ଓଡ଼ିଶାଲାଇଭ୍ ବ୍ୟୁରୋ

ରାସ୍ତାରେ ଯିବାବେଳେ ଅନେକ ସମୟରେ ଆମେ ମାଇଲ୍ ଖୁଣ୍ଟ ଦେଖିଥାଉ। ଚାଳକକୁ ଅନେକ ତଥ୍ୟ ଦେଇଥାଏ ଏହି ମାଇଲ୍ ଖୁଣ୍ଟ। ବିଶେଷକରି ନିକଟସ୍ଥ ସହର ଆଉ କେତେଦୂର ରହିଲା ତାହାର ସୂଚନା ଏହି ମାଇଲ୍ ଖୁଣ୍ଟରୁ ମିଳିଥାଏ।  ଆପଣ ଅଫିସ ଯିବାବେଳେ ହେଉ କିମ୍ବା ପରିବାର ସହ କୌଣସି ଲମ୍ବା ଯାତ୍ରାରେ ଯିବାବେଳେ ହେଉ, ଏହି ମାଇଲ୍ ଖୁଣ୍ଟ ଖୁବ କାମରେ ଆସିଥାଏ। ତେବେ ଜାଣନ୍ତି, ରାସ୍ତାରେ କେତେ ରଙ୍ଗର ମାଇଲ୍ ଖୁଣ୍ଟ ଥାଏ?

ଏହି ମାଇଲ୍ ଖୁଣ୍ଟର ରଙ୍ଗ ଏବଂ ଡିଜାଇନ ସ୍ଥାନ ଅନୁସାରେ ଅଲଗା ଅଲଗା ହୋଇଥାଏ। ଏହା କେବଳ ରାସ୍ତାର ଦୂରତା ନୁହେଁ, ଆମକୁ ଆହୁରି ଅନେକ ସୂଚନା ଦେଇଥାଏ। ଆସନ୍ତୁ ଜାଣିବା।

ବହୁ ପୂର୍ବରୁ ରହି ଆସିଛି ମାଇଲ୍ ଖୁଣ୍ଟ

ବିଶ୍ଵର ବିଭିନ୍ନ ଦେଶରେ ଅନେକ ବର୍ଷରୁ ରହିଆସୁଛି ଏହି ମାଇଲ୍ ଖୁଣ୍ଟର ବ୍ୟବସ୍ଥା। ଦିନ ଥିଲା, ଆମ ପାଖରେ ସେଲ ଫୋନ ବା ଜିପିଏସ ପରି ଟେକନିକ ନ ଥିଲା, ହେଲେ ଏହି ମାଇଲ୍ ଖୁଣ୍ଟ ଅଜଣା ପଥିକଟିକୁ ରାସ୍ତା ଦେଖାଉଥିଲା। ଏହି ଖୁଣ୍ଟ ଦୂରତା ବତାଇବା ସହ ଆଗକୁ କେଉଁ ସହର ଆସିବ, ତଥା କେଉଁ ରାସ୍ତାରେ ଯାତ୍ରା କରାଯାଉଛି ତା’ର ସୂଚନା ମଧ୍ୟ ଦେଇଥାଏ।    

ମାଇଲ୍ ଖୁଣ୍ଟର ରଙ୍ଗ ଅଲଗା କାହିଁକି ?

ଭାରତରେ ବିଭିନ୍ନ ରଙ୍ଗର ମାଇଲ୍ ଖୁଣ୍ଟ ଦେଖିବାକୁ ମିଳିଥାଏ। ଏମିତି ଭିନ୍ନ ଭିନ୍ନ ରଙ୍ଗ ବିନା ଉଦ୍ଦେଶ୍ୟରେ କରାଯାଇ ନାହିଁ। ଭାରତରେ ମୁଖ୍ୟତଃ ୪ ରଙ୍ଗର ମାଇଲ୍ ଖୁଣ୍ଟ ଦେଖିବାକୁ ମିଳିଥାଏ। ଜାତୀୟ ରାଜପଥ, ରାଜ୍ୟ ରାଜପଥ, ଜିଲ୍ଲା ସଡ଼କ ଓ ପଞ୍ଚାୟତ ସଡ଼କ ପାଇଁ ମାଇଲ୍ ଖୁଣ୍ଟର ଏହି ଚାରି ରଙ୍ଗ ନିର୍ଣ୍ଣୟ କରାଯାଇଥାଏ। 

ହଳଦିଆ ମାଇଲ୍ ଖୁଣ୍ଟ – ଜାତୀୟ ରାଜପଥ

ଯଦି ରାସ୍ତାର ମାଇଲ୍ ଖୁଣ୍ଟ ହଳଦିଆ ରଙ୍ଗର ଅଛି ତେବେ ଜାଣି ନିଅନ୍ତୁ, ଆପଣ ଜାତୀୟ ରାଜପଥରେ ଯାଉଛନ୍ତି। ଏହି ଜାତୀୟ ରାଜପଥ ବିଭିନ୍ନ ରାଜ୍ୟକୁ ସଂଯୋଗ କରିଥାଏ। ତେଣୁ ଭାରୀ ଯାନବାହନ ଚଳାଚଳକୁ ଦୃଷ୍ଟିରେ ରଖି ଏହି ସଡ଼କ ତିଆରି କରାଯାଇଥାଏ।  

ସବୁଜ ମାଇଲ୍ ଖୁଣ୍ଟ – ରାଜ୍ୟ ରାଜପଥ

ସବୁଜ ଏବଂ ଧଳା ରଙ୍ଗର ମାଇଲ୍ ଖୁଣ୍ଟ ରାଜ୍ୟ ରାଜମାର୍ଗକୁ ବୁଝାଇଥାଏ। ରାଜ୍ୟ ସରକାର ଏହି ସଡ଼କର ନିର୍ମାଣ ଏବଂ ମରାମତି ଦାୟିତ୍ୱ ନେଇଥାନ୍ତି। ଏହି ସଡ଼କ ରାଜ୍ୟ ଭିତରେ ବିଭିନ୍ନ ମୁଖ୍ୟ ସହର ଏବଂ ସ୍ଥାନକୁ ସଂଯୋଗ କରିଥାଏ।

ନୀଳ ମାଇଲ୍ ଖୁଣ୍ଟ – ଜିଲ୍ଲା ସଡ଼କ

ନୀଳ ଓ ଧଳା ରଙ୍ଗର ମାଇଲ୍ ଖୁଣ୍ଟର ଅର୍ଥ ଏହା ଜିଲ୍ଲା ସଡ଼କ। ଏହି ସଡ଼କର ରକ୍ଷଣାବେକ୍ଷଣ ଜିଲ୍ଲା ପ୍ରଶାସନ ଦ୍ୱାରା କରାଯାଇଥାଏ। ଏହି ସଡ଼କ ଜିଲ୍ଲା ଭିତର ବିଭିନ୍ନ ସ୍ଥାନକୁ ସଂଯୋଗ କରିଥାଏ।

ନାରଙ୍ଗୀ ମାଇଲ୍ ଖୁଣ୍ଟ – ପଞ୍ଚାୟତ ସଡ଼କ

ନାରଙ୍ଗୀ ଏବଂ ଧଳା ରଙ୍ଗର ମାଇଲ୍ ଖୁଣ୍ଟ ଗ୍ରାମ୍ୟ ସଡ଼କ ବା ପଞ୍ଚୟତ ସଡ଼କକୁ ବୁଝାଇଥାଏ। ଏହି ସଡ଼କ ଗାଁକୁ ନିକଟସ୍ଥ ସହର ଏବଂ ଅନ୍ୟ ମହତ୍ୱପୂର୍ଣ୍ଣ ସଡ଼କ ସହ ସଂଯୋଗ କରିଥାଏ। ଏହାର ରକ୍ଷଣାବେକ୍ଷଣ ପଞ୍ଚାୟତ ପକ୍ଷରୁ କରାଯାଇଥାଏ।

Tags: #MileStone #Roads #Highways #India

LEAVE A REPLY

Please enter your comment!
Please enter your name here