ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ଵବିଦ୍ୟାଳୟରେ ‘ଆଧୁନିକ ଗବେଷଣା ଏବଂ ପଦାର୍ଥ ବିଜ୍ଞାନର ନୂତନ ଉନ୍ନତି ୨୦୨୫’ ବିଷୟରେ ଏକ ଦୁଇଦିନିଆ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସ୍ଥିତ ପଦାର୍ଥ ବିଜ୍ଞାନ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର କରୁଣାକର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହାସହ ନାଇଜର୍ ଭୁବନେଶ୍ୱରର ପ୍ରଫେସର ଶୁଭଙ୍କର ବେଦାନ୍ତ ମୁଖ୍ୟବକ୍ତା ଭାବେ ଯୋଗଦେଇ ପଦାର୍ଥ ବିଜ୍ଞାନର ଆଧୁନିକ ଗବେଷଣା କ୍ଷେତ୍ରରେ ଥିବା ସୁଯୋଗଗୁଡ଼ିକ ବିଷୟରେ ବୁଝାଇଥିଲେ।
ଏହି ସମ୍ମିଳନୀ ପଦାର୍ଥ ବିଜ୍ଞାନ, ନ୍ୟୁକ୍ଲିଅର ଫିଜିକ୍ସ ଆଷ୍ଟ୍ରୋ-ପାର୍ଟିକାଲ ଫିଜିକ୍ସ, ବ୍ରହ୍ମାଣ୍ଡ ବିଜ୍ଞାନ, କ୍ୱାଣ୍ଟମ୍ ଫିଜିକ୍ସ, ବାୟୋଫିଜିକ୍ସ, ବିକିରଣ ବିଜ୍ଞାନ ଏବଂ ବାଲିଷ୍ଟିକ୍ସ ଭଳି ଅନେକ ମୁଖ୍ୟ କ୍ଷେତ୍ର ଉପରେ ଅଲୋଚନା ହୋଇଥିଲା।
ସମ୍ମିଳନୀରେ ୭ଟି ପ୍ରାଯୁକ୍ତିକ ଅଧିବେଶନ ରହଥିଲା, ଯେଉଁଥିରେ ବିଶେଷ ବ୍ୟାଖ୍ୟାନ, ମୁଖ୍ୟ ବ୍ୟାଖ୍ୟାନ, ଏବଂ ଭାରତର ବିଭିନ୍ନ ପ୍ରସିଦ୍ଧ ବିଦ୍ୟାନୁଷ୍ଠାନର ଶୀର୍ଷ ଅଧ୍ୟାପକ ଏବଂ ବୈଜ୍ଞାନିକମାନଙ୍କ ଦ୍ଵାରା ଆମନ୍ତ୍ରିତ ବକ୍ତୃତା ଦିଆଯାଇଥିଲା।
ଏଥିସହ ବିଶେଷଜ୍ଞମାନେ ଫୋଟୋକଣ୍ଡକ୍ଟର, ଜୀବ ଅଂଶୁ ଘୂର୍ଣ୍ଣନ ଗୁଣଧର୍ମ (ସ୍ପିନ୍ଟ୍ରୋନିକ୍ସ), ନ୍ୟୁକ୍ଲିଅର ଫିଜିକ୍ସ ଦ୍ଵାରା କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଏବଂ ତଥ୍ୟ ବିଜ୍ଞାନ, ଡୁଆଲ ଫ୍ଲୋକେ ସିଷ୍ଟମ୍, ଉଚ୍ଚ ଉର୍ଜା ଭୌତିକ ବିଜ୍ଞାନ, ବ୍ରହ୍ମାଣ୍ଡର ନୂତନ ଅଗ୍ରଗତି, ନୂତନ ପିଢ଼ିର କୃତ୍ରିମ ବୁଦ୍ଧିମତାର ବିକାଶ ପାଇଁ ଭୌତିକ ବିଜ୍ଞାନ ଏବଂ ବସ୍ତୁ ଚିହ୍ନଟ ମଧ୍ୟରେ ସମନ୍ୱୟ, ମଲ୍ଟିଫେରୋଇକ୍ ପଦାର୍ଥର ସମ୍ଭାବନା, କାର୍ବନ୍ ଆଧାରିତ ତନ୍ତୁ ଉପାଦାନ ଦ୍ଵାରା ବିଦ୍ୟୁତ୍ ଚୁମ୍ବକୀୟ ପ୍ରତିରକ୍ଷା ଇତ୍ୟାଦିର ବିଷୟଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା।
ଏହି ସମ୍ମିଳନୀ ଶିକ୍ଷାର୍ଥୀମାନଙ୍କ ପାଇଁ ଅନେକ ଲାଭଦାୟକ ହୋଇପାରିଛି ବୋଲି କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଆଶାବ୍ୟକ୍ତ କରିଛନ୍ତି।
ସମ୍ମିଳନୀରେ ଫକୀରମୋହନ ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡକ୍ଟର ସୁନୀଲ କୁମାର ପାଢ଼ୀ ଯୋଗ ଦେଇଥିଲେ। ଏହାସହ ୧୮୦ରୁ ଅଧିକ ଗବେଷକ, ଅଧ୍ୟାପକ, ପୋଷ୍ଟଡକ୍ଟୋରାଲ୍ ବିଦ୍ୟାର୍ଥୀ, ଗବେଷଣା ଛାତ୍ରଛାତ୍ରଛାତ୍ରୀ ତଥା ସ୍ନାତକ ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ।
Tags: #FakirMohanUniversity #NationalSeminar #Physics #Education #Baleswar