ଓଡ଼ିଶାଲାଇଭ୍ ବ୍ୟୁରୋ

ଏକ ଦଶନ୍ଧିରୁ ଅଧିକ ସମୟ ଧରି ଗୃହ ଯୁଦ୍ଧର ନିଆଁରେ ଜଳୁଥିବା ସିରିଆ ପୁଣି ଏକ ବଡ଼ଧରଣର ଆକ୍ରମଣର ଶିକାର ହୋଇଛି। ଦେଶର ସାମରିକ ଏକାଡେମୀ ଉପରେ ଗୁରୁବାର ଡ୍ରୋନ ଆକ୍ରମଣ ଯୋଗୁଁ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏହାସହ ୧୫୦ରୁ ଅଧିକ ଆହତ ହୋଇଛନ୍ତି। ଏନେଇ ସିରିଆର ସେନା ପକ୍ଷରୁ ସୂଚନା ଦିଆଯାଇଛି।

ପଶ୍ଚିମ ସିରିଆର ହୋମ୍ସ ସହରରେ ଥିବା ସାମରିକ ଏକାଡେମୀରେ ଗୁରୁବାର ଦୀକ୍ଷାନ୍ତ ସମାରୋହ ଚାଲିଥିବାବେଳେ ଡ୍ରୋନ ଆକ୍ରମଣ ହୋଇଥିଲା। ସିରିଆର ପ୍ରତିରକ୍ଷା ମନ୍ତ୍ରୀ ଅଲି ମହମ୍ମଦ ଅବାସ ସମାରୋହରୁ ଯିବାର ଠିକ ପରେ ଏକାଧିକ ଡ୍ରୋନ ଏକାଡେମୀ ଉପରେ ବୋମା ବର୍ଷା କରିଥିଲେ।

ସମାରୋହରେ ଉପସ୍ଥିତ ଥିବା ସିରିଆ ସେନାର ଯବାନ ଓ ସାଧାରଣ ଲୋକମାନେ ଏହାର ଶିକାର ହୋଇଥିଲେ। ମୃତକମାନଙ୍କ ମଧ୍ୟରେ ଅନେକ ସେନା ଅଧିକାରୀ ଓ ସାଧାରଣ ଲୋକ ସାମିଲ ଅଛନ୍ତି। ସେହିପରି ଆକ୍ରମଣରେ ୩୫ ଜଣ ମହିଳା ଓ ୫ ଜଣ ପିଲାଙ୍କ ମୃତ୍ୟୁ ହୋଇଛି। ଏଥିରେ ଆହତ ହୋଇଥିବା ଲୋକଙ୍କୁ ହୋମ୍ସ ସହରର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି।

ତେବେ ଏହି ଆକ୍ରମଣକୁ କୌଣସି ଆତଙ୍କବାଦୀ ସଂଗଠନ ଏ ଯାଏଁ ସ୍ୱୀକାର କରିନାହାନ୍ତି। ହେଲେ ସିରିଆ ସରକାର ଏଥିପାଇଁ ଦେଶର ବିଦ୍ରୋହୀ ଗୋଷ୍ଠୀଙ୍କୁ ଦାୟୀ କରିଛନ୍ତି। ଏହାପରେ ବିଦ୍ରୋହୀ ଗୋଷ୍ଠୀଙ୍କ କବ୍ଜାରେ ଥିବା ଉତ୍ତର ସିରିଆର ଇଦଲିବ ଓ ଆଲେପ୍ପୋ ଆଦି ଅଞ୍ଚଳରେ ସେନା ପକ୍ଷରୁ ଭୀଷଣ ଗୋଳା ବାରୁଦ ବର୍ଷା କରାଯାଇଛି। ଆକ୍ରମଣ ପଛରେ ଥିବା ଲୋକଙ୍କୁ କଡ଼ା ଜବାବ ଦିଆଯିବ ବୋଲି ସିରିଆ ସରକାରଙ୍କ ପକ୍ଷରୁ କୁହାଯାଇଛି।

୨୦୧୧ ମସିହାରେ ସିରିଆରେ ସରକାର ବିରୋଧୀ ଆନ୍ଦୋଳନ ଆରମ୍ଭ ହୋଇଥିଲା। ସିରିଆର ରାଷ୍ଟ୍ରପତି ବଶର ଅଲ ଅସଦ ସେନାର ସହଯୋଗରେ ଏହି ଆନ୍ଦୋଳନକୁ ପ୍ରତିହତ କରିବାକୁ ଚେଷ୍ଟା କରିଥିଲେ। ଏହାପରେ ଗୃହ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ପରେ ବିଦ୍ରୋହୀମାନେ ସିରିଆର ଉତ୍ତର ଓ ପର୍ବାଞ୍ଚଳର ଅନେକ ଅଞ୍ଚଳରେ କବ୍ଜା କରିଛନ୍ତି।  

ଏହି ଗୃହ ଯୁଦ୍ଧର ପରିଣାମ ସିରିଆର ସାଧାରଣ ନାଗରିକ ଆଜି ଯାଏଁ ଭୋଗୁଛନ୍ତି। ଜାତିସଂଘର ରିପୋର୍ଟ ଅନୁସାରେ ସିରିଆ ଗୃହ ଯୁଦ୍ଧରେ ୩ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ଏହାସହ ପ୍ରାୟ ୬୦ ଲକ୍ଷରୁ ଅଧିକ ଲୋକ ସିରିଆ ଛାଡ଼ି ଅନ୍ୟ ଦେଶରେ ଶରଣ ନେଇଛନ୍ତି।    

Tags: #Syria #DroneAttack #SyrianMilitaryAcademy #MiddleEast #WestAsia

Comment