ଓଡ଼ିଶାଲାଇଭ୍ ବ୍ୟୁରୋ
ଭରଣପୋଷଣକୁ ସ୍ଵାମୀଙ୍କ ବିରୋଧରେ ଅସ୍ତ୍ର ଭାବେ ବ୍ୟବହାର କରାଯାଇପାରିବ ନାହିଁ।
ଛାଡ଼ପତ୍ର ମାମଲାରେ ସ୍ଵାମୀଙ୍କ ସମ୍ପତ୍ତିକୁ ଦେଖି ଭରଣପୋଷଣ ଅର୍ଥ ସ୍ଥିର କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଭରଣପୋଷଣକୁ ସ୍ଵାମୀଙ୍କ ବିରୋଧରେ ଅସ୍ତ୍ର ଭାବେ ବ୍ୟବହାର କରି ପାରିବେ ନାହିଁ। ଅଲଗା ହେବା ପରେ ସ୍ୱାମୀଙ୍କ ଆର୍ଥିକ ଅଗ୍ରଗତି ଅଧିକ ଭରଣପୋଷଣ ରାଶି ନିର୍ଦ୍ଧାରଣ କରିହେବନି ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ବି.ଭି.ନାଗରତ୍ନା ଏବଂ ଜଷ୍ଟିସ୍ ପଙ୍କଜ ମିଥାଲିଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏକ ମାମଲରେ ଶୁଣାଣି କରି ଏହି ରାୟ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, “ସ୍ୱାମୀ ସାରା ଜୀବନ ନିଜର ବର୍ତ୍ତମାନର ସ୍ଥିତି ଅନୁଯାୟୀ ଭରଣପୋଷଣ କରିବେ ବୋଲି ଆଶା କରାଯାଇ ପାରିବ ନାହିଁ। ଏଭଳି ଦାବି ସ୍ୱାମୀଙ୍କ ବ୍ୟକ୍ତିଗତ ପ୍ରଗତି ଉପରେ ଅନ୍ୟାୟ ଭାବେ ବୋଝ ପକାଇପାରେ।”
ପୁଣେର ଜଣେ ଦମ୍ପତିଙ୍କ ବିବାହ ବିଚ୍ଛେଦ ମାମଲାର ଶୁଣାଣି ସମୟରେ ଏହି ରାୟ ଆସିଛି। ଏକ ମାସ ମଧ୍ୟରେ ସମସ୍ତ ଦାବିର ସମାଧାନ କରି ପତ୍ନୀଙ୍କୁ ସ୍ଥାୟୀ ଭରଣପୋଷଣ ବାବଦରେ ୧୨ କୋଟି ଟଙ୍କା ଦେବାକୁ ସ୍ୱାମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଭରଣପୋଷଣ ଏବଂ ଆଇନର ଅପବ୍ୟବହାର
କଠୋର ଆଇନଗତ ବ୍ୟବସ୍ଥା ମହିଳାଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ କିନ୍ତୁ ଏହାର ଅପବ୍ୟବହାର କରାଯିବା କଥା ନୁହେଁ ବୋଲି କୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ବୈବାହିକ ବିବାଦରେ ଅପରାଧିକ ଅଭିଯୋଗକୁ ଉପଯୋଗ ନ କରିବାକୁ ଚେତାବନୀ ଦିଆଯାଇଛି, ଯାହା ଛୋଟ ଛୋଟ ପ୍ରସଙ୍ଗକୁ ସାର୍ବଜନୀନ ଲଢ଼େଇରେ ପରିଣତ କରିପାରେ।
ଖଣ୍ଡପୀଠ କହିଛନ୍ତି, “ମହିଳାମାନେ ସଚେତନ ରହିବା ଦରକାର ଯେ ଏହି ଆଇନଗୁଡ଼ିକ ସେମାନଙ୍କ କଲ୍ୟାଣ ପାଇଁ, ସ୍ୱାମୀଙ୍କୁ ଦଣ୍ଡ ଦେବା, ଧମକ ଦେବା କିମ୍ବା ଅର୍ଥ ଆଦାୟ କରିବାର ଉପକରଣ ନୁହେଁ।”
ଏଭଳି ମାମଲାରେ ପୋଲିସ ଓ ନିମ୍ନ ଅଦାଲତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ନେଇ ସର୍ବୋଚ୍ଚ ଅଦାଲତ ଚିନ୍ତା ପ୍ରକଟ କରିଛନ୍ତି। ଶୀଘ୍ର ଗିରଫ ଏବଂ ଜାମିନ ଦେବାକୁ ଅନିଚ୍ଛା ଅନେକ ସମୟରେ ବୃଦ୍ଧ ସମ୍ପର୍କୀୟଙ୍କ ସମେତ ସ୍ୱାମୀଙ୍କ ପରିବାର ପାଇଁ ଅପୂରଣୀୟ କ୍ଷତି କରିଥାଏ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ସମ୍ପତ୍ତି ସମାନତା ଏକ ଅଧିକାର ନୁହେଁ
ଏହି ମାମଲାରେ ପତ୍ନୀ ତାଙ୍କ ସ୍ୱାମୀଙ୍କ ସମ୍ପତ୍ତିରୁ ୫ ହଜାର କୋଟି ଟଙ୍କା ବୋଲି ଦାବି କରିବା ସହ ତାଙ୍କ ଆର୍ଥିକ ସ୍ଥିତି ଦର୍ଶାଇ ଭରଣପୋଷଣ ଦାବି କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ଅଲଗା ହେବା ପରେ ସେ ତାଙ୍କ ପ୍ରଥମ ପତ୍ନୀଙ୍କୁ ୫୦୦ କୋଟି ଟଙ୍କା ଦେଇଥିଲେ।
ଶୁଣାଣି ସମୟରେ ଭରଣପୋଷଣ ମାଧ୍ୟମରେ ସମ୍ପତ୍ତି ସମାନୀକରଣର ବିଚାରକୁ ଅଦାଲତ ପ୍ରତ୍ୟାଖ୍ୟାନ କରିଥିଲେ। ଯଦି ସ୍ଵାମୀ ଅଲଗା ହେବା ପରେ ଦରିଦ୍ର ହୋଇଯାଆନ୍ତି, ତା’ହେଲେ ପତ୍ନୀ କ’ଣ ସମାନତା ଚାହିଁବେ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ।
ସୁପ୍ରିମକୋର୍ଟ ଖଣ୍ଡପୀଠ ଦୋହରାଇଛନ୍ତି ଯେ ଭରଣପୋଷଣ ନିଷ୍ପତ୍ତି ବିଭିନ୍ନ କାରଣ ଉପରେ ନିର୍ଭର କରେ ଏବଂ ଏହି ଉାଦ୍ଦଶ୍ୟରେ ଏକ କଠୋର ଫର୍ମୁଲା ଅନୁସରଣ କରିପାରିବ ନାହିଁ। ଏଥିରେ ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ କ୍ଷତି ପହଞ୍ଚାଉଥିବା ଦୀର୍ଘ ଦିନ ଧରି ଚାଲିଥିବା ଆଇନଗତ ଲଢ଼େଇକୁ ଏଡ଼ାଇବା ସହ ବିବାଦକୁ ଆପୋଷ ଭାବରେ ସମାଧାନ କରିବାକୁ ଦମ୍ପତିଙ୍କୁ ଅନୁରୋଧ କରାଯାଇଛି।
Tags: #DivorceCase #Alimony #PropertyRights #Supremecourt #India