ମିନତି ମିଶ୍ର

ଭାରତରେ ସବୁଠାରୁ ଅଧିକ କୁହଯାଉଥିବା ଭାଷା ହେଉଛି ‘ହିନ୍ଦୀ’। ତେବେ ଆମ ଦେଶରେ ହିନ୍ଦୀ ଭାଷା ଉପରେ ଇଂରାଜୀର ପ୍ରଭୁତ୍ୱ ଦିନକୁ ଦିନ ବଢୁଥିବାବେଳେ ବିଦେଶରେ ଏବେ ହିନ୍ଦୀର ପ୍ରଚଳନ ପାଇଁ ଉଠୁଛି ସ୍ୱର। ଅନେକ ଦେଶର ସଂସଦ ଭବନରେ ହିନ୍ଦୀ ଭାଷାରେ ସରକାରୀ ସୂଚନା ଉପଲବ୍ଧ କରାଇବା ପାଇଁ ଦାବି ଉଠିଛି। ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି ସ୍କଟଲାଣ୍ଡରେ।  

ସ୍କଟଲାଣ୍ଡର ଜଣେ ଭାରତୀୟ ବଂଶୋଦ୍ଭବ ସାଂସଦ ଦେଶରେ ସଂସଦରେ ହିନ୍ଦୀ ଭାଷା ବ୍ୟବହାରକୁ ନେଇ ସ୍ଵର ଉଠାଇଛନ୍ତି। ସାର୍ବଜନୀନ ବାର୍ତ୍ତା ତଥା ସ୍ୱାସ୍ଥ୍ୟ ଅଭିଯାନ ହିନ୍ଦୀ ଭାଷାରେ ଉପଲବ୍ଧ କରାଇବା ପାଇଁ ସେ ଦାବି କରିଛନ୍ତି।

ସ୍କଟଲାଣ୍ଡରେ ପ୍ରବାସୀଙ୍କ ସଂଖ୍ୟା ଦୃଷ୍ଟିରୁ ଦେଖିଲେ ଭାରତୀୟଙ୍କ ସ୍ଥାନ ୨ ନମ୍ବରରେ ରହିଛି। ତେଣୁ ଏଠାରେ ହିନ୍ଦୀ ଭାଷାରେ ସାଧାରଣ ନୋଟିସ ଏବଂ ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା ଦିଆ ଯାଉ ବୋଲି ସେ ଦାବି କରିଛନ୍ତି। ସ୍କଟଲାଣ୍ଡ ସରକାର ମଧ୍ୟ ଖୁବ ଶୀଘ୍ର ଏହା ଉପରେ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସରକାର ଏକଥା ମଧ୍ୟ ସ୍ୱୀକାର କରିଛନ୍ତି ଯେ, “ତାଙ୍କ ଦେଶରେ ବହୁ ସଂଖ୍ୟକ ଭାରତୀୟ ଲୋକ ରହନ୍ତି ଯେଉଁମାନେ ହିନ୍ଦୀକୁ ଭଲ ଭାବେ ବୁଝନ୍ତି ଏବଂ କହନ୍ତି।”

ସ୍କଟଲାଣ୍ଡର ସ୍ୱାସ୍ଥ୍ୟ ଏବଂ ସାମାଜିକ ସୁରକ୍ଷା ପାଇଁ ଥିବା ସାଡୋ କ୍ୟାବିନେଟ ସଚିବ ତଥା ଗ୍ଲାସଗୋ ସହରର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସେବାର ଡାକ୍ତର ସନ୍ଦେଶ ଗୁଲହାନେ ବୁଧବାର ଏଡିନବର୍ଗରେ ସ୍କଟିଶ ସଂସଦରେ କହିଥିଲେ, “ଏହି ଅଞ୍ଚଳରେ ସାର୍ବଜନୀନ ବାର୍ତ୍ତା ବିଭିନ୍ନ ଭାଷାରେ ଦିଆଯାଉଛି। ହେଲେ ଏଥିରେ ହିନ୍ଦୀ ଭାଷାକୁ ସାମିଲ କରାଯାଇ ନାହିଁ। ତେଣୁ ସେ ସ୍କଟଲାଣ୍ଡର ପ୍ରଥମ ଉପମନ୍ତ୍ରୀ କେଟ ଫୋବର୍ସଙ୍କୁ ଏହା ହିନ୍ଦୀକୁ ସ୍ଥାୟୀ ଭାଷା ଭାବେ ସାମିଲ କରିବା ପାଇଁ ଆଗ୍ରହ ପ୍ରକାଶକ କରିଥିଲେ।”

ସେ ଆହୁରି କହିଥିଲେ, “୨୦୨୨ ଜନଗଣନା ଅନୁସାରେ ସ୍କଟଲାଣ୍ଡରେ ଭାରତୀୟମାନେ ଦ୍ଵିତୀୟ ବୃହତ ପ୍ରବାସୀ ସମୂହ ଅଟନ୍ତି। ଭାରତର ସରକାରୀ ଭାଷା ମଧ୍ୟରୁ ହିନ୍ଦୀ ଗୋଟିଏ ଯାହା ବିଶ୍ୱର ତୃତୀୟ ସର୍ବାଧିକ କଥିତ ଭାଷା। ମୁଁ ଦେଖିଛି ଏନଏଚଏସ ସ୍ୱାସ୍ଥ୍ୟ ବୋର୍ଡ ଏବଂ ଅନ୍ୟ ସାର୍ବଜନିକ ସଂସ୍ଥାର ସୂଚନା ଅନେକ ଭାଷାରେ ଉପଲବ୍ଧ ହେଉଛି। କିନ୍ତୁ ଏଥିରେ ହିନ୍ଦୀ ଭାଷା ନାହିଁ। ତେଣୁ ହିନ୍ଦୀ ଭାଷାକୁ ଗୁରୁତ୍ୱ ଦିଆଯାଉ।”

ସ୍କଟଲାଣ୍ଡର ପ୍ରଥମ ଉପମନ୍ତ୍ରୀ କେଟ ଫୋବର୍ସ ଏହାର ଉତ୍ତରରେ କହିଥିଲେ ଯେ ସରକାର ଏହା ଉପରେ ବିଚାର କରିବେ। ହିନ୍ଦୀ ଭାଷୀଙ୍କର ସ୍କଟଲାଣ୍ଡରେ ବହୁତ ବଡ଼ ଯୋଗଦାନ ରହିଛି। ତେଣୁ ସମସ୍ତ ସରକାରୀ ସୂଚନାରେ ସେମାନଙ୍କ ଭାଷାରେ ଉପଲବ୍ଧ ହେବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ସରକାର ଏହା ଉପରେ ବିଚାର ନିଶ୍ଚୟ କରିବେ ବୋଲି ସେ କହିଛନ୍ତି।

Tags: #HindiLanguage #ScotlandParliament #OfficialLanguage #Scotland

LEAVE A REPLY

Please enter your comment!
Please enter your name here