ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରତ୍ୟକ୍ଷ କର ଆଦାୟ ବା ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନରେ ଖୁବ୍ ଶୀଘ୍ର ବେଙ୍ଗାଳୁରୁ ଦିଲ୍ଲୀକୁ ଟପିବ ବୋଲି ଆକଳନ କରାଯାଉଛି।

ମଲ୍ଟିନ୍ୟାସନାଲ ଓ ଇଣ୍ଡିଆନ ଆଇଟି କମ୍ପାନିର ଆଇଟି କ୍ୟାପିଟାଲ କୁହାଯାଉଥିବା ବେଙ୍ଗାଳୁରୁ ଡାଇରେକ୍ଟ ଟ୍ୟାକ୍ସ ବା ପ୍ରତ୍ୟକ୍ଷ କର ପ୍ରଦାନରେ ଦେଶର ରାଜଧାନୀ ଦିଲ୍ଲୀକୁ ଖୁବ୍‌ ଶୀଘ୍ର ଟପିବା ନେଇ ଆକଳନ କରାଯାଇଛି।

ମୁମ୍ବାଇ ପ୍ରତ୍ୟକ୍ଷ କର ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିଲେ ମଧ୍ୟ ତୀବ୍ର ଗତିରେ ଖସିବାରେ ଲାଗିଛି। ଯଦି କିଛି ବର୍ଷ ଭିତରେ ଦେଶର ସର୍ବାଧିକ ପ୍ରତ୍ୟକ୍ଷ କର ପ୍ରଦାନକାରୀ ସହର ତାଲିକାରେ ବେଙ୍ଗାଳୁରୁ ଶୀର୍ଷରେ ପହଞ୍ଚିବ, ତେବେ ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ।

୨୦୨୨-୨୩ରେ ବେଙ୍ଗାଳୁରୁରେ ରେକର୍ଡ କର ଆଦାୟ

ଆୟକର ବିଭାଗ ତଥ୍ୟର ଅନୁଶୀଳନ ଅନୁସାରେ ୨୦୦୭-୦୮ ତୁଳନାରେ ୨୦୨୨-୨୩ ବର୍ଷରେ ବେଙ୍ଗାଲୁରୁରେ ପ୍ରତ୍ୟକ୍ଷ କର ଆଦାୟ ୫୨୫ ପ୍ରତିଶତ ବୃଦ୍ଧି ପାଇଛି। ୨୦୦୭-୦୮ ଆର୍ଥିକ ବର୍ଷରେ ବେଙ୍ଗାଳୁରୁରୁ ଆୟକର ବିଭାଗ ୩୨ ହଜାର ୬୯୨ କୋଟି ଟଙ୍କା ଡାଇରେକ୍ଟ ଟ୍ୟାକ୍ସ ଆକାରରେ ଆଦାୟ କରିଥିଲା। କିନ୍ତୁ ୨୦୨୩ ଆର୍ଥିକ ବର୍ଷରେ ଏଠାରୁ ୨ ଲକ୍ଷ୪ ହଜାର ୫୨୮କୋଟି ଟଙ୍କା ପ୍ରତ୍ୟକ୍ଷ କର ଆଦାୟ ହୋଇଛି।

୨୦୦୭-୦୮ ଆର୍ଥିକ ବର୍ଷରେ ଦିଲ୍ଲୀରୁ ପ୍ରତ୍ୟକ୍ଷ କର ବାବଦକୁ ୪୭ ହଜାର ୩୬୯ କୋଟି ଟଙ୍କା ଆଦାୟ ହୋଇଥିବାବେଳେ ୨୦୨୨-୨୩ ଆର୍ଥିକ ବର୍ଷରେ ଏଠାରୁ ୨ଲକ୍ଷ ୭ ହଜାର ୯୧୯ କୋଟି ଟଙ୍କା ଆଦାୟ ହୋଇଛି। ଯାହା ବେଙ୍ଗାଳୁରୁ ଆଦାୟ ଟିକସ ପରିମାଣଠାରୁ ସାମାନ୍ୟ ଅଧିକ ରହିଛି। ଏହି ସାମାନ୍ୟ ବ୍ୟବଧାନକୁ ବେଙ୍ଗାଳୁରୁ ଖୁବ୍‌ ଶୀଘ୍ର ଅତିକ୍ରମ କରିଯିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ଅନ୍ୟ ପକ୍ଷରେ ମୁମ୍ବାଇରେ ପ୍ରତ୍ୟକ୍ଷ କର ସାଂଘାତିକ ହାରରେ କମିବାକୁ ଲାଗିଛି। ସମୁଦାୟ ପ୍ରତ୍ୟକ୍ଷ କରକୁ ମୁମ୍ବାଇର ଅବଦାନ ୨୦୦୭-୦୮ରେ  ୩୭ ପ୍ରତିଶତ ରହିଥିବାବେଳେ ୨୦୨୨-୨୩ରେ ଏହାର ପରିମାଣ ୨୯.୮ ପ୍ରତିଶତକୁ ଖସି ଆସିଛି।

ମୋଟ ପ୍ରତ୍ୟକ୍ଷକର ଖାତାକୁ ବେଙ୍ଗାଳୁରୁ, ହାଇଦ୍ରାବାଦ ଓ ଚେନ୍ନାଇର ଅବଦାନ ବୃଦ୍ଧି ପାଇଛି। ଦିଲ୍ଲୀ, ବେଙ୍ଗାଳୁରୁ, ହାଇଦ୍ରାବାଦ, ପୁଣେ ଓ ଚେନ୍ନାଇର ପ୍ରତ୍ୟକ୍ଷ କର ବାବଦକୁ ମିଳିତ ଅବଦାନ ୪୪ ପ୍ରତିଶତକୁ ବୃଦ୍ଧି ପାଇଛି। ଚେନ୍ନାଇରୁ ପ୍ରତ୍ୟକ୍ଷ କର ବାବଦକୁ ୨୦୦୭-୦୮ ମସିହାରେ ୧୮,୮୩୭ କୋଟି ଟଙ୍କା ଆଦାୟ ହେଉଥିବାବେଳେ ୨୦୨୨-୨୩ ମସିହାରେ ଏହାର ପରିମାଣ ୪୬୦ ପ୍ରତିଶତ ବୃଦ୍ଧି ପାଇ ୧ଲକ୍ଷ ୫ ହଜାର ୬୩୮ କୋଟି ଟଙ୍କା ଆଦାୟ ହୋଇଛି। ହାଇଦ୍ରାବାଦରେ ଗତ ଆର୍ଥିକ ବର୍ଷରେ ୮୮ହଜାର୪୩୮ କୋଟି ଟଙ୍କା, ପୁଣେରୁ ୯୧,୯୭୩ କୋଟି ଟଙ୍କା ପ୍ରତ୍ୟକ୍ଷ କର ବାବଦକୁ ଆଦାୟ ହୋଇଛି।

ବେଙ୍ଗାଳୁରୁରେ ପ୍ରତ୍ୟକ୍ଷ କର ଆଦାୟ ବୃଦ୍ଧିର କାରଣ ଷ୍ଟାର୍ଟଅପ୍

ବେଙ୍ଗାଳୁରୁରେ ପ୍ରତ୍ୟକ୍ଷ କର ଆଦାୟ ବୃଦ୍ଧି ପାଇବା ପଛରେ ଷ୍ଟାର୍ଟଅପ ସଂଖ୍ୟା ବଢ଼ିବା ବଡ଼ କାରଣ ବୋଲି କର ଅନୁଶୀଳନରୁ ଜଣାପଡ଼ିଛି। ବେଙ୍ଗାଳୁରୁରେ ସବୁ ବର୍ଷ ନୂଆ ନୂଆ ଷ୍ଟାର୍ଟଅପ୍ କମ୍ପାନି ସହ ଆଇଟି କମ୍ପାନି ସେମାନଙ୍କର କାର୍ଯ୍ୟାଳୟ ଖୋଲୁଛନ୍ତି। ଇନ୍‌ଫୋସିସ ଓ ଓ୍ଵିପ୍ରୋ ଭଳି ବିଭିନ୍ନ ବଡ଼ ଭାରତୀୟ ଆଇଟି କମ୍ପାନି ଏଠାରୁ ପରିଚାଳିତ ହେଉଥିବାବେଳେ ସେମାନେ ଅଗ୍ରୀମ କର ପ୍ରଦାନ କରନ୍ତି। ତେଣୁ ମୋଟ ପ୍ରତ୍ୟକ୍ଷ କର ବାବଦକୁ ବେଙ୍ଗାଳୁରୁର ଅବଦାନ ବଢ଼ିବାକୁ ଲାଗିଛି।

ବିଭିନ୍ନ ବଡ଼ କର୍ପୋରେଟ ଅଫିସଗୁଡ଼ିକର ବିକେନ୍ଦ୍ରୀକରଣ ହେବା ପରେ ଦେଶର ବିଭିନ୍ନ ସହରରେ ଅଫିସ ଖୋଲିବା ସହ ସେଠାରେ ଟିକସ ପ୍ରଦାନ କରାଯାଉଛି। ପୂର୍ବରୁ ସବୁ ବଡ଼ ବ୍ୟାଙ୍କଗୁଡ଼ିକ ମୁମ୍ବାଇରୁ ପଞ୍ଜୀକୃତ ହୋଇଥିବା ବେଳେ ଟିକସ ମଧ୍ୟ ଏଠାରୁ ପ୍ରଦାନ କରାଯାଉଥିଲା। କିନ୍ତୁ ଧୀରେ ଧୀରେ ଅନ୍ୟ ବଡ଼ ସହରରେ ଏହାର କାର୍ଯ୍ୟାଳୟ ଖୋଲିବା ପରେ ଟିକସ ସେହି ରାଜ୍ୟରୁ ପ୍ରଦାନ କରାଯାଉଛି।

ପ୍ରତ୍ୟକ୍ଷ କର ଆଦାୟରେ ଉତ୍ତରପ୍ରଦେଶ ବିହାରର ସ୍ଥିତି ଭଲ ନାହିଁ

ପ୍ରତ୍ୟକ୍ଷ କର ଆଦାୟ ବାବଦକୁ ଉତ୍ତରପ୍ରଦେଶ ଓ ବିହାରର ସ୍ଥିତି ସେତେ ଭଲ ନୁହେଁ। ବେଙ୍ଗାଳୁରୁ ମଡେଲକୁ ଗ୍ରହଣ କରାଗଲେ ଏହି ରାଜ୍ୟଗୁଡ଼ିକରୁ ମଧ୍ୟ ପ୍ରତ୍ୟକ୍ଷ କର ବାବଦକୁ ଭଲ ଅର୍ଥ ଆଦାୟ କରାଯାଇପାନ୍ତା ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଗତ ଆର୍ଥିକ ବର୍ଷରେ ବିହାରରୁ ୧୫ ହଜାର କୋଟି ଏବଂ ଉତ୍ତରପ୍ରଦେଶରୁ ୧୩, ୮୮୩ କୋଟି ଟଙ୍କା ପ୍ରତ୍ୟକ୍ଷ କର ବାବଦକୁ ଆଦାୟ ହୋଇଛି।

୨୦୦୭-୦୮ ଆର୍ଥିକ ବର୍ଷ ତୁଳନାରେ ଦେଶରେ ପ୍ରତ୍ୟକ୍ଷ କର ବାବଦକୁ ୪୬୩ ପ୍ରତିଶତ ଅଧିକ ଅର୍ଥ ଆଦାୟ ହୋଇଛି। ୨୦୦୭-୦୮ ଆର୍ଥିକ ବର୍ଷରେ ୨ ଲକ୍ଷ ୯୫ ହଜାର କୋଟି ଟଙ୍କା କେବଳ ପ୍ରତ୍ୟକ୍ଷ କର ବାବାଦକୁ ଆଦାୟ ହୋଇଥିଲା। କିନ୍ତୁ ୨୦୨୨-୨୩ରେ ଏହାର ପରିମାଣ ୧୬ ଲକ୍ଷ ୬୧ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଆସନ୍ତା ଆର୍ଥିକ ବର୍ଷରେ ଏହା ୧୮ ଲକ୍ଷ ୨୨ ହଜାର କୋଟିକୁ ବୃଦ୍ଧି ପାଇବ ବୋଲି ଆୟକର ବିଭାଗ ଆଶା ରଖିଛି।

Tags: #Tax #DirectTax #Bangalore #Delhi #StartupCompany

Comment