ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରର ‘ପ୍ରଜାପତି’ ଅନୁଷ୍ଠାନର ପକ୍ଷରୁ ଆୟୋଜିତ ହୋଇଛି ‘ହୋରାଇଜନ୍ ବୁକର ଆୱାର୍ଡ’ ଉତ୍ସବ। ଅନୁଷ୍ଠାନର ସାହିତ୍ୟ ଶାଖା ‘ଅକ୍ଷର’ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପୁରୀର ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ କୁଳସଚିବ ଡକ୍ଟର ରମେଶ ଚନ୍ଦ୍ର ମିଶ୍ର ଉଦ୍ଘାଟନ କରିଥିଲେ।
ଏହି ଉତ୍ସବରେ ବିଶିଷ୍ଟ କବି ଧନଞ୍ଜୟ ସ୍ୱାଇଁଙ୍କୁ ତାଙ୍କ କବିତା ପୁସ୍ତକ ‘ତୁମ ଗାଁ ବର୍ଷା’ ପାଇଁ ‘ହୋରାଇଜନ୍ ବୁକର୍ ଆୱାର୍ଡ-୨୦୨୫’ ପ୍ରଦାନ କରାଯାଇଛି। ଏହାସହ ଛାତ୍ରୀ ଜସ୍ମିନ୍ ଜ୍ୟୋତିଙ୍କୁ ତାଙ୍କ ଲିଖିତ ଇଂରାଜୀ ଗଳ୍ପ ପୁସ୍ତକ ‘ସେ ୟେଏସ୍ ଟୁ ଲାଇଫ୍’ ଓ ଆଦ୍ୟା ଭାର୍ଗବୀଙ୍କୁ ତାଙ୍କ ଇଂରାଜୀ କବିତା ପୁସ୍ତକ ‘ଲାଇଫ୍ ଆରୋମା’ ପାଇଁ ‘ହୋରାଇଜନ୍ ଡ୍ରିମ୍-୨୦୨୫’ ସମ୍ମାନ ପ୍ରଦାନ କରାଯାଇଥିଲା।
‘ପ୍ରଜାପତି’ର ପ୍ରତିଷ୍ଠାତା କବି ପ୍ରଶାନ୍ତ ଦାସଙ୍କ ସଭାପତିତ୍ୱରେ ଏହି ଉତ୍ସବ ଆୟୋଜିତ ହୋଇଥିଲା। ଏହାର ଆରମ୍ଭରେ ‘ଅକ୍ଷର’ର ଆବାହକ ବିପ୍ଳବ ଦାସ ମହାପାତ୍ର, ‘ହୋରାଇଜନ’ ସମ୍ପର୍କରେ ସୂଚନା ଦେଇଥିବାବେଳେ ସଂଯୋଜକ ରାଜେଶ ଗିରି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।
ଏହି ଅବସରରେ ଗୁରୁ ମୋନାଲିସା ମହାନ୍ତିଙ୍କ ପରିଚାଳନାରେ ‘ସ୍ୱରାଗିଣୀ’ର କଣ୍ଠଶିଳ୍ପୀମାନେ ସ୍ୱାଗତ ସଂଗୀତ ଏବଂ ଗୁରୁ ପ୍ରଦୀପ ବେହେରାଙ୍କ ପରିଚାଳନାରେ ‘ନୃତ୍ୟାୟନା’ର ଶିଳ୍ପୀ ଶେଷ ନୃତ୍ୟ ପରିବେଷଣ କରିଥିଲେ।
କାର୍ଯ୍ୟକ୍ରମରେ କବି ଓ ସଂପାଦକ କୃଷ୍ଣ କୁମାର ମହାନ୍ତି, କଥାକାର ଗଙ୍ଗାଧର ବିଶ୍ୱାଳ, କବି ଶ୍ରୀଦେବ, କବି ଅଭୟ ଦାସ, ‘ସମାଜ’ର ବାଲେଶ୍ଵର ବ୍ୟୁରୋ ମୁଖ୍ୟ ଶଶିରଂଜନ ମଲ୍ଲିକ ଏବଂ ଶିକ୍ଷାବିତ୍ ସୁଧାଂଶୁ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।
Tags: #PrajapatiOrganization #HorizonBookerAward #Readers #Literature #Baleswar