ଓଡ଼ିଶାଲାଇଭ୍ ବ୍ୟୁରୋ

(କୃଷ୍ଣ କୁମାର ମହାନ୍ତି): ଓଡ଼ିଶା ସୋସାଇଟି ଅଫ ଦି ଆମେରିକାସ୍ (ଓଏସ୍ଏ) ର ପୂର୍ବତନ ସଭାପତି ପ୍ରଫେସର ଡକ୍ଟର ଦିଗମ୍ବର ମିଶ୍ରଙ୍କର ୮୭ ବର୍ଷ ବୟସରେ ପରଲୋକ ଘଟିଛି। ଆମେରିକାର ବମିଂହାମରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ପ୍ରଫେସର ଦିଗମ୍ବର ମିଶ୍ର ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ଧରି ବମିଂହାମଠାରେ ରହୁଥିଲେ।

୧୯୩୮ ମସିହା ମେ’ ୮ ତାରିଖରେ ଯାଜପୁର ଜିଲ୍ଲା କମଳପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ଦିଗମ୍ବର ମିଶ୍ର ୧୯୬୭ ମସିହାରେ ଉତ୍କଳ ବିଶ୍ଵବିଦ୍ୟାଳୟରୁ କଳାରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ। ୧୯୭୫ ମସିହାରେ ଲୋକ ପ୍ରଶାସନରେ ସ୍ନାତକୋତ୍ତର ଏବଂ ଆଲବାମା ବିଶ୍ଵବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡକ୍ଟର ଅଫ୍ ଫିଲୋସୋଫି ହାସଲ କରିଥିଲେ। ଆଲବାମାରୁ ବର୍ମିହାମର ମାଇଲ୍ସ କଲେଜରେ ପ୍ରଫେସର ଏବଂ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟକ୍ଷ ଭାବରେ ଡକ୍ଟର ଦିଗମ୍ବର ମିଶ୍ର ପ୍ରଭାବଶାଳୀ ଛାପ ଛାଡ଼ି ଯାଇଛନ୍ତି।

ଡକ୍ଟର ଦିଗମ୍ବର ମିଶ୍ର ୧୯୯୧ରୁ ୧୯୯୩ ପର୍ଯ୍ୟନ୍ତ ଓଡ଼ିଶା ସୋସାଇଟି ଅଫ୍ ଦି ଆମେରିକାସ୍ (ଓଏସ୍ଏ) ର ସଭାପତି ଭାବରେ କାର୍ଯ୍ୟ କରିଥିଲେ। ଏହି ସମୟ ମଧ୍ୟରେ ଉତ୍ତର ଆମେରିକାର ଓଡ଼ିଆ ସମାଜ ପ୍ରତି ତାଙ୍କର ଗୁରୁତ୍ଵପୂର୍ଣ୍ଣ ଅବଦାନ ଥିଲା। ୨୦୦୩ ମସିହାରେ ଭାରତର ରାଜ୍ୟପାଳଙ୍କ କାର୍ଯ୍ୟ ସମ୍ବନ୍ଧରେ ସେ ଗବେଷଣା କରିବା ସହିତ ଏକ ପୁସ୍ତକ ‘ପଲିଟିକାଲ୍ ବିହେଭିଅର ଅଫ୍ ଇଣ୍ଡିଆନ୍ ଗଭର୍ଣ୍ଣର୍ସ’ ପ୍ରକାଶ ପାଇଥିଲା। ୨୦୦୬ରେ ଅଣଆବାସିକ ଓଡ଼ିଆ ସୁବିଧା କେନ୍ଦ୍ର (ଏନଆରଓଏଫସି) ରୁ ସେ ‘ବିଶିଷ୍ଟ ଓଡ଼ିଆ’ ପୁରସ୍କାର ପାଇଥିଲେ।

ପ୍ରଫେସର ଡକ୍ଟର ଦିଗମ୍ବର ମିଶ୍ରଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ତ‌ଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ, ଜର୍ମାନୀରେ ରହୁଥିବା ରାଜେନ୍ଦ୍ର ନାରାୟଣ ଦାସ, ସହପାଠୀ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ, କୃଷି ଓ କୃଷକ ଶସକ୍ତିକରଣ ବିଭାଗ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ, ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ଦେବୀ ପ୍ରସାଦ ମିଶ୍ର ଓ ଅଶୋକ ଚନ୍ଦ୍ର ପଣ୍ଡା, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, କବି ସୌଭାଗ୍ୟ କୁମାର ମିଶ୍ର, ଦେବଦାସ ଛୋଟରାୟ, ଧୀରେନ୍ଦ୍ର କର, କଥାକାର ଗୌରହରି ଦାସ, ସତ୍ୟ ପଟ୍ଟନାୟକ, ଅଧ୍ୟାପକ ବିଜୟ ମିଶ୍ର, ଉତ୍କଳ ହସ୍ପିଟାଲର ଡାକ୍ତର ଆଦିତ୍ୟ ସାମଲ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି।

Tags: #ProfDrDigambarMishra #Death #FormerPresidentofOdishaSocietyOfAmerica #Odisha

LEAVE A REPLY

Please enter your comment!
Please enter your name here