ଓଡ଼ିଶାଲାଇଭ୍ ବ୍ୟୁରୋ

ତୁର୍କୀ ଓ ସିରିଆରେ ଭୂମିକମ୍ପ ରଚିଛି ମୃତ୍ୟୁର ତାଣ୍ଡବଲୀଳା। ଗୋଟେ ପରେ ଗୋଟେ ଚାରିଟି ପ୍ରଳୟଙ୍କରୀ ଭୂମିକମ୍ପରେ ତୁର୍କୀ ଓ ସିରିଆରେ ସମେତ ଥରିଛି ସମଗ୍ର ପଶ୍ଚିମ ଏସିଆ। ଭୂମିକମ୍ପ ଯୋଗୁଁ ଏହି ଦୁଇ ଦେଶରେ ୪ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି। ୧୦ ହଜାରରୁ ଅଧିକ ଲୋକ ଆହତ ହୋଇଥିବାର ସୂଚନା ମିଳିଛି। ତୁର୍କୀର ମଧ୍ୟ ଓ ଦକ୍ଷିଣ ପୂର୍ବ ଭାଗରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି। ଭୂମିକମ୍ପ ପରବର୍ତ୍ତୀ ଉଦ୍ଧାରକାର୍ଯ୍ୟ ପାଇଁ ଭାରତରୁ ୨ଟି ଏନଡିଆରଏଫ ଦଳ ତୁର୍କୀ ଯାଇଛନ୍ତି।

ସୋମବାର ସକାଳ ୪ଟା ୧୫ ସମୟରେ ତୁର୍କୀରେ ୭.୮ ରିକ୍ଟର ସ୍କେଲ ତୀବ୍ରତା ବିଶିଷ୍ଟ ପ୍ରଥମ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଏହି ଭୂମିକମ୍ପର ୨୪ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଆଉ ୩ଟି ବଡ଼ ଧରଣର ଭୂମିକମ୍ପ ସମଗ୍ର ତୁର୍କୀ ଓ ସିରିଆକୁ ଦୋହଲାଇ ଦେଇଛି।

ଏହି ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ,ଏହାର ଝଟକା ପଶ୍ଚିମ ଏସିଆର ପ୍ରାୟ ସବୁ ଦେଶରେ ଅନୁଭୂତ ହୋଇଥିଲା। ତୁର୍କୀର ଗାଜିଏନ୍ଟେପ ସହରରୁ ୩୩ କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦ୍ର ସ୍ଥଳ ରହିଥିଲା।

ଭୂମିକମ୍ପ ଯୋଗୁଁ ତୁର୍କୀରେ ଅନେକ ବଡ଼ ବଡ଼ ସହର ଧ୍ଵଂସ ହୋଇଯାଇଛି। ଏହାଛଡ଼ା ଅନେକ ବଡ଼ ଅଟ୍ଟାଳିକା ମଧ୍ୟ ଭୁଷୁଡ଼ି ଯାଇଛି। ଦେଶର ଅନେକ ରାସ୍ତାଘାଟ, ରେଳଲାଇନ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଭୂମିକମ୍ପ ପାଇଁ ତୁର୍କୀର ଦକ୍ଷିଣ ଭାଗରେ ଥିବା ଏକାଧିକ ଗ୍ୟାସ୍ ପାଇପଲାଇନ୍ ଫାଟି ଏଥିରେ ବିସ୍ଫୋରଣ ହେବାର ଦେଖାଦେଇଛି।

ତୁର୍କୀ ସହିତ ସିରିଆରେ ଭୂମିକମ୍ପ ପାଇଁ ୧୪୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି। ଏଠାରେ ଥିବା ଅନେକ ଐତିହାସିକ ସ୍ଥାନଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ସିରିଆର ଆଲେପ୍ପୋରେ ଥିବା ପୃଥିବୀର ବହୁ ପୁରାତନ ଦୁର୍ଗ ମଧ୍ୟରୁ ଅନ୍ୟତମ ଆଲେପ୍ପୋ ସିଟାଡେଲର କିଛି ଅଂଶ ଭାଙ୍ଗି ଯାଇଛି।

ଭୂମିକମ୍ପ ପରେ ଉଦ୍ଧାରକାର୍ଯ୍ୟ ପାଇଁ ତୁର୍କୀ ସେନାର ୧୩ ହଜାର ଯବାନ ନିୟୋଜିତ ହୋଇଛନ୍ତି। ସେମାନେ ଘରଗୁଡ଼ିକରେ ଫସି ରହିଥିବା ଲୋକମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଉଛନ୍ତି। ଭାରତ ସମେତ ରୁଷ, ଆମେରିକା ଓ ଅନ୍ୟ ୟୁରୋପୀୟ ଦେଶମାନଙ୍କରୁ ଉଦ୍ଧାରକାରୀ ଦଳ ରିଲିଫ୍ ସାମଗ୍ରୀ ସହ ତୁର୍କୀରେ ପହଞ୍ଚୁଛନ୍ତି।

ଭୂମିକମ୍ପ ପରେ ତୁର୍କୀର ରାଷ୍ଟ୍ରପତି ରିସେପ ତାୟିପ୍ ଏରଦୋଗାନ ସହାୟତା କରିବା ପାଇଁ ସବୁ ଦେଶଙ୍କୁ ଅନୁରୋଧ କରିଛନ୍ତି। ସେ ଦେଶରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ମଧ୍ୟ ଘୋଷଣା କରିଛନ୍ତି।

 

ତୁର୍କୀ ଦେଶ ଉତ୍ତର ଓ ପୂର୍ବ ଅନାଟୋଲିଆନ ଫଲ୍ଟ ଲାଇନରେ ଅଞ୍ଚଳରେ ଅବସ୍ଥିତ। ଅର୍ଥାତ ଏସିଆ ଓ ୟୁରୋପ ମହାଦେଶର ଟେକ୍ଟୋନିକ ପ୍ଲେଟ ମଧ୍ୟରେ ତୁର୍କୀ ଅବସ୍ଥାନ କରୁଛି। ଏହି ଦୁଇ ଟେକ୍ଟୋନିକ ପ୍ଲେଟରେ ହେଉଥିବା ଗତିବିଧି ପାଇଁ ତୁର୍କୀରେ ଅନେକ ସମୟରେ ଭୂମିକମ୍ପ ହୋଇଥାଏ।  ଏହାପୂର୍ବରୁ ୧୯୩୯ ମସିହା ଓ ୧୯୯୯ ମସିହାରେ ତୁର୍କୀରେ ବଡ଼ ଧରଣର ଭୂମିକମ୍ପ ହୋଇଥିଲା।

Tags: #Earthquake #Turkey #Syria #4000dead #Gaziantep #Turkey-SyriaBorder

LEAVE A REPLY

Please enter your comment!
Please enter your name here