ପୁଷ୍ପମିତ୍ର ମହାନ୍ତି
ସଂସଦର ଶୀତକାଳୀନ ଅଧିବେଶନରେ ଭାରତରେ ଘଟୁଥିବା ସଡ଼କ ଦୁର୍ଘଟଣା ଉପରେ ମତ ରଖିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତରେ ସଡ଼କ ଦୁର୍ଘଟଣା କମିବା ପରିବର୍ତ୍ତେ ବଢ଼ିଥିବା ସେ ସ୍ଵୀକାର କରିଛନ୍ତି। ପ୍ରଶ୍ନକାଳରେ ଉଠିଥିବା ଏକ ପ୍ରଶ୍ନର ଉତ୍ତର ଦେଇ ସେ ଏହା କହିଛନ୍ତି।
ସଂସଦରେ ଆଲୋଚନା ବେଳେ ଶୁକ୍ରବାର ନିତିନ ଗଡ଼କରୀ ଦେଶରେ ୫୦ ପ୍ରତିଶତ ଦୁର୍ଘଟଣା ହ୍ରାସ କରିବା ପାଇଁ ତାଙ୍କର ଲକ୍ଷ୍ୟ ପୂରଣ ହୋଇନାହିଁ ବୋଲି ସ୍ୱୀକାର କରି ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେ କହିଥିଲେ, “ଯେତେବେଳେ ମୁଁ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେବାକୁ ଯାଇଥାଏ, ଯେଉଁଠାରେ ସଡ଼କ ଦୁର୍ଘଟଣା ଉପରେ ଆଲୋଚନା ହୋଇଥାଏ, ମୁଁ ମୁହଁ ଲୁଚାଇବାକୁ ଚେଷ୍ଟା କରେ’।
ସଡ଼କ ଦୁର୍ଘଟଣାକୁ ନେଇ ଗମ୍ଭୀର ପରିସଂଖ୍ୟାନ
ଭାରତରେ ବାର୍ଷିକ ୧.୭୮ ଲକ୍ଷ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ଘଟୁଛି ବୋଲି ନିତିନ ଗଡ଼କରୀ ପ୍ରକାଶ କରିଛନ୍ତି। ଦୁର୍ଘଟଣାର ଅଧିକାଂଶ ପୀଡ଼ିତ ହେଉଛନ୍ତି ଯୁବକ, ଯେଉଁଥିରେ ୬୦ ପ୍ରତିଶତ ମୃତ୍ୟୁ ୧୮ରୁ ୩୪ ବର୍ଷ ବୟସ ବର୍ଗର ସାମିଲ ଥିବା ଦେଖିବାକୁ ମିଳୁଛି।
ରାଜ୍ୟଗୁଡ଼ିକ ମଧ୍ୟରେ ଉତ୍ତରପ୍ରଦେଶ ଶୀର୍ଷରେ ରହିଛି। ଏଠାରେ ସଡ଼କ ଦୁର୍ଘଟଣାରେ ୨୩,୦୦୦ରୁ ଅଧିକ ଲୋକଙ୍କମୃତ୍ୟୁ ଘଟିଛି, ଯାହା କି ସମୁଦାୟ ମୃତ୍ୟୁର ୧୩.୭ ପ୍ରତିଶତ। ସେହିପରି ତାମିଲନାଡୁରେ ୧୮,୦୦୦ରୁ ଅଧିକ ମୃତ୍ୟୁ ହୋଇଥିବାବେଳେ ମହାରାଷ୍ଟ୍ରରେ ୧୫,୦୦୦ରୁ ଅଧିକ ଏବଂ ମଧ୍ୟପ୍ରଦେଶରେ ୧୩,୦୦୦ରୁ ଅଧିକ ସଡ଼କ ଦୁର୍ଘଟଣା ଜନିତମୃତ୍ୟୁ ଘଟଣାା ଦେଖିବାକୁ ମିଳିଛି।
ସେହିପରି ସହର ଗୁଡ଼ିକ ମଧ୍ୟରେ ଦିଲ୍ଲୀ ବାର୍ଷିକ ୧୪୦୦ରୁ ଅଧିକ ମୃତ୍ୟୁ ସହ ଶୀର୍ଷରେ ରହିଛି। ବେଙ୍ଗାଳୁରୁ ଓ ଜୟପୁରରେ ଯଥାକ୍ରମେ ୯୧୫ ଓ ୮୫୦ ଜଣଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି।
ଦୁର୍ଘଟଣା ସହିତ ମନ୍ତ୍ରୀଙ୍କ ବ୍ୟକ୍ତିଗତ ଅଭିଜ୍ଞତା
ଏହି ଅବସରରେ ନିତିନ ଗଡ଼କରୀ ଏ ପ୍ରସଙ୍ଗରେ ତାଙ୍କ ପରିବାର ସହ ଜଡିତ ଏକ ବଡ଼ ଦୁର୍ଘଟଣା ବିଷୟରେ ବର୍ଣ୍ଣନା କରିଥିଲେ। ସେ କହିଥିଲେ “ଭଗବାନଙ୍କ କୃପାରୁ ମୁଁ ଓ ମୋ ପରିବାର ଏହି ଅଘଟଣରୁ ରକ୍ଷା ପାଇଥିଲୁ। ତେଣୁ ଦୁର୍ଘଟଣାରେ ମୋର ବ୍ୟକ୍ତିଗତ ଅନୁଭୂତି ରହିଛି।”
ସଡ଼କରେ ପାର୍କିଂ ହେଉଥିବା ଟ୍ରକ୍ ଏବଂ ଖରାପ ଲେନ୍ ଶୃଙ୍ଖଳା ଦୁର୍ଘଟଣାର ପ୍ରମୁଖ କାରଣ ବୋଲି ସେ ଦର୍ଶାଇଥିଲେ। ଏହି ସଙ୍କଟର ମୁକାବିଲା ପାଇଁ ଆଚରଣଗତ ପରିବର୍ତ୍ତନ, ସାମାଜିକ ସଂସ୍କାର ଏବଂ ଆଇନର ଶାସନ ପ୍ରତି ସମ୍ମାନ ଉପରେ ମନ୍ତ୍ରୀ ଗଡ଼କରୀ ଗୁରୁତ୍ୱାରୋପ କରିଥିଲେ।
ସୁରକ୍ଷିତ ରାସ୍ତା ଦିଗରେ ପଦକ୍ଷେପ
ସଡ଼କ ସୁରକ୍ଷାରେ ଉନ୍ନତି ଆଣିବା ପାଇଁ ଗଡ଼କରୀ ଭାରତରେ ଅନ୍ତର୍ଜାତୀୟ ମାନଦଣ୍ଡକୁ ବାଧ୍ୟତାମୂଳକ କରିଛନ୍ତି। ଜରୁରୀକାଳୀନ ପରିସ୍ଥିତିରେ ଯାତ୍ରୀମାନେ ଏହାକୁ ଭାଙ୍ଗିବା ପାଇଁ ଝରକା ନିକଟରେ ହାତୁଡ଼ି ରଖିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
ଆଗକୁ ଚ୍ୟାଲେଞ୍ଜ
ଦୁର୍ଘଟଣା ହ୍ରାସ ପାଇଁ ବହୁମୁଖୀ ଆଭିମୁଖ୍ୟର ଆବଶ୍ୟକତା ରହିଛି ବୋଲି ନିତିନ ଗଡ଼କରୀ ଗୁରୁତ୍ୱାରୋପ କରିଛନ୍ତି। ଦୁର୍ଘଟଣା ରୋକିବା ପାଇଁ ଭାରତରେ ମଣିଷର ଆଚରଣରେ ପରିବର୍ତ୍ତନ ଆଣିବାକୁ ପଡ଼ିବ, ସମାଜରେ ପରିବର୍ତ୍ତନ ଆଣିବାକୁ ପଡ଼ିବ ଏବଂ ଆଇନକୁ ସମ୍ମାନ ଦେବାକୁ ପଡ଼ିବ ସେ କହିଛନ୍ତି।
ଗମ୍ଭୀର ପରିସଂଖ୍ୟାନ ସତ୍ତ୍ୱେ ମନ୍ତ୍ରୀ ଗଡ଼କରୀ ସଡ଼କ ସୁରକ୍ଷାରେ ଉନ୍ନତି ଆଣିବା ପାଇଁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି। ସୁରକ୍ଷିତ ରାସ୍ତା ନିର୍ମାଣ ଏବଂ ଜୀବନ ହାନିକୁ ହ୍ରାସ କରିବା ପାଇଁ ନାଗରିକ ଏବଂ ନୀତି ନିର୍ଦ୍ଧାରକମାନେ ମିଳିତ ଭାବରେ କାର୍ଯ୍ୟ କରିବାକୁ ସେ ଅନୁରୋଧ କରିଛନ୍ତି।
Tags: #RoadAccident #NitinGadkari #Highways #Parliament #India