ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକସଭା ମାର୍ଚ୍ଚ ୧୦ ତାରିଖ ଯାଏଁ ମୁଲତବୀ ହୋଇଛି। ଗୁରୁବାର ଆୟକର ବିଲ୍ ଆଗତ ହେବାପରେ ବାଚସ୍ପତି ଓମ୍ ବିର୍ଲା ଲୋକସଭାକୁ ମୁଲତବୀ ଘୋଷଣା କରିଛନ୍ତି। ଏହା ସହ ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ସରିଛି।
ଗୁରୁବାର ଲୋକସଭାରେ ଆୟକର ବିଲ୍ ଆଗତ ହେବା ସହ ୱାକର୍ଫ ବୋର୍ଡ ସଂଶୋଧନ ବିଲକୁ ନେଇ ଗଠିତ ହୋଇଥିବା ଯୁଗ୍ମ ସଂସଦୀୟ କମିଟିର (ଜେପିସି) ରିପୋର୍ଟ ଉପସ୍ଥାପିତ ହୋଇଥିଲା। କମିଟିର ଅଧ୍ୟକ୍ଷ ଜଗଦମ୍ବିକା ପାଲ ରିପୋର୍ଟ ଉପସ୍ଥାପନ କରିଥିଲେ। ଏହାକୁ ନେଇ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଙ୍କ ହଙ୍ଗମା ଦେଖିବାକୁ ମିଳିଥିଲା।
କମିଟିରେ ଥିବା ବିରୋଧୀ ଦଳର ସାଂସଦମାନେ ୱାକର୍ଫ ବୋର୍ଡକୁ ନେଇ ଯେଉଁ ପରାମର୍ଶ ଦେଇଥିଲେ ତାହା ରିପୋର୍ଟରେ ସ୍ଥାନ ଦିଆଯାଇନାହିଁ ବୋଲି ଅଭିଯୋଗ କରିଥିଲେ। ଏହି ରିପୋର୍ଟକୁ ପୁଣି ଥରେ କମିଟି ନିକଟକୁ ଫେରାଇ ଦେବାକୁ ସେମାନେ ଦାବି କରିଥିଲେ।
ଏହାପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକର ବିଲ୍ ଆଗତ କରିଥିଲେ। ବିଲ୍ ଆଗତ ହେବାପରେ ବାଚସ୍ପତି ଓମ୍ ବିର୍ଲା ଲୋକସଭାକୁ ମୁଲତବୀ ଘୋଷଣା କରିଥିଲେ।

ଚଳିତବର୍ଷର ବଜେଟ୍ ଅଧିବେଶନ ଜାନୁଆରି ୩୧ ତାରିଖରେ ଆରମ୍ଭ ହୋଇଥିଲା। ଫେବ୍ରୁଆରି ୧ ତାରିଖରେ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ ହୋଇଥିଲା।
ଏବେ ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ସରିଛି। ମାର୍ଚ୍ଚ ୧୦ ତାରିଖରୁ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହୋଇ ଏପ୍ରିଲ ୪ ତାରିଖ ଯାଏଁ ଚାଲିବ। ।
Tags: #ParliamentBudgetSession #Loksabha #UnionBudget2025 #India