ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏବେ ଡ୍ରାଇଭରମାନେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରୁଛନ୍ତି। ଡ୍ରାଇଭରମାନେ ବିଭିନ୍ନ ଦାବି ନେଇ ରାଜରାସ୍ତାରେ ବସି ରହିଛନ୍ତି। ଏହି ପରିପ୍ରେକ୍ଷୀରେ ଗୁରୁବାର ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓ ଓଡ଼ିଶା ଡ୍ରାଇଭର ମହାସଂଘର ପ୍ରତିନିଧିଙ୍କ ମଧ୍ୟରେ ଏକ ବୈଠକ ହୋଇଛି। ବୈଠକରେ ସରକାର ତିନି ମାସ ମଧ୍ୟରେ ଡ୍ରାଇଭରଙ୍କ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଗୁରୁବାର ସାନ୍ଧ୍ୟା ୭ଟା ସମୟରେ ରାଜ୍ୟ ସଚିବାଳୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଯୋଗ ଦେବା ପାଇଁ ଓଡ଼ିଶା ଡ୍ରାଇଭର ମହାସଂଘର ଏକ ପ୍ରତିନିଧି ଦଳ ଆସିଥିଲେ। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

“ଓଡ଼ିଶା ସରକାର ଡ୍ରାଇଭରଙ୍କ ଦାବି ସମ୍ପର୍କରେ ଅବଗତ ଅଛନ୍ତି ଓ ଏହାକୁ ନେଇ ସକାରାତ୍ମକ ଭାବେ ବିଚାର କରୁଛନ୍ତି। ଆସନ୍ତା ତିନି ମାସ ମଧ୍ୟରେ ସେମାନଙ୍କ ଦାବିଗୁଡ଼ିକର ଯଥାସମ୍ଭବ ସମାଧାନ କରାଯିବ। ଏନେଇ ଆମେ ସବୁ ପଦକ୍ଷେପ ଗ୍ରହଣ କରିବୁ”, କହିଛନ୍ତି ପ୍ରଦୀପ କୁମାର ଜେନା।

ଓଡ଼ିଶା ସରକାର ଓ ଡ୍ରାଇଭର ମହାସଂଘ ମଧ୍ୟରେ ଏପ୍ରିଲ ୧୫ ତାରିଖରେ ଆଉ ଏକ ବୈଠକ ଅନୁଷ୍ଠିତ ହେବ। ଏଥିରେ ଡ୍ରାଇଭରମାନଙ୍କ ବିଭିନ୍ନ ଦାବିର ସମାଧାନ ବିଷୟରେ ଅଲୋଚନା କରାଯିବ।

“ସରକାର ପୂର୍ବରୁ ଆମକୁ ଦାବି ସମ୍ବନ୍ଧରେ ମୌଖିକ ଭାବେ ପ୍ରତିଶ୍ରୁତି ଦେଇଥିଲେ, ଯାହାର କୌଣସି ପରିଣାମ ମିଳିନଥିଲା। କିନ୍ତୁ ଏଥର ସରକାର ଆମର ଦାବି ପୂରଣ ପାଇଁ ଲିଖିତ ଭାବେ ଆଶ୍ୱାସନା ଦେଇଛନ୍ତି। ଏବେ ଚାଲୁଥିବା ଆନ୍ଦୋଳନ ପ୍ରତ୍ୟାହାର କରିବା ସମ୍ପର୍କରେ ମହାସଂଘ ଖୁବ୍ ଶୀଘ୍ର ନିଷ୍ପତ୍ତି ନେବ”, କହିଛନ୍ତି ଓଡ଼ିଶା ଡ୍ରାଇଭର ମହାସଙ୍ଘର ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ବାବୁଲା ତ୍ରିପାଠୀ।

ବୈଠକ ପରେ ମଧ୍ୟ ଶୁକ୍ରବାର ଓଡ଼ିଶାର ବିଭିନ୍ନ ସ୍ଥାନରେ ଡ୍ରାଇଭରମାନେ ଆନ୍ଦୋଳନ ଜାରି ରଖିଛନ୍ତି। ରାଜ୍ୟର ଅନେକ ସହରରେ ଆନ୍ଦୋଳନରତ ଡ୍ରାଇଭର ଓ ପୋଲିସ ମୁହାଁମୁହିଁ ହୋଇଥିବାର ଦେଖିବାକୁ ମିଳିଛି।

Tags: #DriverStrike #OdishaDriverMahasangha #Protest #ChiefSecretary #Odisha

Comment