ଓଡ଼ିଶାଲାଇଭ୍ ବ୍ୟୁରୋ

  • ଓଡ଼ିଶାରେ ଜାରି ରହିଛି ଶୀତ ଲହରୀ
  • ଶୁକ୍ରବାର ସକାଳେ ୧୦ ଡିଗ୍ରୀ ତଳେ ୮ ସହର
  • ଜି ଉଦୟଗିରିରେ ୪.୮ ଡିଗ୍ରୀ ସହ ସର୍ବନିମ୍ନ ତାପମାତ୍ରା

ଶୀତରେ ଥରୁଛି ଓଡ଼ିଶା। ରାଜ୍ୟର ଅଧିକାଂଶ ଅଞ୍ଚଳରେ ତାପମାତ୍ରା କମି ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଶୁକ୍ରବାର ସକାଳେ ୮ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଆହୁରି ୨ ଦିନ ରାଜ୍ୟରେ ଶୀତ ଜାରି ରହିବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଗତ ୨୪ ଘଣ୍ଟାରେ ଜି ଉଦୟଗିରିରେ ୪.୮ ଡିଗ୍ରୀ ସହ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି କୋରାପୁଟ ଜିଲ୍ଲାର ସେମେଳିଗୁଡ଼ାରେ ୬.୫ ଡିଗ୍ରୀ, ରାଉରକେଲାରେ ୭.୨ ଡିଗ୍ରୀ, ଫୁଲବାଣୀରେ ୭.୫ ଡିଗ୍ରୀ, ଝାରସୁଗୁଡ଼ାରେ ୭.୮ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୮.୫ ଡିଗ୍ରୀ, ସମ୍ବଲପୁରର ଚିପିଲିମାରେ ୯.୩ ଓ ସୁନ୍ଦରଗଡ଼ ଜିଲ୍ଲାର କିରେଇରେ ୯.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଓଡ଼ିଶାକୁ ଏବେ ଉତ୍ତର ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହ ଜାରି ରହିଛି। ଏହା ପ୍ରଭାବରେ ତାପମାତ୍ରା କମି ଅଧିକ ଥଣ୍ଡା ଅନୁଭୂତ ହେଉଛି।    

ଅନ୍ୟପଟେ ଶନିବାର ସକାଳେ ଘନ କୁହୁଡ଼ି ପାଇଁ କୋରାପୁଟ, କନ୍ଧମାଳ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହାସହ ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ଗଜପତି, ଗଞ୍ଜାମ, ନୟାଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି।

ଜାନୁଆରି ମାସର ପ୍ରଥମ ସପ୍ତାହରେ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ଶୀତର ପ୍ରକୋପ ବଢ଼ିବା ସହ ଘନ କୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି। ବିଶେଷ କରି ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଅଧିକ ଥଣ୍ଡା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Tags: #Weather #Winter #MCBBSR #IMD #Odisha

LEAVE A REPLY

Please enter your comment!
Please enter your name here