ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ‘ରେପୋ’ ରେଟ୍‌ ହ୍ରାସ କରାଯାଇଛି। ଏଥିରେ ୨୫ ବେସିସ୍ ପଏଣ୍ଟ କମ କରାଯାଇଛି। ଫଳରେ ରେପୋ ରେଟ୍‌ ଏବେ ୬.୫୦ ପ୍ରତିଶତରୁ କମି ୬.୨୫ ପ୍ରତିଶତ ହୋଇଯାଇଛି। ଏନେଇ ଶୁକ୍ରବାର ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲୋହୋତ୍ର ସୂଚନା ଦେଇଛନ୍ତି।

ରିଜର୍ଭ ବ୍ୟାଙ୍କ ମନିଟାରି ପଲିସି କମିଟି ବୈଠକରେ ଦେଶରେ ‘ରେପୋ’ ରେଟ୍‌ କମ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। କମିଟିର ୬ ଜଣ ସଦସ୍ୟଙ୍କ ମଧ୍ୟରୁ ୫ ଜଣ ଏହି ଦର କମାଇବା ସପକ୍ଷରେ ମତ ଦେଇଥିଲେ।

ରେପୋ ରେଟ୍ କମିବା ଫଳରେ ଲୋକମାନଙ୍କ ପାଇଁ ବ୍ୟାଙ୍କ ଋଣ ଉପରେ ସୁଧହାର କମିବାର ସମ୍ଭାବନା ରହିଛି। ଏହାସହ ଗୃହ ୠଣ ଓ ଅଟୋ ଲୋନର ଇଏମ୍‌ଆଇ ମଧ୍ୟ କମ୍‌ ହୋଇପାରେ।

ଦୀର୍ଘ ପାଞ୍ଚ ବର୍ଷ ପରେ ଆରବିଆଇ ପକ୍ଷରୁ ରେପୋ ରେଟ୍ ହ୍ରାସ ହୋଇଛି। ୨୦୨୦ ମସିହାରେ ୨୫ ବେସିସ୍ ପଏଣ୍ଟ କମ କରାଯାଇ ରେପୋ ରେଟକୁ ୩.୭୫ ପ୍ରତିଶତ କରାଯାଇଥିଲା। କୋରୋନା ମହାମାରୀ ପରେ ଧୀରେ ଧୀରେ ଏହା ବଢ଼ିବା ଆରମ୍ଭ ହୋଇଥିଲା।

୨୦୨୩ ମସିହା ଫେବ୍ରୁଆରିରେ ୨୫ ବେସିସ୍ ପଏଣ୍ଟ ବଢ଼ି ରେପୋ ରେଟ୍ ୬.୫୦ ହୋଇଥିଲା। ସେବେଠୁ ଏହା ଅପରିବର୍ତ୍ତିତ ରହିଥିଲା।

ବୁଧବାର ସଞ୍ଜୟ ମାଲୋହୋତ୍ରଙ୍କ ଅଧ୍ୟକ୍ଷତାରେ ରିଜର୍ଭ ବ୍ୟାଙ୍କ ମନିଟାରି ପଲିସି କମିଟିର ୩ ଦିନିଆ ବୈଠକ ଆରମ୍ଭ ହୋଇଥିଲା। ଏଥିରେ ଦେଶର ଆର୍ଥିକ ସ୍ଥିତିକୁ ନେଇ ବିଭିନ୍ନ ସମୀକ୍ଷା ଓ ଆଲୋଚନା କରାଯାଇଥିଲା। ଏହାପରେ ୨୦୨୫ ଏପ୍ରିଲ ମାସରେ କମିଟିର ପରବର୍ତ୍ତୀ ବୈଠକ ବସିବ। 

Tags: #RBI #Reporate #Inflation #MonetaryPolicyCommitte #India

Comment