ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ମହାକାଶ ଗବେଷଣା ସଂସ୍ଥାର (ଇସ୍ରୋ) ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ଡକ୍ଟର ଭି. ନାରାୟଣନ। ସେ ଜାନୁଆରି ୧୪ ତାରିଖରେ ଦାୟିତ୍ଵ ଗ୍ରହଣ କରିବେ। ଏନେଇ କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ନିଯୁକ୍ତି କମିଟି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଡକ୍ଟର ଭି. ନାରାୟଣନ ଏବେ ଇସ୍ରୋର ଲିକ୍ୱିଡ୍ ପ୍ରୋପଲସନ୍ ସିଷ୍ଟମ୍ ସେଣ୍ଟର (ଏଲ୍ ପିଏସ୍ ସି)ର ନିର୍ଦ୍ଦେଶକ ରହିଛନ୍ତି। ସେ ଇସ୍ରୋର ଅଧ୍ୟକ୍ଷ ଭାବେ ଡକ୍ଟର ଏସ୍ ସୋମନାଥଙ୍କ ସ୍ଥାନ ନେବେ। ଆସନ୍ତା ୨ ବର୍ଷ ପର୍ଯ୍ୟନ୍ତ ଇସ୍ରୋର ଅଧ୍ୟକ୍ଷ ଦାୟିତ୍ଵରେ ରହିବେ ଡକ୍ଟର ଭି. ନାରାୟଣନ।

“ଇସ୍ରୋରେ ଅନେକ ମହାନ ପ୍ରତିଭା ରହିଛନ୍ତି। ସମସ୍ତଙ୍କୁ ସାଙ୍ଗରେ ନେଇ ଆମେ କାମ କରିବୁ। ଇସ୍ରୋକୁ ଅଧିକ ଉଚ୍ଚତାରେ ପହଞ୍ଚାଇବା ମୋର ଲକ୍ଷ୍ୟ ରହିବ”, କହିଛନ୍ତି ଡକ୍ଟର ଭି. ନାରାୟଣନ।

ଡକ୍ଟର ଭି. ନାରାୟଣନ ଆଇଆଇଟି ଖଡ଼ଗପୁରରୁ କ୍ରାୟୋଜେନିକ ଇଞ୍ଜିନିୟରିଂରେ ଏମ୍‌ଟେକ୍ ଏବଂ ଏରୋସ୍ପେସ୍ ଇଞ୍ଜିନିୟରିଂରେ ପିଏଚ୍‌ଡି କରିଛନ୍ତି। ଏମଟେକ୍ ପ୍ରୋଗ୍ରାମରେ ସେ ପ୍ରଥମ ସ୍ଥାନ ହାସଲ କରିଥିଲେ। ଭାରତୀୟ ମହାକାଶ କାର୍ଯ୍ୟକ୍ରମରେ ପ୍ରାୟ ଚାରି ଦଶନ୍ଧିର ଅଭିଜ୍ଞତା ସହିତ ଡକ୍ଟର ଭି. ନାରାୟଣନ ଇସ୍ରୋର ବିଭିନ୍ନ ମିଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

Tags: #DrVNarayanan #Chairman #ISRO #Space #India

LEAVE A REPLY

Please enter your comment!
Please enter your name here