ଓଡ଼ିଶାଲାଇଭ୍ ବ୍ୟୁରୋ
ମଧ୍ୟପ୍ରାଚ୍ୟରେ ଫେରୁଛି ଶାନ୍ତି। ଇସ୍ରାଏଲ ଓ ହମାସ ମଧ୍ୟରେ ବନ୍ଦ ହେବାକୁ ଯାଉଛି ଯୁଦ୍ଧ। ଉଭୟେ ଯୁଦ୍ଧ ବିରତି ଚୁକ୍ତିନାମା ପାଇଁ ରାଜି ହୋଇଛନ୍ତି। ଇସ୍ରାଏଲ ତୋପ ଶାନ୍ତ ପଡ଼ିଛି ଆଉ ହମାସର ରକେଟ ବର୍ଷା ବି ଥମିଛି। ପ୍ରାୟ ଦେଢ଼ ବର୍ଷ ଧରି ଧ୍ୱଂସର ତାଣ୍ଡବ ରୂପ ଦେଖି ଆସୁଥିବା ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରୁଥିବା ଦେଖି ଲୋକେ ଆଶ୍ଵସ୍ତ ହେଉଛନ୍ତି। ହମାସ ଖୁବ ଶୀଘ୍ର ଇସ୍ରାଏଲର ବନ୍ଧକମାନଙ୍କୁ ମୁକ୍ତ କରିବ ବୋଲି ପ୍ରତିଶ୍ରୁତି ଦେଇଛି।
କତାର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଇସ୍ରାଏଲ ଏବଂ ହମାସ ପ୍ରତିନିଧିଙ୍କ ମଧ୍ୟରେ ଶାନ୍ତି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ହମାସ ପକ୍ଷରୁ ଯୁଦ୍ଧ ବିରାମ ଚୁକ୍ତିକୁ ମଞ୍ଜୁରୀ ଦିଆଯାଇଥିବା ନେଇ କତାର ଏବଂ ଆମେରିକାକୁ ଜଣାଇ ଦିଆଯାଇଛି। ତେବେ ଇସ୍ରାଏଲ ସରକାର ଏହାକୁ ନେଇ ବିଧିବଦ୍ଧ ଘୋଷଣା କରାଯାଇନାହିଁ।
କ’ଣ ରହିଛି ଯୁଦ୍ଧବିରତି ରାଜିନାମା?
ଏହି ଶାନ୍ତି ଚୁକ୍ତିନାମା ରବିବାରଠାରୁ କାର୍ଯ୍ୟକାରୀ ହେବାର ସମ୍ଭାବନ ରହିଛି। ଏହାଦ୍ଵାରା ଯୁଦ୍ଧ ବନ୍ଦ ହେଲେ ଉତ୍ତର ଏବଂ ଦକ୍ଷିଣ ଗାଜାରୁ ବିସ୍ଥାପିତ ହୋଇଥିବା ଲୋକେ ନିଜ ନିଜ ଘରକୁ ଫେରିବେ । ପାଲେଷ୍ଟାଇନବାସୀଙ୍କ ପାଇଁ ରିଲିଫ ସାମଗ୍ରୀ ନେଇ ସୀମାରେ ଛିଡା ହୋଇଥିବା ୬୦୦ ଟ୍ରକ ଭିତରକୁ ଯାଇପାରିବ ଏବଂ ଲୋକଙ୍କୁ ରିଲିଫ ମିଳିପାରିବ।
ଅକ୍ଟେବାର ୨୦୨୩ରେ ଯେତେବେଳେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା ସେତେବେଳେ ୨୫୧ ଜଣ ଇସ୍ରାଏଲ ନାଗରିକଙ୍କୁ ବନ୍ଧକ ଭାବେ ନେଇ ଯାଇଥିଲା। ବର୍ତ୍ତମାନ ସୁଦ୍ଧା ଆହୁରି ୯୪ ଜଣ ହମାସ କବ୍ଜାରେ ଅଛନ୍ତି। ତେବେ ଇସ୍ରାଏଲ ଏନେଇ ଅଭିଯୋଗ କରିଆସୁଛି ଯେ, ବନ୍ଧକମାନଙ୍କ ମଧ୍ୟରୁ ଆଉ ମାତ୍ର ୬୦ ଜଣ ଜୀବିତ ଅଛନ୍ତି। ଆଶା କରାଯାଉଛି, ଏହି ବନ୍ଧକଙ୍କ ପ୍ରତିବଦଳରେ ଇସ୍ରାଏଲ ବି ପାଖାପାଖି ଏକ ହଜାର ପାଲେଷ୍ଟାଇନ କଏଦୀଙ୍କୁ ମୁକ୍ତ କରିବ। ଏମାନେ କିଛି ବର୍ଷ ଧରି ଇସ୍ରାଏଲର ଜେଲରେ ବନ୍ଦୀ ଅଛନ୍ତି।
ଯୁଦ୍ଧବିରତି ରାଜିନାମା ଅନୁଯାୟୀ, ପ୍ରଥମ ଦିନ ଅର୍ଥାତ ରବିବାର ଦିନ ତିନିଜଣ ମହିଳା ଇସ୍ରାଏଲି ବନ୍ଧକଙ୍କୁ ମୁକ୍ତ କରାଯିବ। ଏହାପରେ ସପ୍ତମ ଦିନରେ ହମାସ ଆଉ ଚାରି ଇସ୍ରାଏଲ ବନ୍ଧକଙ୍କୁ ଛାଡ଼ିବ। ଯୁଦ୍ଧ ବିରତିର ୬ଷ୍ଠ ସପ୍ତାହରେ ହମାସ ଅନ୍ୟ ଇସ୍ରାଏଲି ବନ୍ଧକଙ୍କୁ ମୁକ୍ତ କରି।
ବନ୍ଦୀଙ୍କୁ ହସ୍ତାନ୍ତର କରିବା ପରେ ଇସ୍ରାଏଲ ଗାଜାର ଜନବସତିରୁ ତାର ସେନା ପ୍ରତ୍ୟାହାର କରିବ। ପ୍ରଥମ ପର୍ଯ୍ୟାୟରେ ଗାଜାର ଇଜିପ୍ଟ ସୀମାରେ ଥିବା ରାଫା କ୍ରସିଂକୁ ବି ଖୋଲି ଦିଆଯିବ।
ଇସ୍ରାଏଲ-ହମାସ ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ଗାଜାରେ ୫୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଲାଣି। ଏମାନଙ୍କ ମଧ୍ୟରେ ଅନେକ ନୀରିହ ଶିଶୁ ଓ ମହିଳା ବି ସାମିଲ ଅଛନ୍ତି।
Tags: #Israel-HamasWar #Ceasefire #Gaza #Hamas #Israel