାନ କରି ଜେଲରେ ବିଚାରାଧୀନ କଏଦୀଙ୍କ ସଂଖ୍ୟା ହ୍ରାସ କରିବା। ସାମଗ୍ରିକ ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ଉଲ୍ଲେଖନୀୟ ସଂସ୍କାର ବିନା ଏହାର ଲକ୍ଷ୍ୟ ହାସଲ କରିବାର ସମ୍ଭାବନା ନାହିଁ। ଆଇନ ବିଶେଷଜ୍ଞମାନେ ଯୁକ୍ତି ବାଢ଼ିଛନ୍ତି ଯେ, ଏହି ସମସ୍ୟାର ସମାଧାନ ଏବଂ ଠିକ୍ ସମୟରେ ମୁକ୍ତି ସୁନିଶ୍ଚିତ କରିବା ପାଇଁ ବିଚାରାଧୀନ ସମୀକ୍ଷା କମିଟି (ୟୁଟିଆରସି) ଭଳି ବିଦ୍ୟମାନ ବ୍ୟବସ୍ଥା ପୂର୍ବରୁ ପ୍ରସ୍ତୁତ ହୋଇସାରିଛି।

କେବଳ ସେତିକି ନୁହେଁ, ଜିଲ୍ଲାପାଳଙ୍କ ଉପରେ ଏହି ଯୋଜନାର ନିର୍ଭରଶୀଳତା ଓ ଅମଲାତାନ୍ତ୍ରିକ ପ୍ରକ୍ରିୟାକୁ ସମସ୍ୟାର ଅପ୍ରଭାବୀ ସମାଧାନ ବୋଲି ସମାଲୋଚନା କରାଯାଇଛି। ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସେସ୍ (ଟିଆଇଏସ୍ଏସ୍)ର ପ୍ରଫେସର ବିଜୟ ରାଘବନ ଦର୍ଶାଇଛନ୍ତି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହାର ସ୍ଥିତି ଯୋଗୁଁ ଏହି ଯୋଜନାର କାର୍ଯ୍ୟକାରିତା ମନ୍ଥର ରହିଛି। ଏହି ପ୍ରକ୍ରିୟାର ତଦାରଖ ପାଇଁ ଜିଲ୍ଲାପାଳଙ୍କ ପରିବର୍ତ୍ତେ ଜିଲ୍ଲା ଆଇନ ସେବା କର୍ତ୍ତୃପକ୍ଷ (ଡିଏଲଏସଏ) ନେତୃତ୍ୱ ନେବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି।

ପ୍ରକୃତରେ ଆର୍ଥିକ ସହାୟତା ଆବଶ୍ୟକ କରୁଥିବା କଏଦୀମାନଙ୍କୁ ଚିହ୍ନଟ କରିବାରେ ସାମାଜିକ କର୍ମୀମାନଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, କିନ୍ତୁ ଯୋଜନାର ଗାଇଡଲାଇନରେ ସେମାନଙ୍କୁ ମୁଖ୍ୟତଃ ଅଣଦେଖା କରାଯାଇଛି।

ନାଗରିକ ସମାଜ ସଂଗଠନ ଏବଂ ସାମାଜିକ କର୍ମୀଙ୍କ ସମ୍ପୃକ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ସେମାନେ କଏଦୀଙ୍କ ମାମଲା ବିଚାର କରିବା ପୂର୍ବରୁ ସେମାନଙ୍କ ଆର୍ଥିକ ଏବଂ ସାମାଜିକ ପରିସ୍ଥିତିର ଆକଳନ କରିବା ପାଇଁ ଯଥେଷ୍ଟ ଅନୁଧ୍ୟାନ କରିପାରିବେ। ଟିଆଇଏସ୍ଏସ୍‌ର ପ୍ରୟାସ ପ୍ରକଳ୍ପ ଦ୍ୱାରା ମହାରାଷ୍ଟ୍ରରେ ସଫଳତାର ସହ କାର୍ଯ୍ୟକାରୀ ହୋଇଥିବା ଏହି ବ୍ୟବସ୍ଥାକୁ ଅନ୍ୟ ରାଜ୍ୟରେ ବୃଦ୍ଧି କରାଯାଇ ନାହିଁ, ଯାହା ଏହି ଯୋଜନାର ଫଳପ୍ରଦତାକୁ ଆହୁରି ସୀମିତ କରିଛି ବୋଲି ବିଶେଷଜ୍ଞଙ୍କ ମତ।

କାହିଁକି ଏହି ଯୋଜନା ଜେଲରେ ଭିଡ଼ କମାଇବ ନାହିଁ?

ଜେଲରେ ଭିଡ଼ କମାଇବା ପାଇଁ ଏହି ଯୋଜନାର ଉଦ୍ଦେଶ୍ୟ ଥିଲେ ମଧ୍ୟ ଏହାର ବିଶେଷ ପ୍ରଭାବ ପଡ଼ିବ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଅତ୍ୟଧିକ ଜନଗହଳିପୂର୍ଣ୍ଣ ଜେଲ ପ୍ରସଙ୍ଗରେ ବିଳମ୍ବିତ ଶୁଣାଣି ଏବଂ କଏଦୀଙ୍କ ସଂଖ୍ୟା ବୃଦ୍ଧି ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମିର ଅଭାବ ପରି ବ୍ୟବସ୍ଥାଗତ ସମସ୍ୟା ଜଡ଼ିତ ରହିଛି। କେବଳ ଆର୍ଥିକ ସହାୟତା ମାଧ୍ୟମରେ କିଛି କଏଦୀଙ୍କୁ ମୁକ୍ତ କରି ଅତ୍ୟଧିକ ଭିଡ଼ ସମସ୍ୟାର ସମାଧାନ ହୋଇପାରିବ ନାହିଁ। ଏଥିପାଇଁ ନ୍ୟାୟ ବ୍ୟବସ୍ଥାରେ ମଧ୍ୟ ଅଧିକ ସଂସ୍କାରର ଆବଶ୍ୟକତା ରହିଛି। ଯେମିତିକି ଅନାବଶ୍ୟକ ଗିରଫଦାରୀ ହ୍ରାସ କରିବା ଏବଂ ଅଧିକ ନରମ ଜାମିନ ସର୍ତ୍ତ ଗ୍ରହଣ କରିବା।

ଇଣ୍ଡିଆ ଜଷ୍ଟିସ୍ ରିପୋର୍ଟର ଭାଲେ ସିଂହ ଗୁରୁତ୍ୱାରୋପ କରିଛନ୍ତି, ୟୁଟିଆରସି ବିଚାରାଧୀନ କଏଦୀଙ୍କ ସମସ୍ୟାର ସମାଧାନ କରିସାରିଛି ଏବଂ ଏହି ଯୋଜନାରେ ଏହାକୁ ଉତ୍ତମ ଭାବରେ ସାମିଲ କରାଯିବା ଉଚିତ୍। ଏହା ବ୍ୟତୀତ ଅପରାଧିକ ନ୍ୟାୟ ସଂସ୍କାର ବିଶେଷଜ୍ଞ ମଧୁରିମା ଧନୁକା କହିଛନ୍ତି, ଏହି ସମସ୍ୟାର ପ୍ରକୃତ ସମାଧାନ ଲାଗି ଜେଲ ଭିତ୍ତିଭୂମିରେ ଉନ୍ନତି ଆଣିବା ଏବଂ ବିଚାର ଅବଧି ହ୍ରାସ କରିବାର ଆବଶ୍ୟକତା ରହିଛି।

ଯୋଜନାର ପୁନର୍ଗଠନ ଆବଶ୍ୟକ

ଗରିବ କଏଦୀଙ୍କ ପାଇଁ ଭାରତର ଜାମିନ ଯୋଜନା ନିଜର ମହତ ଉଦ୍ଦେଶ୍ୟ ସତ୍ତ୍ୱେ କଏଦୀପୂର୍ଣ୍ଣ ଜେଲ ଏବଂ ବିଚାରାଧୀନ କଏଦୀଙ୍କୁ ଅଟକ ରଖିବା ସମସ୍ୟାରେ ଏକ ଅପ୍ରଭାବୀ ସାବ୍ୟସ୍ତ ହୋଇଛି। ମହାରାଷ୍ଟ୍ର ଭଳି କିଛି ରାଜ୍ୟ ଏଥିରେ ସାମାନ୍ୟ ଅଗ୍ରଗତି କରିଥିବା ବେଳେ ଓଡ଼ିଶା ଭଳି ରାଜ୍ୟ ଏହି ଯୋଜନାକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛି। କାର୍ଯ୍ୟକାରିତାର ମନ୍ଥର ଗତି, ଅମଲାତାନ୍ତ୍ରିକ ଅପାରଗତା ଏବଂ ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ ସମନ୍ୱୟର ଅଭାବ ଏହି ଯୋଜନାର ସମ୍ଭାବନାରେ ବାଧା ସୃଷ୍ଟି କରିଥିବା ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

ଜେଲ ଭିଡ଼ ଏବଂ ବିଚାରାଧୀନ ବନ୍ଦୀ ସମସ୍ୟାର ପ୍ରକୃତ ସମାଧାନ ପାଇଁ ଏହି ଯୋଜନାର ପୁନର୍ଗଠନ କରାଯିବାର ଆବଶ୍ୟକତା ରହିଛି। ଏଥିସହ ଏଥିରେ ନ୍ୟାୟିକ ସଂସ୍କାର, ଶୃଙ୍ଖଳିତ ପ୍ରକ୍ରିୟା ଏବଂ ସାମାଜିକ କର୍ମୀମାନଙ୍କୁ ଉପଯୁକ୍ତ କାର୍ଯ୍ୟରେ ସାହାଯ୍ୟ କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି। ଏହି ପରିବର୍ତ୍ତନ ନହେଲେ ଏହି ଯୋଜନାର ପ୍ରତିଶ୍ରୁତି ପୂରଣ ହୋଇପାରିବ ନାହିଁ। ଯୋଜନା କେବଳ ଏକ ଧୂଆଁବାଣ ହୋଇ ରହିଯିବ ବିଶେଷଜ୍ଞଙ୍କ ମତ।

Tags: #Prison #JailService #BailScheme #PoorPrisoners #India #Odisha

Comment