ମିନତି ମିଶ୍ର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୁରକ୍ଷା ଦେଉଥିବା ଜଣେ ମହିଳା ଏସପିଜି କମାଣ୍ଡୋଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ସଂସଦ ଭିତରେ ପ୍ରଧାନମନ୍ତ୍ରୀଙ୍କ ପଛରେ ଛିଡ଼ା ହୋଇଥିବା ସେହି ମହିଳା ଜଣଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହାକୁ ଅନେକ ଲୋକେ ମହିଳା ସଶକ୍ତିକରଣର ଏକ ବଳିଷ୍ଠ ଉଦାହରଣ ବୋଲି ଦର୍ଶାଉଛନ୍ତି।
ଏହି ଫଟୋକୁ ବିଜେପି ସାଂସଦ କଙ୍ଗନା ରାଣାୱତ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଫଟୋ କ୍ୟାପ୍ସନରେ ସେ ‘ଲେଡି ଏସପିଜି’ ବୋଲି ଲେଖିଛନ୍ତି। ଏହାକୁ ଅନେକେ ପ୍ରଶଂସା କରୁଛନ୍ତି।
ଭାଇରାଲ ହେଉଥିବା ଫଟୋରେ ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁଙ୍କୁ ମଧ୍ୟ ଦେଖିବାକୁ ମିଳୁଛି। ତେବେ ଫଟୋରେ ଦେଖା ଯାଉଥିବା ସେହି ମହିଳା ଏସପିଜି କମାଣ୍ଡୋଙ୍କ ନାଁ କ’ଣ ? ତାଙ୍କୁ କେଉଁ ପଦରେ ତାଙ୍କୁ ରଖାଯାଇଛି, ଏହାର କୌଣସି ସୂଚନା ଦିଆଯାଇ ନାହିଁ।
ଏସପିଜି ବା ସ୍ପେଶାଲ ପ୍ରୋଟେକସନ ଗ୍ରୁପରେ ୨୦୧୫ ମସିହାରେ ମହିଳା କମାଣ୍ଡୋଙ୍କୁ ସାମିଲ କରାଯାଇଥିଲା। ଏସପିଜିରେ ପାଖାପାଖି ୧୦୦ ମହିଳା କମାଣ୍ଡୋଙ୍କୁ ସାମିଲ କରାଯାଇଛି। ସଂସଦ ଭବନ ପରି ସମ୍ବେଦନଶୀଳ ସ୍ଥାନରେ ଭିଭିଆଇପିଙ୍କ ସୁରକ୍ଷା ଦାୟିତ୍ୱରେ ସେମାନଙ୍କୁ ନିୟେଜିତ କରାଯାଏ। ବିଶେଷ କରି ସଂସଦକୁ ଆସୁଥିବା ମହିଳାଙ୍କ ଉପରେ ସେମାନେ ସ୍ୱତନ୍ତ୍ର ନଜର ରଖିବା ସହ ସୁରକ୍ଷା ଦାୟିତ୍ୱରେ ରହନ୍ତି। ଏହାବ୍ୟତୀତ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ସମୟରେ ମଧ୍ୟ ଏସପିଜି କମାଣ୍ଡୋ ତାଙ୍କ ସହ ଯାଇଥାନ୍ତି।
୧୯୮୫ରେ ସ୍ୱତନ୍ତ୍ର ସୁରକ୍ଷା ସମୂହ ବା ଏସପିଜିର ସ୍ଥାପନା କରାଯାଇଥିଲା। ପ୍ରଧାନମନ୍ତ୍ରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ସେମାନଙ୍କ ପରିବାରକୁ ସୁରକ୍ଷା ଦେବା ପାଇଁ ଏହି ଏସପିଜି ସ୍ଥାପନା କରାଯାଇଥିଲା। ଏସପିଜି ଅଧିକାରୀମାନେ ସେମାନଙ୍କ କଠୋର ତାଲିମ, ଶୃଙ୍ଖଳା, ନେତୃତ୍ୱ ତଥା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଦ୍ୱାରା ସୁରକ୍ଷା ଯୋଗାଇବାରେ ବେଶ୍ ଦକ୍ଷ। ଏହାସହ ଇଣ୍ଟେଲିଜେନ୍ସି ବ୍ୟୁରୋ ଏବଂ ରାଜ୍ୟ ପୋଲିସ ସହ କୋଲାବରେସନ କରି ସିକ୍ୟୁରିଟି ବ୍ୟବସ୍ଥାକୁ ଏମାନେ ଆହୁରି ଶୃଙ୍ଖଳିତ ଓ କଡାକଡି କରିଥାନ୍ତି। ସେଥିପାଇଁ ଏସପିଜି ଆଜି ବି ବିଶ୍ୱର ସବୁଠାରୁ ବିଶ୍ୱାସଯୋଗ୍ୟ ସୁରକ୍ଷା ଏଜେନ୍ସି ଭାବେ ଜଣାଶୁଣା।
ପୂର୍ବେ ଜଣେ ମହିଳା ଆତଙ୍କବାଦୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜୀବନ ଯାଇଥିଲା। ‘ଏଲଟିଟିଇ’ ସହ ଜଡ଼ିତ ମହିଳା ଜଣଙ୍କ ରାଜୀବ ଗାନ୍ଧୀଙ୍କୁ ଫୁଲମାଳ ପିନ୍ଧାଇବା ନାଁରେ ଆସି ଆତ୍ମଘାତୀ ବିସ୍ଫୋରଣ କରିଥିଲେ। ତେଣୁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଆସୁଥିବା ମହିଳାଙ୍କ ଉପରେ ନଜର ରଖିବା ପାଇଁ ଏବଂ ସେମାନଙ୍କୁ ଯାଞ୍ଚ କରିବା ପାଇଁ ମହିଳା କମାଣ୍ଡୋଙ୍କ ଆବଶ୍ୟକତା ନିଶ୍ଚୟ ରହିଛି।
ଅନେକ ସମୟରେ ଦେଖିବାକୁ ମିଳେ, ପ୍ରଧାନମନ୍ତ୍ରୀ ପ୍ରୋଟୋକଲ ଭାଙ୍ଗି ମହିଳା, ଛୋଟ ଶିଶୁ ଓ ଛାତ୍ରଛାତ୍ରୀଙ୍କୁ ଦେଖା କରିବା ପାଇଁ ଭିଡ଼ ଭିତରକୁ ଯାଇଥାନ୍ତି। ଭିଡ଼ ଭିତରେ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଆସୁଥିବା ମହିଳାମାନଙ୍କୁ ଅଟକାଇବା ପୁରୁଷ କମାଣ୍ଡୋମାନଙ୍କ ପାଇଁ ଏହା ଅସୁବିଧା ହୋଇପାରେ। ଏପରି ସ୍ଥିତିର ମୁକାବିଲା ପାଇଁ ମହିଳା କମାଣ୍ଡୋଙ୍କୁ ନିଯୁକ୍ତ କରାଯାଇଛି।
Tags: #PrimeMinister #Security #WomenCommando #SPG #India