ଓଡ଼ିଶାଲାଇଭ୍ ବ୍ୟୁରୋ

ଶୀତକାଳୀନ କ୍ରୀଡ଼ାରେ ଜାତୀୟ ସ୍ତରରେ ତରକା ଭାବେ ଉଭା ହୋଇଛନ୍ତି ଓଡ଼ିଶାର ‘ସ୍ନୋ ଗାର୍ଲ’ ରଞ୍ଜିତା ବେହେରା। ସେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସ୍କିଂ ପ୍ରତିଯୋଗିତାରେ ପ୍ରଦର୍ଶନ କରି ରାଜ୍ୟକୁ ଗର୍ବିତ କରିଛନ୍ତି। ୨୦୨୫ ମାର୍ଚ୍ଚ ମାସରେ ସର୍ବିୟାର କୋପାଓନିକଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ୟୁରୋ-ବଲକାନ କପ୍ ୱିଣ୍ଟର ଗେମ୍ସରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି ରଞ୍ଜିତା। ରାଜ୍ୟର ଏକମାତ୍ର ଖେଳାଳି ଭାବେ ଏହି ଉପଲବ୍ଧି ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିବାରେ ଲାଗିଛି।

ରଞ୍ଜିତା ବେହେରା ୟୁରୋ-ବଲକାନ ଗେମ୍ସ ପାଇଁ ଏବେ କାଜାକସ୍ତାନରେ ପ୍ରଶିକ୍ଷଣ ନେଉଛନ୍ତି। ଏହି ପ୍ରତିଯୋଗିତା ପାଇଁ ସେ ଅନ୍ତର୍ଜାତୀୟ ସ୍କି ଫେଡେରେସନ ପକ୍ଷରୁ ମନୋନୀତ ହୋଇଛନ୍ତି।

ଏହାପୂର୍ବରୁ ଗତ ସ୍ନୋ ସିଜିନରେ ରଞ୍ଜିତା ବେହେରା ଅଷ୍ଟ୍ରିଆର ସେଣ୍ଟ ମିଚେଲ୍ସଠାରେ ହୋଇଥିବା ଅନ୍ତର୍ଜାତୀୟ ‘ଆଲପାଇନ ସ୍କିଂ’ ପ୍ରତିଯୋଗିତାରେ ଭାରତରୁ ପ୍ରତିନିଧିତ୍ଵ କରିଥିଲେ। ନିଜ ପ୍ରଦର୍ଶନ ପାଇଁ ସେ ଭଲ ପଏଣ୍ଟ ହାସଲ କରିବାରେ ସଫଳ ହୋଇଥିଲି। 

ଏହାପରେ ସେ ୨୦୨୪ ଫେବ୍ରୁଆରି ମାସରେ ଜମ୍ମୁ କଶ୍ମୀରର ଗୁଲମାର୍ଗରେ ହୋଇଥିବା ଖେଲୋ ଇଣ୍ଡିଆ ନାସନାଲ ଓ୍ୱିଣ୍ଟର ଗେମ୍ସରେ ତୃତୀୟ ଥର ପାଇଁ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ଜମ୍ମୁ କଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଭାରତୀୟ ସେନା ତଥା ଆଇଟିବିପିର ଅନେକ ଅଭିଜ୍ଞ ଖେଳାଳିଙ୍କ ସହ ସେ ପ୍ରତିଦ୍ଵନ୍ଦ୍ଵିତା କରିଥିଲେ। ସେ ୨୦୨୫ରେ ହେବାକୁ ଥିବା ଏହି ପ୍ରତିଯୋଗିତାର ପଞ୍ଚମ ସଂସ୍କରଣରେ ମଧ୍ୟ ଭାଗ ନେବାକୁ ଯାଉଛନ୍ତି।

ରଞ୍ଜିତାଙ୍କ ସ୍କିଙ୍ଗ୍‌ କ୍ୟାରିୟର  

ରଞ୍ଜିତା ବେହେରାଙ୍କ ଜନ୍ମ ଓଡ଼ିଶାର ରାଉରକେଲାରେ ହୋଇଥିଲା। କଲେଜ ପାଠପଢ଼ା ପରେ ବରଫ କ୍ରୀଡ଼ା ଓ ପର୍ବତାରୋହଣ‌ ପାଇଁ ତାଙ୍କର ବେଶ୍ ଆଗ୍ରହ ପ୍ରକାଶ ପାଇଥିଲା। ୨୦୧୬ରେ ସେ ବିଜୁ ପଟ୍ଟନାୟକ ହିମାଳୟନ ଯାତ୍ରା ଅନ୍ତର୍ଗତ ଉତ୍ତରାଖଣ୍ଡର ମାଉଣ୍ଟ ରୁଦୁଗଇରାକୁ ସଫଳତା ସହ ଆରୋହଣ କରିଥିଲେ। 

୨୦୨୧ ଖେଲୋ ଇଣ୍ଡିଆ ଓ୍ୱିଣ୍ଟର ଗେମ୍ସ ଥିଲା ରଞ୍ଜିତାଙ୍କ ପ୍ରଥମ ଜାତୀୟ ପ୍ରତିଯୋଗିତା। ଏହାପରେ ସେହିବର୍ଷ ସେ ଜାତୀୟ ସ୍କିଙ୍ଗ୍‌ ଓ ସ୍ନୋ ବୋର୍ଡିଂ ଚାମ୍ପିୟନସିପରେ ଅଂଶଗ୍ରହଣ କରିଥିଲେ। ଏହା ମଧ୍ୟରେ ରଞ୍ଜିତା କିଛି ଅନ୍ତର୍ଜାତୀୟସ୍ତରର ପ୍ରତିଯୋଗିତାରେ ମଧ୍ୟ ଅଂଶଗ୍ରହଣ କରି ରାଜ୍ୟ ପାଇଁ ଆଣିଛନ୍ତି ଗୌରବ।  

ଭାରତର ପ୍ରମୁଖ ପର୍ବତାରୋହଣ ଓ ସ୍ନୋ ସ୍କିଙ୍ଗ୍‌ ଇନଷ୍ଟିଚ୍ୟୁଟରେ ତାଲିମ ନେଇଛନ୍ତି ରଞ୍ଜିତା। ନିଜ ବାପା, ମା’ ଓ ପରିବାର ସମର୍ଥନ ଯୋଗୁଁ ସେ ଆଜି ଏହି ସ୍ଥାନରେ ପହଞ୍ଚିଛନ୍ତି ବୋଲି ରଞ୍ଜିତା କହିଛନ୍ତି।

Tags: #RanjitaBehera #TheSnowSkier #SnowGirlofOdisha #EuroBalkanCup2025 #Serbia #WinterGames #India

Comment