ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିର ସମୟରେ ଆମ ଦେଶରେ ଯେକୌଣସି ଫର୍ମଟିଏ ପୂରଣ କରିବାକୁ ଗଲେ ନିଜ ପରିଚୟ ସହ ଧର୍ମ ତଥା ଜାତିର ସୂଚନା ଦେବାକୁ ପଡୁଛି। ଅଧିକାଂଶ କ୍ଷେତ୍ରରେ ଜାତି ଓ ଧର୍ମର ପରିଚୟ ବାଧ୍ୟତାମୂଳକ ରହିଛି। ତେବେ ଆମେ ଏମିତି ଜଣେ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କର ନା ଜାତି ଅଛି ନା ଧର୍ମ। ସେ ହେଉଛନ୍ତି ତାମିଲନାଡୁ ତିରୁପତ୍ତୁରର ବାସିନ୍ଦା ସ୍ନେହା ପାର୍ଥୀବରଜା। ସେ ହେଉଛନ୍ତି ଭାରତର ପ୍ରଥମ ଜାତି-ଧର୍ମ ବିହୀନ ମହିଳା।

ସ୍ନେହା ପେଷାରେ ଜଣେ ଆଇନଜୀବୀ। ବୟସ ୪୦ ବର୍ଷ। ସରକାରୀ ଭାବେ ସ୍ନେହାଙ୍କର ଧର୍ମ ନାହିଁ କି ଜାତି ନାହିଁ। ସେତିକି ନୁହେଁ, ତାଙ୍କ ଘରେ ବା ପରିବାରରେ କେହି ଜାତି ଧର୍ମକୁ ବିଶ୍ୱାସ କରନ୍ତି ନାହିଁ। ଏପରିକି ବିଭିନ୍ନ ଫର୍ମରେ ଥିବା ଜାତି ଆଉ ଧର୍ମ ସ୍ତମ୍ଭଙ୍କୁ ସେମାନେ ଫାଙ୍କା ଛାଡ଼ି ଦେଇଥାନ୍ତି।

ତେବେ ଏଥିପାଇଁ ସ୍ନେହାଙ୍କୁ କମ ସଂଘର୍ଷ କରିବାକୁ ପଡ଼ିନି। ଜାତି, ଧର୍ମ ନ ଥିବା ସାର୍ଟିଫିକେଟ ବାହାର କରିବା ପାଇଁ ତାଙ୍କୁ ଲମ୍ବା ଆଇନଗତ ଲଢ଼େଇ ଲଢ଼ିବାକୁ ପଡ଼ିଥିଲା। ଶେଷରେ ୨୦୧୯ ମସିହା ଫେବ୍ରୁଆରି ୫ ତାରିଖ ତାଙ୍କର ଏହି ଯୁଦ୍ଧର ଅନ୍ତ ଘଟିଥିଲା।

ତିରୁପତ୍ତୁରର ତତକାଳୀନ ତହସିଲଦାର ଟିଏସ ସାଥିଆମୂର୍ତ୍ତିଙ୍କ ପାଖରୁ ସ୍ନେହା ଏକ ସାର୍ଟିଫିକେଟ ପାଇଥିଲେ ଯେଉଁଥିରେ ସେ ଜାତି ଧର୍ମ ବିହୀନ ବୋଲି ଦର୍ଶାଯାଇଥିଲା। ସ୍ନେହାଙ୍କୁ ଏହି ସାର୍ଟିଫିକେଟ ଦେବାବେଳେ ରାଜସ୍ୱ ଅଧିକାରୀ କହିଥିଲେ, ଦେଶରେ ପ୍ରଥମ ଥର ପାଇଁ ଏପରି ଏକ ପ୍ରମାଣପତ୍ର ଦିଆଯାଉଛି। 

ଗଣମାଧ୍ୟମକୁ ସାକ୍ଷାତ ଦେଇ ସ୍ନେହା କହିଥିଲେ, “ମୋର ସବୁ ସାର୍ଟିଫିକେଟରେ ଜାତି ଏବଂ ଧର୍ମ ସ୍ତମ୍ଭ ପାଖରେ ‘ନିଲ୍‘ ଲେଖା ଯାଇଥିବ କିମ୍ବା ଖାଲି ଛଡ଼ା ଯାଇଥିବ। ଏପରିକି ଜନ୍ମ ସାର୍ଟିଫିକେଟରେ ମଧ୍ୟ ଏମିତି ରହିଛି। ଏଥିରେ କେବଳ ମୋର ପରିଚୟ ଭାରତୀୟ ଭାବେ ରହିଛି। ହେଲେ ପରବର୍ତ୍ତୀ ସମୟରେ ପ୍ରତ୍ୟେକ ଆବେଦନ ପତ୍ରରେ ଜାତିଗତ ସାର୍ଟିଫିକେଟର କପି ଦେବାର ହେଉଥିଲା। ସେଥିପାଇଁ ସେଲ୍ଫ ଆଫିଡେଭିଟ କରି ‘ଜାତି, ଧର୍ମ ବିହୀନ ସାର୍ଟିଫିକେଟ’ ବାହାର କରିବା ଆବଶ୍ୟକ ପଡ଼ିଲା।”

ଏହି ସାର୍ଟିଫିକେଟ ପାଇଁ ୨୦୧୦ ମସିହାରୁ ସ୍ନେହା ତାଙ୍କ ଅଭିଯାନ ଆରମ୍ଭ କରିଥିଲେ। ହେଲେ ପ୍ରଥମେ ତାଙ୍କ ଆବେଦନକୁ ସମସ୍ତେ ଅଗ୍ରାହ୍ୟ କରି ଦେଉଥିଲେ। ଭାରତୀୟ ଆଇନରେ ଏପରି ସୁବିଧା ନଥିବା କହି ବିଭାଗୀୟ ଅଧିକାରୀମାନେ ତାଙ୍କୁ ଫେରାଇ ଦେଉଥିଲେ। ୨୦୧୭ ଯାଏଁ ସେ ନିଜ ଯୁକ୍ତିରେ ଅଟଳ ରହିଲେ। ସମସ୍ତଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ଯେ, ଏହି ସାର୍ଟିଫିକେଟ ଦ୍ୱାରା ସେ କୌଣସି ସରକାରୀ ସୁବିଧା ବା ସଂରକ୍ଷଣ ଦାବି କରିବେ ନାହିଁ। ଏହାପରେ ତିରୁପତ୍ତୁରର ଉପଜିଲ୍ଲାପାଳ ସ୍ନେହାଙ୍କ ଦାବି ପୂରଣ ପାଇଁ ସବୁଜ ସଙ୍କେତ ଦେଇଥିଲେ।

ସ୍ନେହା ଓ ସ୍ୱାମୀ କେ.ପାର୍ଥିବ ମଧ୍ୟ ତାଙ୍କ ତିନି ଝିଅଙ୍କର ସ୍କୁଲ ଆବେଦନ ପତ୍ରରେ ଧର୍ମ ଏବଂ ଜାତି ସ୍ତମ୍ଭକୁ ଖାଲି ଛାଡ଼ି ଦେଇଛନ୍ତି। 

Tags: #SnehaParthibaraja #NoCastCertificate #Religion #TamilNadu #India

LEAVE A REPLY

Please enter your comment!
Please enter your name here