ଓଡ଼ିଶାଲାଇଭ୍ ବ୍ୟୁରୋ

ଡୁବିଗଲା ଆମେରିକାରୁ ପରିଚାଳିତ ଷ୍ଟାର୍ଟଅପ୍ କମ୍ପାନିଙ୍କ ବ୍ୟାଙ୍କ ‘ସିଲିକନ ଭ୍ୟାଲି ବ୍ୟାଙ୍କ’। ସିଲିକନ ଭ୍ୟାଲିର ଏହି ଅବସ୍ଥା ପରେ ବିଶ୍ଵ ଅର୍ଥନୀତିକୁ ନେଇ ଚିନ୍ତା ବଢ଼ିଛି। ୨୦୦୮ରେ ହୋଇଥିବା ମାନ୍ଦାବସ୍ଥା ପୁଣି ଦୁଃସ୍ଵପ୍ନ ଭଳି ଡରାଇବା ଆରମ୍ଭ କରିଛି।

ଡୁବିଗଲା ଆମେରିକାର ସର୍ବବୃହତ୍ ବ୍ୟାଙ୍କରୁ ଗୋଟିଏ। ଏମିତି କିଛି ହେବ ବୋଲି କେହି ଆଶଙ୍କା ବି କରି ନଥିଲେ। ହଠାତ୍ ୧୦ ତାରିଖରେ ସିଲିକନ ଭ୍ୟାଲି ବ୍ୟାଙ୍କ ହାତ ଟେକିଦେବା ସହ ନିଜକୁ ଦେବାଳିଆ ଘୋଷଣା କରିଦେଲା। ସିଲିକନ ଭ୍ୟାଲିର ଏହି ଘୋଷଣା ବହୁ ଷ୍ଟାର୍ଟଅପ୍ କମ୍ପାନିଙ୍କ ଭବିଷ୍ୟତକୁ ଅନିଶ୍ଚିତତା ଭିତରକୁ ଠେଲି ଦେଇଛି। ଜମା ଟଙ୍କା ଫେରି ପାଇବେ କି ନାହିଁ, ଏହାକୁ ନେଇ ଲକ୍ଷାଧିକ ଜମାକାରୀଙ୍କ ନିଦ ହଜିଯାଇଛି।

ଦେବାଳିଆ ଘୋଷଣା କରିବା ପରେ ହିସାବ ତୁଟାଇବା ପାଇଁ ଆମେରିକାର ଫେଡେରାଲ ଡିପୋଜିଟ୍ ଇନସ୍ୟୁରାନ୍ସ କର୍ପୋରେସନ-ଏଫ୍‌ଡିଆଇସିକୁ ଦାୟିତ୍ଵ ଦେଇଛି ସିଲିକନ ଭ୍ୟାଲି। ଶେଷ ସୂଚନା ଅନୁସାରେ ବ୍ୟାଙ୍କର ସମସ୍ତ ସମ୍ପତ୍ତି ଓ ଋଣର ପରିମାଣ ହିସାବ ଚାଲିଛି। ଏ ସବୁ କେବେ ସରିବ ତାହା ସ୍ପଷ୍ଟ ହୋଇନାହିଁ। ସପ୍ତାହକ ମଧ୍ୟରେ ସରିବ କି ବର୍ଷ ବର୍ଷ ବିତିଯିବ ତା’ର ମଧ୍ୟ ଠିକଣା ନାହିଁ। ଗ୍ରାହକଙ୍କ ୧୭୫ ବିଲିଅନ ଆମେରିକୀୟ ଡଲାର ଜମାର ଭବିଷ୍ୟତ ଘୋର ଅନ୍ଧକାରରେ।

୧୯୮୩ରେ ପ୍ରତିଷ୍ଠା ହୋଇଥିଲା ସିଲିକନ ଭ୍ୟାଲି ବ୍ୟାଙ୍କ। ସାଧାରଣ ଜମାକାରୀଙ୍କ ଅପେକ୍ଷା ଏହା ଷ୍ଟାର୍ଟ ଅପ୍ ଜମାକାରୀଙ୍କ ଉପରେ ନିଜର ବ୍ୟାବସାୟିକ ଗୁରୁତ୍ଵ ଦେଇଥିଲା। ଅନେକ ଆମେରିକୀୟ, ଆମେରିକୀୟ-ଭାରତୀୟ, ବହୁ ଦେଶୀୟ ଷ୍ଟାର୍ଟ ଅପ୍ କମ୍ପାନିର ସେଭିଂ ଡିପୋଜିଟ୍, କରେଣ୍ଟ ଡିପୋଜିଟ ଖାତା ପାଲଟି ଯାଇଥିଲା ଏହି ବ୍ୟାଙ୍କ। ଆମେରିକାରୁ ପରିଚାଳିତ ୬୫ ପ୍ରତିଶତ ଷ୍ଟାର୍ଟଅପ୍ କମ୍ପାନି ସିଲିକନ ଭ୍ୟାଲିର ଗ୍ରାହକ ହୋଇଯାଇଥିଲେ। ଧୀରେ ଧୀରେ ଆମେରିକାର ୧୬ଟି ବଡ଼ ବ୍ୟାଙ୍କ ମଧ୍ୟରୁ ଗୋଟିଏ ବ୍ୟାଙ୍କରେ ପରିଣତ ହୋଇଥିଲା ସିଲିକନ ଭ୍ୟାଲି।

ସଫଳତାର ଶୀର୍ଷକୁ ଛୁଇଁଥିବା ଏହି ବ୍ୟାଙ୍କ ବିଦେଶର ବିଭିନ୍ନ ଅର୍ଥନୈତିକ ରାଜଧାନୀରେ ମଧ୍ୟ ନିଜର ସ୍ଥିତି ଜାହିର କରିଥିଲା। ବେଙ୍ଗାଳୁରୁ, ମୁମ୍ବାଇ, ବେଜିଂ ଓ ସାଂଘାଇ ଭଳି ଏସୀୟ ବ୍ୟବସାୟିକ ପେଣ୍ଠସ୍ଥଳୀରେ ମଧ୍ୟ ନିଜର ବ୍ୟବସାୟ ଆରମ୍ଭ କରିଥିଲା

କାହିଁକି ଡୁବିଲା ସିଲିକନ ଭ୍ୟାଲି?

କାହିଁକି ଡୁବିଗଲା ଏତେ ବଡ଼ ବ୍ୟାବସାୟିକ ସାମ୍ରାଜ୍ୟ ଥିବା ବ୍ୟାଙ୍କ। ଏ ପ୍ରଶ୍ନ ସମସ୍ତଙ୍କୁ ଆନ୍ଦୋଳିତ କରୁଛି। ବ୍ୟାଙ୍କ ଡୁବିବାର ଅନେକ କାରଣ ରହିଛି। ସେଥିମଧ୍ୟରୁ ବଡ଼ କାରଣ ହେଲା ପରିବର୍ତ୍ତିତ ଅର୍ଥନୈତିକ ଅବସ୍ଥାର ଆକଳନ କରି ନପାରିବା ଏବଂ ଗୋଟେ ପରେ ଗୋଟେ ଭୁଲ୍ ନିଷ୍ପତ୍ତି ନେବା।

ଜମା ଆସିଲା, ଋଣ ଗଲାନି

ଗ୍ରାହକଙ୍କ ଜମା ହିଁ ବ୍ୟାଙ୍କ ବ୍ୟବସାୟର ମୂଳ ପୁଞ୍ଜି। ସିଲିକନ ଭ୍ୟାଲି ବ୍ୟାଙ୍କ ନିକଟରେ ଜମାର ଅଭାବ ନ ଥିଲା। କିନ୍ତୁ ସେତିକି ଋଣ ଦେବାରେ ବିଫଳ ହୋଇଥିଲା ଏହି ବ୍ୟାଙ୍କ। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଆମେରିକା ସରକାର ବାରମ୍ବାର ସୁଧହାର ବୃଦ୍ଧି କରିଥିବାରୁ ଅସୁବିଧାରେ ପଡ଼ିଥିଲା ସିଲିକନ ଭ୍ୟାଲି। ନିର୍ଦ୍ଦିଷ୍ଟ ବର୍ଗର ଗ୍ରାହକ ହୋଇଥିବାରୁ ଏଠାରୁ ଋଣ ନେବାର ପରିମାଣ କମିଗଲା।

୨୦୨୦ ପରେ ଷ୍ଟାର୍ଟଅପ୍ କମ୍ପାନିଗୁଡ଼ିକୁ ପ୍ରଚୁର ପୁଞ୍ଜି ନିବେଶ ଆସିଲା। ତେଣୁ ସେମାନେ ଏଠାରୁ ଋଣ ନେବା ପାଇଁ ଚାହିଁଲେ ନାହିଁ। ବରଂ ସେମାନଙ୍କ ଡିପୋଜିଟ୍ ଏହି ବ୍ୟାଙ୍କରେ ରଖିଥିଲେ ଷ୍ଟାର୍ଟଅପ୍ କମ୍ପାନି। ପ୍ରଚୁର ଅର୍ଥ ଆସିବାରୁ ବ୍ୟାଙ୍କ ଲାଭ ପାଇଁ ଏହାକୁ ଅନ୍ୟତ୍ର ନିବେଶ କରିଥିଲା।

ଟଙ୍କା ଦେଇ ପାରିଲାନି ସିଲିକନ ଭ୍ୟାଲି

ସିଲିକନ ଭ୍ୟାଲି ନିଜ ପାଖରେ ଅଳ୍ପ ପରିମାଣର ଅର୍ଥ ରଖି ଜମାର ସିଂହ ଭାଗ ନିବେଶ କରିଦେଇଥିଲା। ପ୍ରାୟ ବର୍ଷକ ତଳେ ପ୍ରଚୁର ବଣ୍ଡ କିଣିଥିଲା ସିଲିକନ ଭ୍ୟାଲି। ଏ ସବୁ ଠିକ୍ ଚାଲିଥିଲା। ଢେର ଲାଭ ହେବ ବୋଲି ବ୍ୟାଙ୍କର ବିଶ୍ଵାସ ମଧ୍ୟ ଥିଲା। ଯେତେବେଳେ ଷ୍ଟାର୍ଟଅପ୍ କମ୍ପାନିଗୁଡ଼ିକ ପାଖରେ ଟଙ୍କା ସରିଗଲା ଏବଂ ସେମାନେ ଆଉ ନୂଆ ନିବେଶ ନପାଇବାରୁ ସେମାନଙ୍କ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କକୁ ଆସିଥିଲେ, ସେତେବେଳେ ସବୁ କିଛି ଓଲଟପାଲଟ ହେବା ଆରମ୍ଭ ହୋଇଥିଲା। ନିବେଶକମାନଙ୍କୁ ଟଙ୍କା ଦେବା ପାଇଁ ମ୍ୟାଚୁରିଟି ପୂର୍ବରୁ ବଣ୍ଡ ବିକ୍ରି କରିବା ପାଇଁ ବାଧ୍ୟ ହୋଇଥିଲା ସିଲିକନ ଭ୍ୟାଲି। ମାତ୍ର ଗୋଟିଏ ଦିନରେ ଅର୍ଥାତ ଗତ ବୁଧବାର ଦିନ ୨ ବିଲିୟନ ଆମେରିକୀୟ ଡଲାର ହରାଇଥିଲା ସିଲିକନ ଭ୍ୟାଲି ବ୍ୟାଙ୍କ।

ଟଙ୍କା ଉଠାଣ ପାଇଁ ଧାଡ଼ି ଲାଗିଲା

ଗୋଟିଏ ପଟେ ବ୍ୟାଙ୍କରେ ପଇସା ନାହିଁ, ଅନ୍ୟ ପଟେ ପଇସା ପାଇଁ ଦାବିଦାରଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇଲା। ବ୍ୟାଙ୍କ ପଇସା ଦେଇ ପାରୁନାହିଁ ବୋଲି ଖବର ପ୍ରସାରିତ ହେବା ପରେ ଗ୍ରାହକମାନେ ସେମାନଙ୍କ ଟଙ୍କା ଉଠାଣ ପାଇଁ ଧାଡ଼ି ଲଗାଇବାରେ ଲାଗିଥିଲେ। ସବୁ ଟଙ୍କା ଉଠାଣ ପାଇଁ ଯେତେବେଳେ ଗ୍ରାହକମାନଙ୍କ ଧାଡ଼ି ଲାଗିଲା ସେତେବେଳେ ଅସହାୟ ହୋଇ ହାତ ଟେକିଦେଇଥିଲା ସିଲିକନ ଭ୍ୟାଲି ବ୍ୟାଙ୍କ।

ସିଲିକନ ଭ୍ୟାଲି ବ୍ୟାଙ୍କ ଡୁବିଯିବା ପରେ ସବୁଠାରୁ ଅଧିକ ଚିନ୍ତାରେ ପଡ଼ିଯାଇଛନ୍ତି ଏହା ଉପରେ ନିର୍ଭରଶୀଳ ଷ୍ଟାର୍ଟଅପ୍ କମ୍ପାନିଗୁଡ଼ିକ। କାରଣ ସେମାନଙ୍କ ସମସ୍ତ ଡିପୋଜିଟ୍ ଏହି ବ୍ୟାଙ୍କରେ ହିଁ ରହିଛି। ଅନ୍ୟ ପଟେ ଷ୍ଟାର୍ଟଅପ୍‌ଗୁଡ଼ିକୁ ପଇସା ଦେଇଥିବା ନିବେଶକମାନେ ବି ଟଙ୍କା ମାଗିବା ଆରମ୍ଭ କରିଦେଇଛନ୍ତି।

ଭୟଙ୍କର ସଙ୍କଟରେ ଷ୍ଟାର୍ଟଅପ୍‌

ଗୋଟିଏ ପଟେ ଷ୍ଟାର୍ଟଅପ୍‌ରେ ନିବେଶ ନାହିଁ, ଅନ୍ୟ ପଟେ ପାଖରେ ଅର୍ଥ ନାହିଁ। ଏମିତି ବି ଅବସ୍ଥା ହେଲାଣି କର୍ମଚାରୀଙ୍କ ଦରମା, ଅଫିସ ଖର୍ଚ୍ଚ ପାଇଁ ମଧ୍ୟ ଷ୍ଟାର୍ଟଅପ୍ କମ୍ପାନିଗୁଡ଼ିକ ସଙ୍କଟରେ ପଡ଼ିଯାଇଛନ୍ତି। କହିବାକୁ ଗଲେ ସିଲିକନ ଭ୍ୟାଲି ପାଇଁ ଏହି ଷ୍ଟାର୍ଟଅପ୍‌ଗୁଡ଼ିକରେ ମଧ୍ୟ ତାଲା ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି।

ସିଲିକନ ଭ୍ୟାଲିର ପ୍ରଭାବ ଅନ୍ୟ ବ୍ୟାଙ୍କ ଓ ବିତ୍ତୀୟ ଅନୁଷ୍ଠାନ ଉପରେ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ତା’ର ପ୍ରଭାବରେ ଆଉ ଏକ ବ୍ୟାଙ୍କ ସିଗ୍ନେଚର ବ୍ୟାଙ୍କରୁ ଲୋକେ ଟଙ୍କା ଉଠାଣ ପାଇଁ ଏତେମାତ୍ରାରେ ଭିଡ଼ କରିଥିଲେ ଯେ, ଏହି ବ୍ୟାଙ୍କଟି ବି ନିଜକୁ ଦେବାଳିଆ ଘୋଷଣା କରିବାକୁ ବାଧ୍ୟ ହୋଇଛି।

ବିକ୍ରି ଚାଲିଛି ଡିପୋଜିଟ୍

ସିଲିକନ୍ ଭ୍ୟାଲି ଟଙ୍କା ଦେଇପାରୁ ନାହିଁ। କେବେ ମିଳିବ ଆଉ କେତେ ମିଳିବ ତା’ର କିଛି ଗ୍ୟାରେଣ୍ଟି ନାହିଁ। ଏମିତି ସ୍ଥିତିରେ ଆମେରିକାର କିଛି ବିତ୍ତୀୟ ସଂସ୍ଥା ଏକ ବିକଳ୍ପ ନେଇ ଆସିଛନ୍ତି। ଗ୍ରାହକମାନଙ୍କ ଡିପୋଜିଟ୍ କିଣିବାର ପ୍ରସ୍ତାବ ଦେଉଛନ୍ତି। ଏହା ବଦଳରେ ଡିପୋଜିଟର ୮୦ ପ୍ରତିଶତ ପର୍ଯ୍ୟନ୍ତ ଅର୍ଥ ଦେବାକୁ ଅଫର ଦେଉଛନ୍ତି।

ଜଣେ ଗ୍ରାହକ ଯଦି ସିଲିକନ ଭ୍ୟାଲିରୁ କୋଟିଏ ଟଙ୍କା ପାଇବାର ଅଛି ତେବେ ସିଏ ତା’ର ଡିପୋଜିଟ୍ ବିକ୍ରି କରିଦେଲେ ତାଙ୍କୁ ୮୦ ଲକ୍ଷ ଏ ଡଲାର ଦେବାକୁ ଅଫର ମିଳୁଛି। ଆମେରିକାର ହେଜ୍ ଫଣ୍ଡସ ନାମକ ଏକ କମ୍ପାନି ଡିପୋଜିଟର ୬୦ ପ୍ରତିଶତ ଦେବାକୁ ଅଫର ଦେଉଛି। ସେହିପରି ବିଡ୍‌ସ ନାମକ ଆଉ ଏକ କମ୍ପାନି ୮୦ ପ୍ରତିଶତ ଯାଏ ଅଫର୍‌ ଦେଇଛି।

ଏଭଳି ବ୍ୟବସ୍ଥା ଆମେରିକାରେ ପୁରୁଣା। ହଠାତ୍ ଟଙ୍କା ଚାହୁଁଥିବା ଲୋକ ଏମିତି ଅଫରକୁ ଗ୍ରହଣ କରିଥାନ୍ତି। ବ୍ୟାଙ୍କର ସବୁ ସମ୍ପତ୍ତି ବିକ୍ରି ସରିବା ସହ ସ୍ଥିତି ସୁଧୁରିଲେ ଡିପୋଜିଟ୍ କିଣୁଥିବା ସଂସ୍ଥା ବ୍ୟାଙ୍କ ସହ ମୂଲଚାଲ କରି ଟଙ୍କା ଆଦାୟ କରେ।

Tags: #SiliconValleyBank #StartupCompany #Deposit #WorldEconomy

Comment