ମିନତି ମିଶ୍ର

ଆଜିକାଲି ବିମାନ ବିନା ଦୂର ଯାତ୍ରା କଥା ଚିନ୍ତା କରିବା ଅସମ୍ଭବ। ବୁକିଂ ଓ ସମୟ ଦୃଷ୍ଟିରୁ ଏହା ସହଜରେ ଉପଲବ୍ଧ ହୋଇପାରୁ ଥିବାରୁ ଅଧିକାଂଶ ଲୋକେ ଏହାକୁ ପ୍ରଥମ ପସନ୍ଦ ଭାବେ ବାଛୁଛନ୍ତି। ଆମ ଦେଶରେ ଅନେକ ଆନ୍ତର୍ଜାତୀୟ ଏୟାରପୋର୍ଟ ରହିଛି। ଏପରିକି ବିଶ୍ଵର ଶ୍ରେଷ୍ଠ ଏୟାରପୋର୍ଟ ମଧ୍ୟରେ ଭାରତର ଅନେକ ବିମାନବନ୍ଦର ରହିଛି। ହେଲେ ଆପଣ ଜାଣନ୍ତି କି, ଦେଶର ପ୍ରଥମ ବିମାନ ବନ୍ଦର କେଉଁଠି ଥିଲା ଏବଂ କେମିତି ଥିଲା ? ଏଠାରେ କାହାର ବିମାନ ପ୍ରଥମେ ଉଡାଣ ଭରିଥିଲା ?

ଭାରତର ପ୍ରଥମ ବିମାନ ବନ୍ଦର ଥିଲା ଜୁହୁ ଏରୋଡ୍ରମ। ୧୯୨୮ରେ ଏହାର ସ୍ଥାପନା କରାଯାଇଥିଲା। ମୁମ୍ବାଇସ୍ଥିତ ଏହି ବିମାନବନ୍ଦରକୁ ବିଲେପାର୍ଲେ ଏଭିଏସନ କ୍ଲବ ନାମରେ ଖୋଲା ଯାଇଥିଲା। ଯଦିଓ ଏହା ଭାରତର ପ୍ରଥମ ବେସାମରିକ ବିମାନବନ୍ଦର ଥିଲା, ତେବେ ପ୍ରାରମ୍ଭିକ ସମୟରେ ଏହା ସାଧାରଣ ଲୋକଙ୍କ ଯାତ୍ରା ପାଇଁ ଏହା ଉଦ୍ଦିଷ୍ଟ ନ ଥିଲା।

୧୯୨୦ ମସିହାରେ ଏହି ବିମାନ ବନ୍ଦରର ନିର୍ମାଣ କାମ ଆରମ୍ଭ ହୋଇଥିଲା । ପ୍ରାୟ ୯୨ ବର୍ଷ ତଳେ ଅର୍ଥାତ ୧୯୩୨ରେ ପ୍ରଥମ ଫ୍ଲାଇଟ ଏହି ବିମାନ ବନ୍ଦରରେ ପହଞ୍ଚିଥିଲା। ପ୍ରଥମ ବିମାନ କରାଚିରୁ ମୁମ୍ବାଇ ଆସିଥିଲା। ଜାଣି ଆଶ୍ଚର୍ଯ୍ୟ ହେବେ ଏହି ବିମାନକୁ ଭାରତର ବିଶିଷ୍ଟ ଶିଳ୍ପପତି ଜେଆରଡି ଟାଟା ଉଡାଇ ଥିଲେ।

ବର୍ତ୍ତମାନ ଏହି ଏୟାରପୋର୍ଟ ବହୁତ ବଦଳି ଗଲାଣି। ଏବେ ଏଠାରୁ କେବଳ ଭିଆଇପି ଫ୍ଲାଇଟ୍ସ ଏବଂ ହେଲିକପ୍ଟର ଚଳାଚଳ କରୁଛି। ତେବେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହି ଜୁହୁ ଏୟାରପୋର୍ଟର ଭୂମିକା ଥିଲା ଖୁବ ଗୁରୁତ୍ୱପୂର୍ଣ୍ଣ।  ଏହି ସମୟରେ ଉକ୍ତ ଏୟାରପୋର୍ଟକୁ ବ୍ରିଟିଶ ସେନା ପାଇଁ ବ୍ୟବହାର କରାଯାଉଥିଲା।

୨୦୧୦ରେ ଜୁହୁ ବିମାନବନ୍ଦରକୁ ସଞ୍ଚାଳନ କରୁଥିବା ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ବଡ଼ ବିମାନ ଅବତରଣ ପାଇଁ ଏହାର ରନୱେକୁ ବିସ୍ତାରିତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ହେଲେ ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ଅନୁମତି ଦେଇ ନ ଥିଲେ।

ଏହି ବିମାନବନ୍ଦର ଦିନେ ୬ଟି ହେଲିକପ୍ଟର ସଞ୍ଚାଳନ କରିବାର କ୍ଷମତା ରଖିଥିଲା। ହେଲେ ଆଜିକା ସମୟରେ ପାଖାପାଖି ୧୦୦ଟି ହେଲିକପ୍ଟର ସଞ୍ଚାଳନ କରିବାର କ୍ଷମତା ରଖିଛି। ତେବେ ଏହା କମର୍ସିଆଲ ଏୟାରପୋର୍ଟର ମାନ୍ୟତା ପାଇନାହିଁ।

Tags: #JuhuAerodome #FirstAirport #Flight #Mumbai #India

LEAVE A REPLY

Please enter your comment!
Please enter your name here