ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠାରୁ ଆରମ୍ଭ ହୋଇଛି ସଂସଦର ବଜେଟ୍ ଅଧିବେଶନ। ଶନିବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଖୋଲିବେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ପେଡ଼ି। ପ୍ରତି ବର୍ଷ ପରି ଏଥର ମଧ୍ୟ ବଜେଟରେ କ’ଣ ଶସ୍ତା ଓ କ’ଣ ମହଙ୍ଗା ହେବ ତା ଉପରେ ସମସ୍ତଙ୍କ ନଜର ରହିଛି।  

ତେବେ ଏଥର ଅନୁମାନ କରାଯାଉଛି, ସରକାର ଦରଦାମ ନିୟନ୍ତ୍ରଣ ଏବଂ କରଦାତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବାର ସମ୍ଭାବନା ରହିଛି। ବିଶେଷ କରି ଆୟକର ଛାଡ଼କୁ ନେଇ ବଜେଟରେ ଘୋଷଣା କରାଯାଇପାରେ।

ଆୟକର କ୍ଷେତ୍ରରେ ମିଳିପାରେ ଆଶ୍ୱସ୍ତି

ସରକାର ନୂତନ ଟ୍ୟାକ୍ସ ବ୍ୟବସ୍ଥାରେ ଆୟକର ସୀମା ବଢ଼ାଇବା ନେଇ ଅନେକ ଅର୍ଥନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏପରିକି ୧୫ରୁ ୨୦ ଲକ୍ଷ ଟଙ୍କା ମଧ୍ୟରେ ରୋଜଗାର କରୁଥିବା ବ୍ୟକ୍ତିଙ୍କ ପାଇଁ ଆୟକର ୩୦ରୁ ୨୫ ପ୍ରତିଶତ କରାଯିବାର ସମ୍ଭାବନା ରହିଛି। ନୂତନ ବ୍ୟବସ୍ଥା ଅନୁଯାୟୀ, ମୌଳିକ ଆୟକର ଛାଡ଼ ସୀମା 5 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବାର ସମ୍ଭାବନା ମଧ୍ୟ ରହିଛି। 

ଶସ୍ତା ହୋଇପାରେ ପେଟ୍ରୋଲ-ଡିଜେଲ

ଦରବୃଦ୍ଧି ବୋଝ ହାଲୁକା କରିବା ପାଇଁ ଏଥରେ ବଜେଟରେ ବେଶି ଗୁରୁତ୍ୱ ଦେଇପାରନ୍ତି କେନ୍ଦ୍ର ସରକାର। ଏଥିପାଇଁ ସିଆଇଆଇ ସୁପାରିଶ କ୍ରମେ ସରକାର ଉତ୍ପାଦ ଶୁଳ୍କ କାଣ୍ଟଛାଟ କରିପାରନ୍ତି। ଏହାଦ୍ୱାରା ପେଟ୍ରୋଲ ଓ ଡିଜେଲ ଦର କମିବାର ସମ୍ଭାବନା ରହିଛି। ଏବେ ଉତ୍ପାଦ ଶୁଳ୍କ ପେଟ୍ରୋଲ ଉପରେ ୧୯.୯୦ ଟଙ୍କା ଲାଗୁଥିବାବେଳେ ଡିଜେଲ ଉପରେ ୧୫.୮୦ ଟଙ୍କା ରହିଛି।

ବଢ଼ିପାରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ରାଶି

ପିଏମ କିସାନ ସମ୍ମାନ ନିଧିର ପରିମାଣ ବୃଦ୍ଧି ପାଇଁ ଏଥର ବଜେଟରେ ଘୋଷଣା ହେବାର ସମ୍ଭାବନା ରହିଛି। ସଂସଦର ସ୍ଥାୟୀ ସମିତି କିସାନ ସମ୍ମାନ ନିଧିକୁ ୬ ହଜାରରୁ ୧୨ ହଜାରକୁ ବୃଦ୍ଧି କରିବା ପାଇଁ ସୁପାରିଶ କରିଥିଲେ। ଏହି ଯୋଜନାରେ ଏବେ ଦେଶର ପ୍ରାୟ ସାଢ଼େ ୯ କୋଟି ଚାଷୀଙ୍କୁ ବର୍ଷକୁ ୩ଟି କିସ୍ତିରେ ୨ ହଜାର ଲେଖାଏଁ ଟଙ୍କା ଡିବିଟି ମାଧ୍ୟମରେ ଟ୍ରାନ୍ସଫର ହେଉଛି।

ବଢ଼ିପାରେ ସ୍ୱାସ୍ଥ୍ୟ ବଜେଟ୍

ଗତ ବର୍ଷ ବଜେଟରେ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ୯୧ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ଚଳିତବର୍ଷ ଏଥିରେ ୧୦ ପ୍ରତିଶତ ବୃଦ୍ଧି ଘଟିପାରେ। ସେହିପରି ମେଡିକାଲ କଲେଜର ସିଟ ବଢ଼ାଇବା ନେଇ ମଧ୍ୟ ଘୋଷଣା କରାଯାଇପାରେ। ଏହାସହ କିଛି ଚିକିତ୍ସା ଉପକରଣ ଉପରେ ଆମଦାନୀ ଶୁଳ୍କ ହ୍ରାସ କରାଯିବାନେଇ ବଜେଟରେ ଘୋଷଣା ହେବାର ସମ୍ଭାବନା ରହିଛି।

ଶସ୍ତା ହୋଇପାରେ ମୋବାଇଲ

ଏଥର ସରକାରଙ୍କ ଯୋଜନାରେ ମୋବାଇଲ ଶସ୍ତା କରିବା ପାଇଁ କନ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ସହ ଜଡ଼ିତ ଯନ୍ତ୍ରପାତି ଉପରେ ଆମଦାନୀ ଶୁଳ୍କ ହ୍ରାସ କରାଯାଇପାରେ।

ଏହାବ୍ୟତୀତ ଆୟୁଷ୍ମାନ ଭାରତ ଯୋଜନାର ପରିସର ବୃଦ୍ଧି କରିବା, ଅଟଳ ପେନସନ୍ ଯୋଜନାରେ ପେନସନ୍ ପରିମାଣ ବୃଦ୍ଧି କରିବା, ବିଦେଶରେ ଚାକିରୀ ଯୋଗାଇବା ପାଇଁ ଇଣ୍ଟରନାସନାଲ ମୋବିଲିଟ ଅଥରିଟି ସୃଷ୍ଟି କରିବା, ଦକ୍ଷତା ବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟି କରିବା ପାଇଁ ଷ୍ଟାର୍ଟଅପକୁ ସାହାଯ୍ୟ କରିବା ପାଇଁ କେନ୍ଦ୍ର ସରକାର ବଜେଟରେ ବଡ଼ ଘୋଷଣା କରିବାର ସମ୍ଭାବନା ରହିଛି।

Tags: #UnionBudget2025 #ParliamentBudgetSession #NirmalaSitharaman #MinistryofFinance #India

LEAVE A REPLY

Please enter your comment!
Please enter your name here