ଓଡ଼ିଶାଲାଇଭ୍ ବ୍ୟୁରୋ

ଆସାମର ଏକ ପୋଲିସ ଟିମ୍ ଗୁଗଲ୍ ମ୍ୟାପ ଯୋଗୁଁ ବଡ଼ଧରଣ ସମସ୍ୟାର ସମ୍ମୁଖୀନ ହୋଇଛି। ଆସାମର ଜୋରହାଟରୁ ଆସିଥିବା ୧୬ ଜଣିଆ ପୋଲିସ ଟିମ୍ ଗୁଗଲ ମ୍ୟାପର ଜିପିଏସ୍ ତ୍ରୁଟି ଯୋଗୁଁ ବିପଜ୍ଜନକ ସ୍ଥିତିରେ ପଡ଼ିଥିଲେ। ମଙ୍ଗଳବାର ରାତିରେ ଜଣେ ୱାଣ୍ଟେଡ ଅପରାଧୀକୁ ଧରିବା ପାଇଁ ମିଶନରେ ଥିବା ଏହି ଅଧିକାରୀମାନେ ହଠାତ୍ ନାଗାଲାଣ୍ଡ ରାଜ୍ୟର ମୋକୋକଚୁଙ୍ଗ ଜିଲ୍ଲାରେ ପ୍ରବେଶ କରିବା ପରେ ଏହି ନାଟକୀୟ ଘଟଣା ଘଟିଥିଲା।
ଏହ ପୋଲିସ୍ ଟିମ ଅଭିଯୁକ୍ତକୁ ଧରିବା ପାଇଁ ଜିପିଏସ୍ ଟ୍ରାକିଂ କରୁଥିଲା। ଅଭିଯୁକ୍ତ ଜଣଙ୍କ ଆସାମର ଏକ ଚା’ ବଗିଚାରେ ଲୁଚି ଥିବା ଜିପିଏସରେ ଦେଖାଯାଉଥିଲା। ତେବେ ପ୍ରକୃତରେ ସେହି ସ୍ଥାନଟି ନାଗାଲାଣ୍ଡରେ ଥିଲା। ପୁଲିସ ଟିମ୍କୁ ଅଜାଣତରେ ସୀମା ପାର ହେବାକୁ ପଡ଼ିଥିଲା।
ସାଦା ପୋଷାକ ପିନ୍ଧିଥିବା ପୋଲିସ କର୍ମୀ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ନେଇ ଯାଉଥିବା ଦେଖି ସ୍ଥାନୀୟ ଲୋକେ ସେମାନଙ୍କୁ ଅପରାଧୀ ବୋଲି ଅନୁମାନ କରିଥିଲେ। କ୍ରମେ ଉତ୍ତେଜନା ଦ୍ରୁତ ଗତିରେ ବଢ଼ିଥିଲା। ପୋଲିସ ଅଧିକାରୀଙ୍କୁ ଗ୍ରାମବାସୀମାନେ ଆକ୍ରମଣ କରିଥିଲେ। ଏହି ଗଣ୍ଡଗୋଳରେ ଜଣେ ପୁଲିସ୍ ଅଧିକାରୀ ଆହତ ହୋଇଥିଲେ। ପୂରା ଟିମ୍କୁ ସ୍ଥାନୀୟ ଲୋକେ ରାତିସାରା ବନ୍ଦୀ କରି ରଖିଥିଲେ।
ଘଟଣା ସମ୍ପର୍କରେ ଜାଣିବା ପରେ ଜୋରହାଟ ପୋଲିସ ତୁରନ୍ତ ମୋକୋକଚୁଙ୍ଗ ଏସପିଙ୍କ ସହ ଯୋଗାଯୋଗ କରିଥିଲା। ସଙ୍ଗେ ସଙ୍ଗେ ଘଟଣାସ୍ଥଳକୁ ଉଦ୍ଧାରକାରୀ ଦଳ ପଠା ଯାଇଥିଲା। ମଙ୍ଗଳବାର ବିଳମ୍ବିତ ରାତିରେ ସୁଦ୍ଧା ଆହତ ଅଧିକାରୀଙ୍କ ସମେତ ଆସାମ ପୋଲିସ ଟିମର ୫ ଜଣ ସଦସ୍ୟଙ୍କୁ ମୁକ୍ତ କରି ଦିଆ ଯାଇଥିଲା। ଅବଶିଷ୍ଟ ୧୧ ଜଣ ଅଧିକାରୀଙ୍କୁ ମୁକ୍ତ ହେବା ପାଇଁ ପରଦିନ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା।
ପୋଲିସ ଅଧିକାରୀମାନେ ଶେଷରେ ଜୋରହାଟକୁ ଫେରି ଆସିଥିଲେ। ଆସାମ ପୋଲିସର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ ଏହି ଟିମ୍ ନେଭିଗେସନ୍ ପାଇଁ ଗୁଗୁଲ ଜିପିଏସ୍ ଉପରେ ନିର୍ଭର କରୁଥିଲେ। ତେବେ ଏହା ସେମାନଙ୍କୁ ରାଜ୍ୟ ସୀମା ଅତିକ୍ରମ କରାଇବ ବୋଲି ସେମାନେ ଜାଣି ନଥିଲେ।
ଆସାମ ଏବଂ ନାଗାଲାଣ୍ଡ ମଧ୍ୟରେ ସୀମାପାର ଉତ୍ତେଜନା ସାମ୍ପ୍ରତିକ ବର୍ଷମାନଙ୍କରେ ମୁଖ୍ୟତଃ ଶାନ୍ତିପୂର୍ଣ୍ଣ ହୋଇଥିଲେ ମଧ୍ୟ ଆଞ୍ଚଳିକ ଦାବିକୁ ନେଇ ବିବାଦର ଇତିହାସ ରହିଛି, ଯାହା ଏଭଳି ଘଟଣାର ସମ୍ବେଦନଶୀଳତାକୁ ଆହୁରି ବଢ଼ାଇ ଦେଇଛି।
ଏହି ଘଟଣା ପୁଣି ଥରେ ଜିପିଏସ୍ ଟେକ୍ନୋଲୋଜି ଉପରେ ଅତ୍ୟଧିକ ନିର୍ଭରଶୀଳତାର ବିପଦକୁ ଆଲୋକପାତ କରିଛି। ଏହା ପ୍ରଥମ ଥର ନୁହେଁ ଯେ ଗୁଗଲ ମ୍ୟାପ୍ ଏଭଳି ଦୁର୍ଘଟଣାର କେନ୍ଦ୍ରବିନ୍ଦୁ ପାଲଟିଛି।
ଗତ ଡିସେମ୍ବର ମାସରେ ଗୋଆ ଯାଉଥିବା ବିହାରର ଏକ ପରିବାର ଜିପିଏସ୍ ତ୍ରୁଟି ଯୋଗୁଁ କର୍ଣ୍ଣାଟକର ଘଞ୍ଚ ଜଙ୍ଗଲରେ ଫସି ରହିଥିଲେ। ନଭେମ୍ବର ମାସରେ ଉତ୍ତରପ୍ରଦେଶର ବରେଲିରେ ଗୁଗଲ ମ୍ୟାପ୍ ଦ୍ୱାରା ପରିଚାଳିତ ଏକ ଗାଡ଼ି ରାମଗଙ୍ଗା ନଦୀରେ ଏକ ଅସମ୍ପୂର୍ଣ୍ଣ ପୋଲ ଉପରକୁ ଖସି ଯିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିଲା।
ବିଶେଷ କରି ଅଜଣା କିମ୍ବା ସମ୍ବେଦନଶୀଳ ଅଞ୍ଚଳରେ ଜିପିଏସ୍ ବ୍ୟବହାର କରିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ବିଶେଷଜ୍ଞମାନେ ଯାତ୍ରୀ ଓ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।
Tags: #AssamPolice #GPSNavigation #GoogleMap #India