ଓଡ଼ିଶାଲାଇଭ୍ ବ୍ୟୁରୋ

ବରିଷ୍ଠ ଆଇଏଏସ୍ ଅଧିକାରୀ ପ୍ରଦୀପ କୁମାର ଜେନା ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ ହେବେ। ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଫେବ୍ରୁଆରି ୨୮ତାରିଖରେ ପଦରୁ ଅବସର ନେବେ। ତାଙ୍କ ସ୍ଥାନରେ  ପ୍ରଦୀପ କୁମାର ଜେନା ରାଜ୍ୟ ସରକାରଙ୍କ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଦାୟିତ୍ଵ ଗ୍ରହଣ କରିବେ। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ପ୍ରଦୀପ କୁମାର ଜେନା ମାର୍ଚ୍ଚ ୧ ତାରିଖରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵ ଗ୍ରହଣ କରିବେ। ୧୯୮୯ ବ୍ୟାଚ୍‌ର ଭାରତୀୟ ପ୍ରଶାସନିକ ଅଧିକାରୀ ପ୍ରଦୀପ କୁମାର ଜେନା ବର୍ତ୍ତମାନ ରାଜ୍ୟ ସରକାରଙ୍କ ଉନ୍ନୟନ କମିସନର ଓ ସ୍ଵତନ୍ତ୍ର ରିଲିଫ କମିସନର ଅଛନ୍ତି।

ଅନ୍ୟପଟରେ ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ନୂଆ ଉନ୍ନୟନ କମିସନର ନିଯୁକ୍ତ ହୋଇଛନ୍ତି। ପ୍ରଦୀପ ଜେନାଙ୍କୁ ପଦୋନ୍ନତି ମିଳିବା ପରେ ଅନୁ ଗର୍ଗଙ୍କୁ ନୂଆ ଦାୟିତ୍ଵ ମିଳିଛି। ଏବେ ଅନୁ ଗର୍ଗ ଜଳସଂପଦ ସଚିବ ସହ ଉନ୍ନୟନ କମିସନର ଦାୟିତ୍ଵ ତୁଲାଇବେ।

୧୯୯୧ ମସିହାରେ ପ୍ରଦୀପ କୁମାର ଜେନା ପ୍ରଥମେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ର ଉପଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ପରେ ସେ କଳାହାଣ୍ଡି ଜିଲ୍ଲାର ଜିଲ୍ଲାପାଳ ତଥା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଦାୟିତ୍ଵ ତୁଳାଇଥିଲେ।

ପ୍ରଦୀପ କୁମାର ଜେନା ମହାବାତ୍ୟା ସମୟରେ କଟକର ଜିଲ୍ଲାପାଳ ନିଯୁକ୍ତ ହୋଇଥିଲେ। ସେ ରାଜ୍ୟ ସରକାରଙ୍କ କୃଷି ବିଭାଗରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି। ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ସେ ବେଶ ସୁନାମ ଅର୍ଜନ କରିଛନ୍ତି।

Tags: #PradeepKumarJena #ChiefSecretary #GovtofOdisha #Odisha

Comment