ଓଡ଼ିଶାଲାଇଭ୍ ବ୍ୟୁରୋ

ମଧ୍ୟପ୍ରାଚ୍ୟରେ ଘନଉଛି ଆଉ ଏକ ଯୁଦ୍ଧ। ମୁହାଁମୁହିଁ ସ୍ଥିତିରେ ଠିଆ ହୋଇଛନ୍ତି ଇସ୍ରାଏଲ ଓ ଇରାନ୍‌। କୌଣସି ବି ସମୟରେ ଇସ୍ରାଏଲ ଉପରେ ଇରାନ୍‌ ସିଧାସଳଖ ଆକ୍ରମଣ କରିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଇସ୍ରାଏଲରେ ଘନ ଘନ ରଣନୈତିକ ବୈଠକ ଚାଲିଛି। ଏହାସହ ଇସ୍ରାଏଲ ନିଜ ସୈନିକମାନଙ୍କୁ ଆଉ ଏକ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦେଇଛି।

ଇସ୍ରାଏଲ ଉପରେ ଆକ୍ରମଣ କରିବା ପାଇଁ ଶତାଧିକ କ୍ଷେପଣାସ୍ତ୍ର ଓ ଡ୍ରୋନ୍‌ ପ୍ରସ୍ତୁତ ରଖିଥିବା ନେଇ ଇରାନ୍‌ ପକ୍ଷରୁ ଖବର ପ୍ରସାରିତ ହେବାପରେ ଯୁଦ୍ଧର ଆଶଙ୍କା ଆହୁରି ବଢ଼ିଯାଇଛି। ଇରାନ୍‌ କ୍ଷେପଣାସ୍ତ୍ର ଓ ଡ୍ରୋନ୍‌ ମାଧ୍ୟମରେ ଇସ୍ରାଏଲର ଏକାଧିକ ସହର ତଥା ସୈନ୍ୟ ଠିକଣା ଉପରେ ଆକ୍ରମଣ କରିବାପରେ ବୋଲି ଆମେରିକା ପକ୍ଷରୁ ମଧ୍ୟ ରିପୋର୍ଟରେ କୁହାଯାଇଛି।  

ସେହିପରି ଇରାନ୍‌ ସହ ସମ୍ଭାବ୍ୟ ଯୁଦ୍ଧ ପାଇଁ ଇସ୍ରାଏଲ ନିଜ ସେନାକୁ ପ୍ରସ୍ତୁତ କରୁଛି। ଇରାନ ଆତଙ୍କବାଦୀ ସଂଗଠନ ହିଜବୁଲହାର ସହାୟତାରେ ଲେବାନନ ସୀମାରୁ ମଧ୍ୟ ଆକ୍ରମଣ କରିବାର ସମ୍ଭାବନା ଥିବାରୁ ଇସ୍ରାଏଲର ଅନେକ ସୈନ୍ୟ ଓ ଟ୍ୟାଙ୍କ ରେଜିମେଣ୍ଟକୁ ସେଠାରେ ମୁତୟନ କରାଯାଉଛି।

ଅନ୍ୟପଟେ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ଇରାନ୍‌ ସବୁ ପ୍ରକାର ପ୍ରସ୍ତୁତି କରିସାରିଥିବା ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖୋମେନିଙ୍କ ଜଣେ ପରାମର୍ଶଦାତା କହିଛନ୍ତି। ଏହି ଆକ୍ରମଣର ସମସ୍ତ ସମ୍ଭାବ୍ୟ ବିପଦକୁ ଆକଳନ କରାଯାଇଛି ଏବଂ ସେହି ଅନୁସାରେ ମଧ୍ୟପ୍ରାଚ୍ୟର ଅନ୍ୟ ରାଷ୍ଟ୍ରଗୁଡ଼ିକ ସହିତ ମଧ୍ୟ ଇରାନ୍‌ ଯୋଗାଯୋଗରେ ଥିବା ସେ କହିଛନ୍ତି।

ଭାରତୀୟ ନାଗରିକଙ୍କ ପାଇଁ ସତର୍କତା

ତେବେ ଏହାମଧ୍ୟରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ଇରାନ୍‌ ଓ ଇସ୍ରାଏଲ ମଧ୍ୟରେ ଘନଉଥିବା ଯୁଦ୍ଧକୁ ଦୃଷ୍ଟିରେ ରଖି ଭାରତୀୟ ନାଗରିକଙ୍କ ପାଇଁ ଟ୍ରାଭେଲ ଆଡଭାଇଜରି ଜାରି କରିଛି। ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଭାରତୀୟଙ୍କୁ ଇରାନ ଏବଂ ଇସ୍ରାଏଲ ଯିବାକୁ ବାରଣ କରାଯାଇଛି। ସେହିପରି ଯେଉଁ ଭାରତୀୟମାନେ ଏବେ ଏହି ଦୁଇ ଦେଶରେ ଅଛନ୍ତି ସେମାନେ ନିଜ ସୁରକ୍ଷା ପ୍ରତି ସତର୍କ ରହିବା ସହ ଭାରତୀୟ ଦୂତାବାସ ସହିତ ଯୋଗାଯୋଗରେ ରହିବାକୁ ପରାମର୍ଶ ଦିଆଯାଇଛି। 

ଏପ୍ରିଲ ୧ ତାରିଖରେ ସିରିଆରେ ଥିବା ଇରାନର ଦୂତାବାସ ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଥିଲା। ଏଥିରେ ଇରାନର ଜଣେ ବରିଷ୍ଠ ଜେନେରାଲ ଏବଂ ଅନ୍ୟ ୬ ଜଣ ସାମରିକ ଅଧିକାରୀଙ୍କ ସମେତ ମୋଟ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଏହି ଆକ୍ରମଣର ପ୍ରତିଶୋଧ ନେବା ଲାଗି ଇସ୍ରାଏଲ ସହ ମୁହାଁମୁହିଁ ହେବାକୁ ଇରାନ ଘୋଷଣା କରିଥିଲା।

ତେବେ ରୁଷ-ୟୁକ୍ରେନ ଏବଂ ଗାଜାରେ ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଲଢ଼େଇ ଥମିବାର ନାଁ ନେଉନଥିବାବେଳେ ଆଉ ଏକ ସମ୍ଭାବ୍ୟ ଯୁଦ୍ଧ ଯୋଗୁଁ ଏବେ ପ୍ରାକୃତିକ ତୈଳର ଦର ଆକାଶଛୁଆଁ ହେବାକୁ ଲାଗିଲାଣି। ତେବେ ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ହେଲେ ଏହାର ପ୍ରଭାବ ସମଗ୍ର ବିଶ୍ଵ ଅର୍ଥନୀତି ପଡ଼ିବା ସହ ସବୁ ଦେଶ ଏଥିରେ ପ୍ରଭାବିତ ହେବେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।      

Tags: #Iran-IsraelWar #MiddleEast #Conflict #WorldEconomy

Comment