ଓଡ଼ିଶାଲାଇଭ୍ ବ୍ୟୁରୋ

ଚୀନରେ ହ୍ୟୁମାନ ମେଟାନ୍ୟୁମୋ ଭାଇରସ୍ (ଏଚ୍ଏମପିଭି) ସଂକ୍ରମଣ ଯୋଗୁଁ ଅନେକ ଲୋକଙ୍କଠାରେ ଶ୍ୱାସକ୍ରିୟା ଜନିତ ରୋଗର ମାମଲା ସାମ୍ନାକୁ ଆସୁଛି। ଏଥିରେ କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି। ଏହି ଭାଇରସ୍ ଏବେ ସମଗ୍ର ବିଶ୍ୱରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଭାରତରେ ମଧ୍ୟ ଏଚ୍ଏମପିଭି ମାମଲା ଚିହ୍ନଟ ହୋଇଛି। ବେଙ୍ଗାଳୁରୁରେ ୨ ଜଣ ଶିଶୁଙ୍କ ଶରୀରରେ ଏହି ଭାଇରସର ଲକ୍ଷଣ ସାମ୍ନାକୁ ଆସିଛି। ଏହାପରେ ଭାରତର ବିଭିନ୍ନ ରାଜ୍ୟରେ ଏନେଇ ସ୍ୱାସ୍ଥ୍ୟ ସଚେତନତା ଜାରି କରାଯାଇଛି।   

୨୦୦୧ ମସିହାରେ ପ୍ରଥମେ ଏଚ୍ଏମପିଭି ଭାଇରସ୍ ଚିହ୍ନଟ ହୋଇଥିଲା। ଏହି ଭୂତାଣୁର ଫ୍ଲୁ ଏବଂ କୋଭିଡ୍-୧୯ ସହିତ ସାମଞ୍ଜସ୍ୟ ରହିଛି। ଏହାଦ୍ଵାରା ବ୍ୟକ୍ତିଙ୍କଠାରେ ଶ୍ୱାସକ୍ରିୟା ସଂକ୍ରମଣ ସୃଷ୍ଟି କରିଥାଏ। ଏହା ମୁଖ୍ୟତଃ ଯୁବକ, ବୟସ୍କ ଏବଂ ରୋଗ ପ୍ରତିରୋଧକ ଶକ୍ତି କମ ଥିବା ବ୍ୟକ୍ତିଙ୍କୁ ପ୍ରଭାବିତ କରିଥାଏ।

ଏହି ନୂତନ ରୋଗକୁ ନେଇ ସୃଷ୍ଟ ଆତଙ୍କକୁ ରୋକିବା ଏବଂ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ଦେଶର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ପରାମର୍ଶ ଜାରି କରୁଛନ୍ତି। ତେବେ ଚୀନ ଏଚଏମପିଭି ସଂକ୍ରମଣକୁ ଏକ ‘ଶୀତକାଳୀନ ଘଟଣା’ ବୋଲି କହୁଛି। ଅନ୍ୟପକ୍ଷରେ ଭାରତ ଦେଶବାସୀଙ୍କୁ ଏଥି‌ନେଇ ‘ଆତଙ୍କିତ’ ନହେବାକୁ ପରାମର୍ଶ ଦେଇଛି।

ଚୀନ୍‌ରେ କୋଭିଡ୍-୧୯ ମହାମାରୀ ଭଳି ଦୃଶ୍ୟ

ଚୀନ୍‌ର ବିଭିନ୍ନ ସହରର ଡାକ୍ତରଖାନାରେ ମାସ୍କ ପିନ୍ଧିଥିବା ଲୋକଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ଯାହା କୋଭିଡ୍-୧୯ ମହାମାରୀର ପ୍ରାରମ୍ଭିକ ଦିନର ସ୍ମୃତିକୁ ମନେ ପକାଇ ଦେଉଛି। ସ୍ଥାନୀୟ ରିପୋର୍ଟରୁ ଜଣାପଡିଛି ଯେ ଏଚଏମପିଭିର ପ୍ରକୋପ ଯୋଗୁଁ ସତର୍କତା ବୃଦ୍ଧି ପାଇଛି। ତେବେ ଚୀନ୍‌ର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଗୁରୁତ୍ୱାରୋପ କରିଛନ୍ତି ଯେ ପରିସ୍ଥିତି ସେତେଟା ଗମ୍ଭୀର ନୁହେଁ। 

ଚୀନ୍ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ମାଓ ନିଙ୍ଗ୍ ନାଗରିକ ଓ ପର୍ଯ୍ୟଟକମାନଙ୍କୁ ଆଶ୍ୱାସନା ଦେଇ କହିଛନ୍ତି, “ଶୀତ ଋତୁରେ ଶ୍ୱାସକ୍ରିୟା ସଂକ୍ରମଣ ଅଧିକ ହୋଇଥାଏ। ନିଜର ନାଗରିକ ଏବଂ ବିଦେଶୀ ପର୍ଯ୍ୟଟକଙ୍କ ସ୍ୱାସ୍ଥ୍ୟ ପ୍ରତି ଚୀନ ସରକାର ଯତ୍ନବାନ। ଚାଇନାରେ ଯାତ୍ରା କରିବା ନିରାପଦ।”

ଭାରତରେ ବିଶେଷଜ୍ଞଙ୍କ ମତାମତ ଏବଂ ସରକାରୀ ବିବୃତ୍ତି

ଭାରତର ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ (ଡିଜିଏଚଏସ)ର ଜଣେ ଅଧିକାରୀ ଡାକ୍ତର ଅତୁଲ ଗୋଏଲ ଲୋକଙ୍କୁ ଏଚ୍ଏମପିଭିକୁ ନେଇ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି। ମେଟାନ୍ୟୁମୋ ଭାଇରସ୍

ଅନ୍ୟ କୌଣସି ଶ୍ୱାସକ୍ରିୟା ଭୂତାଣୁ ପରି ସାଧାରଣ ଥଣ୍ଡା ସୃଷ୍ଟି କରିଥାଏ। ଅତ୍ୟନ୍ତ ବୟସ୍କ ଓ ଅତି କମ୍ ବୟସର ବ୍ୟକ୍ତିଙ୍କ ଠାରେ ଏହା ଫ୍ଲୁ ଭଳି ଲକ୍ଷଣ ସୃଷ୍ଟି କରିପାରେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଡିସେମ୍ବର ୨୦୨୪ରେ ଭାରତରେ ଶ୍ୱାସକ୍ରିୟା ପ୍ରକୋପ ସମ୍ପର୍କିତ ତଥ୍ୟରେ କୌଣସି ଉଲ୍ଲେଖନୀୟ ବୃଦ୍ଧି ଘଟିନାହିଁ। ଆମର କୌଣସି ସ୍ୱାସ୍ଥ୍ୟ ଅନୁଷ୍ଠାନରୁ ଏଚଏମପିଭି ମାମଲାର କୌଣସି ବଡ଼ ଧରଣର ରିପୋର୍ଟ ଆସିନାହିଁ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନୀରବ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଏପର୍ଯ୍ୟନ୍ତ ଏହି ଏଚ୍ଏମପିଭି ସଂକ୍ରମଣକୁ ନେଇ କୌଣସି ବିବୃତ୍ତି ଜାରି କରିନାହିଁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଏହାକୁ କୌଣସି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇନାହିଁ।

ଆମେରିକାର ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର (ସିଡିସି) ଅନୁଯାୟୀ, ଏଚଏମପିଭି ହେଉଛି ଏକ ଶ୍ୱାସକ୍ରିୟା ଭୂତାଣୁ ଯାହା ଉଭୟ ଉପର ଏବଂ ତଳ ଶ୍ୱାସକ୍ରିୟା ସଂକ୍ରମଣ ସୃଷ୍ଟି କରେ। ଯଦିଓ ଏହା ସମସ୍ତ ବୟସ ବର୍ଗର ବ୍ୟକ୍ତିଙ୍କୁ ପ୍ରଭାବିତ କରିଥାଏ, ଛୋଟ ପିଲା, ବୟସ୍କ ଏବଂ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକମାନେ ଅଧିକ ଅସୁରକ୍ଷିତ ଅଟନ୍ତି। କାଶ, ଜ୍ୱର, ନାକ ବନ୍ଦ ହେବା ଏବଂ ନିଶ୍ୱାସ ନେବାରେ ଅସୁବିଧା ହେବା ଏହାର ଲକ୍ଷଣ। ଗମ୍ଭୀର କ୍ଷେତ୍ରରେ ବ୍ରୋଙ୍କାଇଟିସ୍ କିମ୍ବା ନିମୋନିଆ ଭଳି ଜଟିଳତା ଦେଖା ଦେଇପାରେ। 

ଭାରତରେ ପ୍ରଥମ ଏଚଏମପିଭି ମାମଲା ଚିହ୍ନଟ ପରେ ସତର୍କତା

ଭାରତର ବେଙ୍ଗାଳୁରୁ ସହରରେ ଏକ ୮ ମାସର ଶିଶୁ ଏଚଏମପିଭି ଭୂତାଣୁରେ ଆକ୍ରାନ୍ତ ହୋଇଥିବା ପ୍ରଥମେ ଚିହ୍ନଟ ହୋଇଥିଲା। କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ ଘରୋଇ ହସ୍ପିଟାଲର ରିପୋର୍ଟ ଉପରେ ବିଶ୍ୱାସ କରି ଏହି ମାମଲାକୁ ନିଶ୍ଚିତ କରିଛି। ଏହି ବିକାଶ ଅନ୍ୟ ରାଜ୍ୟଗୁଡ଼ିକୁ ଏନେଇ ପରାମର୍ଶ ଜାରି କରିବା ଏବଂ ପ୍ରସ୍ତୁତି ବଢ଼ାଇବାକୁ ପରାମର୍ଶ ଦିଆଯାଇଛି।

ଏଚଏମପିଭି କାରଣରୁ ସଂକ୍ରମଣର ଲକ୍ଷଣ କୋଭିଡ -୧୯ ସହିତ ଆଶ୍ଚର୍ଯ୍ୟଜନକ ସାମଞ୍ଜସ୍ୟ ରଖିଛି। ଏଚଏମପିଭି ଭୟକୁ ଦୃଷ୍ଟିରେ ରଖି ବିଭିନ୍ନ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ଗାଇଡଲାଇନ୍‌ ଜାରି କରାଯାଇଛି।

ଏବେ ଶୀତ ଦିନରେ ସିଭିୟର ଆକ୍ୟୁଟ ରେସ୍ପିରେଟୋରୀ ଇନଫେକ୍ସନ (ଏସଏଆରଆଇ) ଏବଂ ଇନଫ୍ଲୁଏଞ୍ଜା ଭଳି ରୋଗ (ଆଇଏଲଆଇ) ଭାରତରେ ଅଧିକ ଦେଖିବାକୁ ମିଳୁଛି। ଏହିକ୍ରମରେ ମହାରାଷ୍ଟ୍ରର ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଡାକ୍ତର ନିତିନ ଆମ୍ବାଡେକର ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ଏହି ଭୂତାଣୁକୁ ନେଇ ତଦାରଖକୁ ତ୍ୱରାନ୍ୱିତ କରିବା ତଥା ଏସଆରଆଇ ଏବଂ ଆଇଏଲଆଇ ମାମଲାର ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ନାଗରିକମାନେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ଆବଶ୍ୟକ ସତର୍କତା ଅବଲମ୍ବନ କରାଯାଉଛି ବୋଲି ଡ. ଆମ୍ବାଡେକର କହିଛନ୍ତି। ମହାରାଷ୍ଟ୍ରରେ ଏଚଏମପିଭିର କୌଣସି ମାମଲା ସାମ୍ନାକୁ ଆସିନାହିଁ ବୋଲି ସେ ଦୋହରାଇଛନ୍ତି।

ଋତୁକାଳୀନ ଧାରା ଏବଂ ପରାମର୍ଶ

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଶୀତ ଋତୁରେ ଚୀନରେ ଶ୍ୱାସକ୍ରିୟା ଜନିତ ରୋଗ ବୃଦ୍ଧି ଅସ୍ୱାଭାବିକ ନୁହେଁ। ରି ଏଥିପାଇଁ ଦାୟୀ ପ୍ରାଥମିକ ଜୀବାଣୁ ହେଉଛି ଇନଫ୍ଲୁଏଞ୍ଜା, ରେସ୍ପିରେଟୋରି ସିଙ୍କିଟିଆଲ ଭାଇରସ (ଆରଏସଭି) ଏବଂ ଏଚଏମପିଭି। ଏହା ସାଧାରଣ ଅଟେ। 

ଗୁଜରାଟର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଜାରି ଏକ ଆଡଭାଇଜରୀରେ କୁହାଯାଇଛି ଯେ ଏଚଏମପିଭି ଆରଏସଭି ଏବଂ ଫ୍ଲୁ ପରି ଏକ ଋତୁକାଳୀନ ରୋଗ। ଏହି ଭୂତାଣୁ ମୁଖ୍ୟତଃ ଉପର ଶ୍ୱାସନଳୀକୁ ପ୍ରଭାବିତ କରିଥାଏ ଏବଂ ସାଧାରଣତଃ ଶୀତଦିନେ ଦେଖାଯାଏ। ଏଥିପାଇଁ ନାଗରିକମାନଙ୍କୁ ପ୍ରତିଷେଧକ ବ୍ୟବସ୍ଥା ପାଳନ କରିବାକୁ ପରାମର୍ଶ ଦିଆଯାଇଛି।

Tags: #HMPV #Virus #Flu #Helath #China #India

LEAVE A REPLY

Please enter your comment!
Please enter your name here