ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମ ଏସୀୟ ଦେଶ ସିରିୟାରେ ଚାଲିଥିବା ଗୃହ ଯୁଦ୍ଧ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦୀର୍ଘ ୨୪ ବର୍ଷ ଧରି ଶାସନ କରୁଥିବା ରାଷ୍ଟ୍ରପତି ବଶର ଅଲ୍ ଅସଦ ଗାଦିଚ୍ୟୁତ ହୋଇଛନ୍ତି। ବିଦ୍ରାହୀଙ୍କ ଭୟରେ ଅସଦ ଏକ ବିମାନରେ ଦେଶ ଛାଡ଼ି ରୁଷ ପଳାଇ ଯାଇଛନ୍ତି। ବିଦ୍ରୋହୀ ଗୋଷ୍ଠୀ ହୟାତ ତହରିର ଅଲ୍-ଶାମ ପକ୍ଷରୁ ରାଷ୍ଟ୍ରପତି ଅସରଙ୍କୁ ହଟାଇବା ପାଇଁ ଏହି ଦେଶବ୍ୟାପି ବିଦ୍ରୋହ ଆରମ୍ଭ ହୋଇଥିଲା। 

ଗତ ସପ୍ତାହରେ ବିଦ୍ରୋହ କରିବା ପରେ ହୟାତ ତହରିର ଅଲ୍ ଶାମ ଇସଲାମିକ୍ ସଂଗଠନ ସିରିୟାର ୩ଟି ପ୍ରମୁଖ ସହର ଆଲପ୍ପୋ, ହମା ଓ ହୋମ୍ସ ଉପରେ କବ୍ଜା କରି ନେଇଥିଲେ। ସପ୍ତାହେ ମଧ୍ୟରେ ବିଦ୍ରୋହୀମାନେ ଦେଶର ଅନ୍ୟତମ ପ୍ରମୁଖ ସହର ଦାରାକୁ ନିଜ ନିୟନ୍ତ୍ରଣକୁ ନେଇ ଯାଇଥିଲେ।  ଏହାପରେ ଦେଶର ରାଜଧାନୀ ଦାମାସକସ ଅଭିମୁଖେ ବାହାରିଥିଲେ ବିଦ୍ରୋହୀ।

ବିଦ୍ରୋହୀ ଗୋଷ୍ଠୀ ଦାମାସକସରେ ପ୍ରବେଶ କରିବା ପରେ ରାଷ୍ଟ୍ରପତି ବଶର ଅଲ୍ ଅସଦ ପ୍ରାଣ ବିକଳରେ  ଦେଶ ଛାଡ଼ି ଚାଲି ଯାଇଥିଲେ। ବିଦ୍ରୋହୀ ଗୋଷ୍ଠୀଙ୍କର ଏହି ଅଭିଯାନକୁ ସିରିୟା ସେନା କୌଣସି ପ୍ରକାରର ବାଧା ଦେଇ ନଥିଲେ। ଶେଷରେ ପୂରା ଦେଶକୁ ନିଜ ନିୟନ୍ତ୍ରଣକୁ ନେଇ ଯାଇଛନ୍ତି ବିଦ୍ରୋହୀ।

କିଏ ଆରମ୍ଭ କରିଥିଲା ଏ ବିଦ୍ରୋହ?

ସିରିୟା ବିଦ୍ରୋହ ପଛର ମୁଖ୍ୟ ନାୟକ ହେଉଛନ୍ତି ଅବୁ ମହମ୍ମଦ ଅଲ ଜୁଲାନି। ସେ ହୟାତ ତହରିର ଅଲ୍-ଶାମର ମୁଖ୍ୟ। ଏବେ ତାଙ୍କ ହାତରେ ରହିଛି ସିରିଆର ସବୁଠାରୁ ଶକ୍ତିଶାଳୀ ସଶସ୍ତ୍ର ବାହିନୀ ହାୟତ ତାହରିର ଅଲ ଶାହମ ବା ଏଚଟିଏସ।

ଜୁଲାନିଙ୍କ ଗୋଷ୍ଠୀ ଏକଦା ଆତଙ୍କବାଦୀ ସଂଗଠନ ଭାବେ ପରିଚିତ ଥିଲା। ଏହା ଅଲକାଏଦା ସହ ମିଶି କାମ କରୁଥିଲା। ୨୦୧୮ରେ ଆମେରିକା ଏହି ଇସଲାମିକ ଗ୍ରୁପକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିଥିଲା। ଜୁଲାନିଙ୍କ ଉପରେ ମଧ୍ୟ ୧୦ ମିଲିୟନ ଡଲାର ପୁରସ୍କାର ଘୋଷଣା ହୋଇଥିଲା।

୧୯୮୨ ମସିହାରେ ଜନ୍ମ ଗ୍ରହଣ କରିଥିବା ମହମ୍ମଦ ଅଲ୍ ଜୁଲାନି ୨୦୦୩ରେ ଅଲକାଏଦାରେ ସାମିଲ ହୋଇଥିଲେ। ଅଲକାଏଦାରେ କାମ କରିବା ସହ ସେ ଆଇଏସଆଇଏସ ମୁଖ୍ୟ ଅବୁ ବକର ଅଲ ବାଗଦାଦୀ ସହ କାମ କରୁଥିଲେ। ୨୦୨୨ରେ ଆମେରିକା ବାଗଦାଦୀକୁ ସିରିଆରେ ହତ୍ୟା କରିଥିଲା। ତେବେ ଏହା ପୂର୍ବରୁ ୨୦୧୩ରେ ଜୁଲାନି ବାଗଦାଦୀଙ୍କ ସହ ସମ୍ପର୍କ ଛିନ୍ନ କରି ଦେଇଥିଲେ।

ବାଗଦାଦୀଙ୍କ ମୃତ୍ୟୁପରେ ସିରିଆରେ ଆଇଏସଆଇଏସର ଦବଦବା କମି ଯାଇଥିଲା। ଏତିକି ବେଳେ ଜୁଲାନିଙ୍କ ଏଚଟିଏସ ସିରିଆର ଇଡଲିବକୁ ଦଖଲ କରିଥିଲା। ଏଠାରେ ସଂଗଠନ ପକ୍ଷରୁ ସାଲଭେସନ ସରକାର ନାଁରେ ଶାସନ ଆରମ୍ଭ କରିଥିଲା।

ତେବେ ୨୦୧୮ ପରେ ଜୁଲାନି ଅଲକାଏଦାଠାରୁ ଅଲଗା ହୋଇ ସିରିୟାର ଏକଛତ୍ରବାଦ ଶାସକ ରାଷ୍ଟ୍ରପତି ଅସଦଙ୍କୁ ଗାଦିଚ୍ୟୁତ କରାଇବା ପାଇଁ ଲାଗି ପଡ଼ିଥିଲେ। ଏକ ଗୁପ୍ତ ସ୍ଥାନରେ ରହି ସେ ବିଦ୍ରୋହର ନିଆଁ ଜଳାଇଥିଲେ।

ରୁଷରେ ଶରଣ ନେଇଛନ୍ତି ଗାଦିଚ୍ୟୁତ ରାଷ୍ଟ୍ରପତି

ଅନ୍ୟପକ୍ଷେ ସିରିୟାର ରାଷ୍ଟ୍ରପତି ବଶର ଅଲ୍ ଅସଦ ଓ ତାଙ୍କ ପରିବାର ଦେଶ ଛାଡ଼ି ମସ୍କୋରେ ପହଞ୍ଚିଛନ୍ତି। ଅସଦ ଓ ତାଙ୍କ ପରିବାରକୁ ରୁଷ ଶରଣ ଦେଇଛି।

୨୦୦୦ ମସିହାରେ ବାପା ହାଫିଜ ଅଲ-ଅସଦଙ୍କ ମୃତ୍ୟୁ ପରେ ବଶର ଅଲ୍ ଅସଦ ୩୪ ବର୍ଷ ବୟସରେ ସିରିୟାର ଶାସନ ଭାର ଗ୍ରହଣ କରିଥିଲେ। ଅସଦ ଗାଦିଚ୍ୟୁତ ହେବା ପରେ ସିରିୟାରେ ତାଙ୍କ ପରିବାରର ୫୩ ବର୍ଷର ଶାସନର ଅନ୍ତ ଘଟିଛି।

Tags: #SyrianCivilWar #BasharAlAssad #War #Rebels #Syria

LEAVE A REPLY

Please enter your comment!
Please enter your name here