ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ନିର୍ବାଚନୀ ସୀମା ପୁନଃ ନିର୍ଦ୍ଧାରଣ ବିରୋଧରେ ବଡ଼ ଲଢ଼େଇ ଆରମ୍ଭ କରିଛନ୍ତି ଏକାଧିକ ଦକ୍ଷିଣ ଭାରତୀୟ ରାଜ୍ୟ। ଶନିବାର ଏହି ପ୍ରସଙ୍ଗରେ ଚେନ୍ନାଇରେ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ଏହାର ନେତୃତ୍ଵ ନେଇଛନ୍ତି। ୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଏଥିରେ ଯୋଗ ଦେଇଥିଲେ। ଏହାସହ ବୈଠକରେ ଅନ୍ୟ ୩ଟି ରାଜ୍ୟର ବିରୋଧୀ ଦଳର ନେତାମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ।
ଏହି ବୈଠକରେ ଏମ କେ ଷ୍ଟାଲିନଙ୍କ ସମତେ କେରଳର ମୁଖ୍ୟମନ୍ତ୍ରୀ ପି ବିଜୟନ, ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏବଂ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଯୋଗ ଦେଇଥିଲେ। ଏଠାରେ ଓଡ଼ିଶାରୁ ବିଜେଡି ନେତା ଡକ୍ଟର ଅମର ପଟ୍ଟନାୟକ ଓ ସଞ୍ଜୟ ଦାସବର୍ମା ସାମିଲ ହୋଇଥିଲେ।
ବୈଠକରେ ଯୋଗ ଦେଇଥିବା ସବୁ ନେତା ନିଜ ନିଜ ରାଜ୍ୟରେ ନିର୍ବାଚନୀ ସୀମା ନିର୍ଦ୍ଧାରଣ ଦ୍ଵାରା ହେବାକୁଥିବା କ୍ଷତି ବିଷୟରେ ଅଲୋଚନା କରିଥିଲେ। ସମସ୍ତେ ଜନସଂଖ୍ୟା ଅନୁସାରେ ସୀମା ନିର୍ଦ୍ଧାରଣକୁ ବିରୋଧ କରିଥିଲେ।
“ଆମେ ଭାରତରେ ନିର୍ବାଚନୀ ସୀମା ନିର୍ଦ୍ଧାରଣ ବିରୋଧରେ ନାହୁଁ। ଆମେ ନିରପେକ୍ଷ ସୀମା ନିର୍ଦ୍ଧାରଣର ସପକ୍ଷରେ ଅଛୁ। ରାଜ୍ୟରେ ଜନସଂଖ୍ୟା ଅନୁସାରେ ସୀମା ନିର୍ଦ୍ଧାରଣ କରାଗଲେ ସଂସଦରେ ଆମର ପ୍ରତିନିଧିତ୍ୱ କମ୍ ହୋଇଯିବ। ଏହା ଦ୍ଵାରା ଆମକୁ କେନ୍ଦ୍ର ସରକାରଙ୍କଠାରୁ ପାଣ୍ଠି ପାଇବା ପାଇଁ ସଂଘର୍ଷ କରିବାକୁ ପଡ଼ିବ। ରାଜ୍ୟର ବିକାଶ ପଛରେ ପଡ଼ିଯିବ”, କହିଛନ୍ତି ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ।
ଜନସଂଖ୍ୟା ଅନୁସାରେ ସୀମା ପୁନଃ ନିର୍ଦ୍ଧାରଣ କରାଗଲେ ଉତ୍ତର ଭାରତର ରାଜ୍ୟଗୁଡ଼ିକ ପାଇଁ ସଂସଦରେ ଆସନ ସଂଖ୍ୟା ବଢ଼ିଯିବ। ଦକ୍ଷିଣ ରାଜ୍ୟଗୁଡ଼ିକୁ ଏଥିରୁ କ୍ଷତି ହେବ ବୋଲି ନେତାମାନେ ମତ ଦେଇଥିଲେ। ଏନେଇ ଆଗାମୀ ୨୫ ବର୍ଷ ପାଇଁ ସୀମା ପୁନଃ ନିର୍ଦ୍ଧାରଣକୁ ବନ୍ଦ କରାଯାଉ ବୋଲି ସବୁ ନେତାମାନେ ମତ ଦେଇଥିଲେ।
Tags: #Delimitation #Population #OppositionParties #Chennai #SouthStates #India