ଓଡ଼ିଶାଲାଇଭ୍ ବ୍ୟୁରୋ

ଇସ୍ରାଏଲ ଉପରେ ଆକ୍ରମଣ କରି ଇରାନ ଆଉ ଏକ ଯୁଦ୍ଧର ଆରମ୍ଭ କରିଛି। ଇସ୍ରାଏଲ ଏବଂ ହମାସ ମଧ୍ୟରେ ଦୀର୍ଘ ୭ ମାସ ହେଲା ଯୁଦ୍ଧ ଯୋଗୁଁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ ଇରାନର ଆକ୍ରମଣ ସ୍ଥିତିକୁ ବିସ୍ଫୋରକ କରିଛି। ଇରାନ ରବିବାର ରାତିରେ ଇସ୍ରାଏଲ ଉପରେ ଘନ ଘନ କ୍ଷେପଣାସ୍ତ୍ର ଓ ଡ୍ରୋନ ମାଡ଼ କରିଥିଲା। ଏହାକୁ ନେଇ ଏବେ ପ୍ରତିଶୋଧ ପରାୟଣ ହୋଇଛି ଇସ୍ରାଏଲ।

ଇରାନ ପକ୍ଷରୁ ଏହି ଆକ୍ରମଣରେ ୩୦୦ରୁ ଅଧିକ ଅସ୍ତ୍ରବାହକ ଡ୍ରୋନ୍‌ ଓ କ୍ଷେପଣାସ୍ତ୍ରର ପ୍ରୟୋଗ କରାଯାଇଥିଲା। ଇସ୍ରାଏଲ ଉପରେ ଏହି ଆକ୍ରମଣ ୫ ଘଣ୍ଟା ଧରି ଚାଲିଥିଲା। ଏବେ ଏହାର ଜବାବ ଦେବାକୁ ଇସ୍ରାଏଲ ପ୍ରସ୍ତୁତ ହେଉଛି। ଇସ୍ରାଏଲ ସେନା ଏଥିପାଇଁ ରଣନୀତି କରୁଥିବା ଦେଶର ସରକାରଙ୍କ ପକ୍ଷରୁ କୁହାଯାଇଛି।  

ତେବେ ଇସ୍ରାଏଲ ରବିବାର ହୋଇଥିବା ଇରାନର ଆକ୍ରମଣକୁ ଆମେରିକା ସହାୟତାରେ ବିଫଳ କରିଦେଇଥିଲା। ୯୯ ପ୍ରତିଶତ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ରକୁ ଆକାଶରେ ହିଁ ନଷ୍ଟ କରିଦିଆଯାଇଥିବା ଇସ୍ରାଏଲ ପକ୍ଷରୁ କୁହାଯାଇଛି। ଏଥିରେ‌ ଇସ୍ରାଏଲର କୌଣସି କ୍ଷତି ହୋଇନଥିଲା।

ଅନ୍ୟପଟେ ଇରାନ ନିଜର ଆତ୍ମରକ୍ଷା ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେଲା ବୋଲି ଦେଶର ସେନାମୁଖ୍ୟ କହିଛନ୍ତି। ତେବେ ଇସ୍ରାଏଲ ଜବାବୀ ପ୍ରତି ଆକ୍ରମଣ କଲେ ଏହାର ଭୟଙ୍କର ଜବାବ ଦିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

ଅନ୍ୟପଟେ ଏବେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କଲେ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିବ ବୋଲି ଅନେକ ବିଶେଷଜ୍ଞ ମତ ଦେଇଛନ୍ତି। ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗି ରହିଲେ ଏହାର ପ୍ରଭାବ ସମଗ୍ର ବିଶ୍ଵ ଅର୍ଥନୀତି ପଡ଼ିବା ସହ ସବୁ ଦେଶ ଏହାଦ୍ଵାରା ପ୍ରଭାବିତ ହେବେ ବୋଲି ସେମାନେ ମତ ଦେଇଛନ୍ତି।      

Tags: #Iran-IsraelWar #MiddleEast #Conflict #WorldEconomy

Comment