ଓଡ଼ିଶାଲାଇଭ୍ ବ୍ୟୁରୋ

ବିନା ଅନୁମତିରେ ଲମ୍ବା ଛୁଟିରେ ଅଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମଙ୍କ ବ୍ୟକ୍ତିଗତ ସଚିବ ଡାକ୍ତର ପରାଗ ହର୍ଷଦ ଗାଭାଲି। ଏହାକୁ ନେଇ ମନ୍ତ୍ରୀ ଖପ୍ପା। ତେଣୁ ଆଇଏଏସ୍ ଅଫିସର ଗାଭାଲିଙ୍କ ବିରୋଧରେ ଉଚିତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ଚିଠି ଲେଖିଛନ୍ତି ଜୁଏଲ।

ଫେବ୍ରୁଆରି ୧୨ ତାରିଖରେ ଜୁଏଲ ଏହି ଚିଠି ଲେଖିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ଗତ ଜାନୁଆରି ୨୩ ତାରିଖରୁ ବିନା ଅନୁମତିରେ ପରାଗ ହର୍ଷଦ ଗାଭାଲି ତାଙ୍କ କାର୍ଯ୍ୟାଳୟରେ ଅନୁପସ୍ଥିତ ଅଛନ୍ତି। ଫଳରେ ମନ୍ତ୍ରୀଙ୍କ କାର୍ଯ୍ୟାଳୟର କାମ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଜୁଏଲ। ତେଣୁ, ସର୍ବାଭରତୀୟ ସେବା ନିୟମ ଅନୁଯାୟୀ ଆବଶ୍ୟକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ।

ଏହି ବିଷୟକୁ ତାଙ୍କ ବ୍ୟକ୍ତିଗତ ଫାଇଲରେ ଉଲ୍ଲେଖ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ ଭାବେ ଲେଖିଛନ୍ତି। ଏହାସହ ତାଙ୍କ ବାର୍ଷିକ କାର୍ଯ୍ୟଦକ୍ଷତା ମୂଲ୍ୟାଙ୍କନ ରିପୋର୍ଟରେ ମଧ୍ୟ ଦର୍ଶାଇବାକୁ ଚିଠି ମାଧ୍ୟମରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ।

୨୦୨୪ ଜୁଲାଇ ୧୨ ତାରିଖରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ ହୋଇଥିଲେ ଆଇଏଏସ ଡାକ୍ତର ପରାଗ ହର୍ଷଦ ଗାଭାଲି। ଏହା ପୂର୍ବରୁ ୨୦୨୨ ଜୁନ ମାସରୁ ସେ ସୁନ୍ଦଗଡ଼ର ଜିଲ୍ଲାପାଳ ଭାବେ କାମ କରୁଥିଲେ। ଓଡ଼ିଶା କ୍ୟାଡରର ଜଣେ ଆଇଏଏସ୍‌ ଅଫିସରଙ୍କ ବିରୋଧରେ ଏଭଳି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରମନ୍ତ୍ରୀ ଚିଠି ଲେଖିବାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

Tags: #JualOram #PSDrParagHarshadGavali #ChiefSecretary #DisciplinaryAction #Odisha

LEAVE A REPLY

Please enter your comment!
Please enter your name here