ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅଗ୍ରଗତି ଅନୁଧ୍ୟାନ କରିଛନ୍ତି। ପ୍ରଥମେ ସେ ସୁନ୍ଦରଗଡ଼ ସଦର ବ୍ଲକ୍ ଅନ୍ତର୍ଗତ କୋପସିଙ୍ଗାଠାରେ  ବ୍ୟାରେଜ ନିର୍ମାଣ  ପ୍ରସ୍ତୁତି ପରିଦର୍ଶନ କରିବା ସହ ସୁନ୍ଦରଗଡ଼ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଟ୍ରାଫିକ ପରିଚାଳନା ପାଇଁ ଅତ୍ୟାଧୁନିକ କମାଣ୍ଡ ସେଣ୍ଟର ଓ କଣ୍ଟ୍ରୋଲ ରୁମ୍ ବୁଲି ଦେଖିଥିଲେ।

ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ, କୋପସିଙ୍ଗା ଏବଂ କୁଡ଼ାବଗାଠାରେ ବ୍ୟାରେଜ କାର୍ଯ୍ୟକ୍ଷମ ହେଲେ ସୁନ୍ଦରଗଡ଼ ସହର ସହିତ ଆଖପାଖ ଅଞ୍ଚଳବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହୋଇପାରିବ। ଚାଷଜମିକୁ ଜଳସେଚନର ସୁବିଧା ହେବା ସହିତ ଭୂତଳ ଜଳସ୍ତର ମଧ୍ୟ ପୁନଃ ଭରଣ ହୋଇପାରିବ। ଏହି ଦୁଇଟି ବ୍ୟାରେଜ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ ହେବ। ୨୪, ୭୭୯ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କୋପସିଙ୍ଗା ବ୍ୟାରେଜ ପ୍ରକଳ୍ପ ନିର୍ମାଣ କରାଯାଉଛି। ଏହାର ଲମ୍ବ ୫୦୦ ମିଟରରୁ ଅଧିକ ରହିଥିବାବେଳେ ଏଥିରେ ୫ଟି ସ୍ଲୁଇସ୍ ଗେଟ୍ ରହିବ।

ରାଜ୍ୟ ସରକାରଙ୍କ ‘କନଷ୍ଟ୍ରକସନ ଅଫ୍ ଇନ-ଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର’ ଯୋଜନା ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର କୋପସିଙ୍ଗା ଏବଂ କୁଡ଼ାବଗାଠାରେ ଇବ୍ ନଦୀ ଉପରେ ଦୁଇଟି ବ୍ୟାରେଜ ନିର୍ମାଣ କରାଯାଉଛି। ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ସୁନ୍ଦରଗଡ଼ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା କରାଯାଉଛି। ଇତିମଧ୍ୟରେ ନ୍ୟାସନାଲ ମେଡିକାଲ କାଉନସିଲ ଏହି କଲେଜ ପରିଦର୍ଶନ କରି ଏହାର ଭିତ୍ତିଭୂମି ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। କାଉନସିଲର ଅନୁମତି ଆସିଲେ ଚଳିତବର୍ଷଠାରୁ କଲେଜରେ ନାମଲେଖା ଆରମ୍ଭ କରିବା ନିମେନ୍ତ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ଏହି ଗସ୍ତ ଅବସରରେ ସୁରେଶ ଚନ୍ଦ୍ର ମହାପାତ୍ର ସୁନ୍ଦରଗଡ଼ ଜିଲ୍ଲାରେ ସଡ଼କ ସୁରକ୍ଷା ନିମନ୍ତେ କାର୍ଯ୍ୟକାରୀ କରାଯାଇଥିବା ସମନ୍ୱିତ ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ଏହି ବ୍ୟବସ୍ଥା ରାସ୍ତାରେ ଅପରାଧ ଓ ଦୁର୍ଘଟଣା ଆଦି ନିୟନ୍ତ୍ରଣ କରିବାରେ ବିଶେଷ ସହାୟକ ହେବ ବୋଲି ସେ କହିଥିଲେ।

ଗାଡ଼ିର ବେଗ ନିୟନ୍ତ୍ରଣ ପାଇଁ ୧୦ ନମ୍ବର ରାଜ୍ୟ ରାଜପଥର ଭସ୍ମା ଛକଠାରୁ ବେଦବ୍ୟାସ ଏବଂ ୧୪୩ ନମ୍ବର ଜାତୀୟ ରାଜପଥର ବେଦବ୍ୟାସ ଛକଠାରୁ ବୀରମିତ୍ରପୁର ପର୍ଯ୍ୟନ୍ତ ରାସ୍ତାର ବିଭିନ୍ନ ସ୍ଥାନରେ କ୍ୟାମେରା ଖଞ୍ଜାଯାଇଛି। ସୁନ୍ଦରଗଡ଼ଠାରେ ଥିବା କଣ୍ଟ୍ରୋଲ ରୁମ୍ ଓ କମାଣ୍ଡ ସେଣ୍ଟରରେ ଏସବୁ ବ୍ୟବସ୍ଥାର ଅନୁଧ୍ୟାନ କରି ଏହି ପଦକ୍ଷେପ ପାଇଁ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିଥିଲେ ମୁଖ୍ୟ ଶାସନ ସଚିବ।

ଏହି ଗସ୍ତ ବେଳେ ମୁଖ୍ୟ ଶାସନ ସଚିବଙ୍କ ସହିତ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ଏସପି ସାଗରିକା ନାଥ, ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ସୁନ୍ଦରଗଡ଼ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ଡାକ୍ତର ପଙ୍କଜ ପରିଡ଼ା, ଡିନ୍ ପ୍ରଫେସର ଡାକ୍ତର ଦୈତାରୀ ରାଉତରାୟ, ଜଳସମ୍ପଦ ବିଭାଗର ମହାନଦୀ ବେସିନର ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ସରୋଜ କୁମାର ପାଣିଗ୍ରାହୀ, ସୁନ୍ଦରଗଡ଼ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଶିବ ପ୍ରସାଦ ମହାରଣାଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ।

Tags: #IBReaver #Barrage #Sundargarh #ChiefSecretaty

Comment