ଓଡ଼ିଶାଲାଇଭ୍ ବ୍ୟୁରୋ
ଜୀବନ ଯୁଦ୍ଧରେ ହାରିଗଲା ବୋରୱେଲ ଭିତରେ ଫସି ରହିଥିବା ୩ ବର୍ଷର କୁନି ଝିଅ ଚେତନା। ୨୨୦ ଘଣ୍ଟାର ପ୍ରୟାସ ପରେ ମଧ୍ୟ ଚେତନାକୁ ବଞ୍ଚାଇବା ସମ୍ଭବ ହୋଇପାରିଲା ନାହିଁ।
ଦୀର୍ଘ ୧୦ ଦିନର ଅପରେସନ ପରେ ବୋରୱେଲ ଭିତରୁ ଚେତନାକୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ଚେତନାକୁ ମୃତ ଘୋଷଣା କରିଥିଲେ।
ଗତ ୨୦୨୪ ଡିସେମ୍ବର ୨୩ ତାରିଖ ଦ୍ୱି’ ପ୍ରହର ୨ଟା ସମୟ। ରାଜସ୍ଥାନର କୋଟପୁଟଲିର ବାଡ଼ିଆଲି ଗାଁର ୩ ବର୍ଷର କୁନି ଝିଅ ଚେତନା ଖେଳୁ ଖେଳୁ ୭୦୦ ଫୁଟ ଗଭୀର ବୋରୱେଲ ଭିତରେ ପଡ଼ି ଯାଇଥିଲା। ସେ ବୋରୱେଲର ୧୫୦ ଫୁଟ ଭିତରେ ଅଟକି ରହିଥିଲା।
ଚେତନା ପଡ଼ିବା ପରେ ପରେ ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ। ପରେ ଜିଲ୍ଲା ପ୍ରଶାସନ, ଏସଡିଆରଏଫ ଓ ଏନଡିଆରଏଫ ଟିମ ଚେତନାକୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଚେତନାକୁ ସୁରକ୍ଷିତ ଭାବେ ଆଣିବାକୁ ଦିନ ରାତି ଏକ କରିଦେଇଥିଲେ ଉଦ୍ଧାରକାରୀ ଦଳ।
ଦୀର୍ଘ ୨୨୦ ଘଣ୍ଟାର ଅପରେସନ ପରେ ଚେତନାକୁ ବୋରୱେଲ ଭିତରୁ ଉଦ୍ଧାର କରାଯାଇଥିଲା। ବଞ୍ଚାଇବାକୁ ବହୁତ ପ୍ରୟାସ କରାଯାଇଥିଲେ ମଧ୍ୟ ଜୀବନ ଯୁଦ୍ଧରେ ହାରିଗଲା ଚେତନା।
ଚେତନାର ମୃତ୍ୟୁ ଖବର ପରେ ବାପା ମା’ଙ୍କ ଆଖିରୁ ଲୁହ ଶୁଖୁନି। କାନ୍ଦବୋବାଳିରେ ଫାଟି ପଡ଼ୁଛି ଗାଁ ମାଟି।
Tags: #BorewellMishap #Death #Chetna #Rajasthan #India