ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ଵର ବିଭିନ୍ନ ଦେଶର ସାମରିକ ଶକ୍ତି ରାଙ୍କିଂକୁ ନେଇ ନୂଆ ତାଲିକା ଜାରି ହୋଇଛି। ଏଥିରେ ଭାରତୀୟ ସେନା ବିଶ୍ଵର ଚତୁର୍ଥ ଶକ୍ତିଶାଳୀ ସେନାର ମାନ୍ୟତା ପାଇଛି। ଏହି ତାଲିକାରେ ଆମେରିକା ପ୍ରଥମ, ରୁଷ ଦ୍ୱିତୀୟ ଏବଂ ଚୀନ ତୃତୀୟ ସ୍ଥାନରେ ରହିଛି। ଗ୍ଲୋବାଲ ଫାୟାର ପାୱାର ଇଣ୍ଡେକ୍ସ ପକ୍ଷରୁ ବର୍ଷ ୨୦୨୪ ପାଇଁ ଏହି ନୂଆ ରାଙ୍କିଂ ଜାରି ହୋଇଛି।

ଗ୍ଲୋବାଲ ଫାୟାର ପାୱାର ଇଣ୍ଡେକ୍ସ ରିପୋର୍ଟ ଅନୁସାରେ ଭାରତର ସାମରିକ ଶକ୍ତି ସ୍କୋର ୦.୧୧୮୪ ରହିଛି। ଦେଶରେ ଆଧୁନିକ ସାମରିକ ଉପକରଣ, ଉନ୍ନତ ଅସ୍ତ୍ର ଶସ୍ତ୍ର ଏବଂ ରଣନୀତିକ ଦକ୍ଷତା ବହୁଳ ମାତ୍ରାରେ ବଢ଼ିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଏହି ତାଲିକାରେ ଶ୍ରେଷ୍ଠ ୧୦ରେ ସ୍ଥାନ ପାଇଥିବା ଦେଶ ଗୁଡ଼ିକ ହେଲା ଆମେରିକା, ରୁଷ, ଚୀନ, ଭାରତ, ଦକ୍ଷିଣ କୋରିଆ, ବ୍ରିଟେନ, ଫ୍ରାନ୍ସ, ଜାପାନ, ତୁର୍କୀ ଓ ଇଟାଲୀ। ପାକିସ୍ତାନ ଗତବର୍ଷ ନବମ ସ୍ଥାନରେ ରହିଥିବାବେଳେ ଚଳିତବର୍ଷ ରାଙ୍କିଂରେ ଦ୍ଵାଦଶ ସ୍ଥାନକୁ ଖସି ଯାଇଛି।

ଗ୍ଲୋବାଲ ଫାୟାର ପାୱାର ଇଣ୍ଡେକ୍ସକୁ ୬୦ରୁ ଅଧିକ ସାମରିକ ମାନଦଣ୍ଡକୁ ନେଇ ପ୍ରସ୍ତୁତ କରାଯାଇଛି। ଏଥିରେ ପ୍ରତିରକ୍ଷା ଜ୍ଞାନକୌଶଳ, ଆର୍ଥିକ ଶକ୍ତି, ଲଜିଷ୍ଟିକ କ୍ଷମତା, ସୈନ୍ୟ ସଂଖ୍ୟା ଓ ରଣନୀତିକ ଦକ୍ଷତା ଭଳି ମାନଦଣ୍ଡକୁ ନେଇ ଦେଶଗୁଡ଼ିକର ରାଙ୍କିଂ ହୋଇଥାଏ।

ଭାରତୀୟ ସ୍ଥଳ ସେନାରେ ଏବେ ସାଢ଼େ ୧୪ ଲକ୍ଷରୁ ଅଧିକ ଯବାନ କାର୍ଯ୍ୟରତ ଥିବାବେଳେ ୧୧ ଲକ୍ଷ ୫୦ ହଜାର ସୈନ୍ୟଙ୍କୁ ରିଜର୍ଭ ରଖାଯାଇଛି। ଏହାଛଡ଼ା ଦେଶରେ ୨୫ ଲକ୍ଷରୁ ଅଧିକ ଅର୍ଦ୍ଧସାମରିକ ବାହିନୀର ଯବାନ ରହିଛନ୍ତି।

ସେହିପରି ଭାରତୀୟ ବାୟୁ ସେନାରେ ୧ ଲକ୍ଷ ୩୫ ହଜାରରୁ ଅଧିକ ଯବାନ ଥିବାବେଳେ ଭାରତୀୟ ନୌସେନାରେ ୧ ଲକ୍ଷ ୧୦ ହଜାର ନୌସୈନିକ ଅଛନ୍ତି। ଏହାସହ ଏହି ୩ ସେନାରେ ଅତ୍ୟାଧୁନିକ ଟ୍ୟାଙ୍କ, ମିସାଇଲ, ଲଢୁଆ ବିମାନ ଓ ଅନ୍ୟ ଅସ୍ତ୍ରଶସ୍ତ୍ରର ସଂଖ୍ୟା ବଢ଼ିବାରେ ଲାଗିଛି।   

Tags: #GlobalFirePowerIndex #DefenceForce #FirePower #IndianArmedForces #India

LEAVE A REPLY

Please enter your comment!
Please enter your name here