ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ଖଣି ମନ୍ତ୍ରାଳୟ ଅଧିନସ୍ଥ ନାସନାଲ ଆଲୁମିନିୟମ୍ କମ୍ପାନି ଲିମିଟେଡ଼ (ନାଲକୋ) ଆର୍ଥିକ ବର୍ଷ ୨୦୨୪-୨୫ରେ ଐତିହାସିକ ଆର୍ଥିକ ମାଇଲଖୁଣ୍ଟ ହାସଲ କରିଛି। ଏହି ଅବସରରେ ନାଲକୋର ସିଏମଡି ବ୍ରିଜେନ୍ଦ୍ର ପ୍ରତାପ ସିଂହ କର୍ମଚାରୀମାନଙ୍କୁ ସମ୍ବୋଧିତ କରିଛନ୍ତି। ଏଠାରେ ସେ କମ୍ପାନିର ସଂପ୍ରସାରଣ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ସମାପ୍ତି ଉପରେ ଗୁରୁତ୍ଵ ଦେଇଛନ୍ତି।

“ନାଲକୋର ବ୍ୟବସାୟ କ୍ଷେତ୍ରରେ ଉତ୍କୃଷ୍ଟତା ଏବଂ ଅଭିବୃଦ୍ଧିର ଏକ ନୂତନ ଯୁଗର ପ୍ରାରମ୍ଭ ହୋଇଛି। ଏହି ଉଲ୍ଲେଖନୀୟ ସଫଳତା କେବଳ ନାଲକୋ ପାଇଁ ନୁହେଁ ବରଂ ପ୍ରତ୍ୟେକ କର୍ମଚାରୀ, ଅଂଶୀଦାର, ଖଣି ମନ୍ତ୍ରାଳୟ ଓ ଆମ ରାଜ୍ୟ ଓଡ଼ିଶା ପାଇଁ ଗର୍ବର ମୁହୂର୍ତ୍ତ”, କହିଛନ୍ତି ବ୍ରିଜେନ୍ଦ୍ର ପ୍ରତାପ ସିଂହ।

ସେ ଆହୁରି ମଧ୍ୟ କହିଛନ୍ତି, “ଆଲୁମିନା ଓ ଆଲୁମିନିୟମର ବଜାର ଦରରେ ବୃଦ୍ଧି କମ୍ପାନି ସଫଳତାକୁ ଆଗକୁ ନେବାରେ ସହାୟକ ହୋଇଛି, କିନ୍ତୁ ଦୀର୍ଘକାଳୀନ ସଫଳତା ନିମନ୍ତେ କାର୍ଯ୍ୟକ୍ଷମତାରେ ଉତ୍କର୍ଷତା, ଏବଂ ଉଚ୍ଚ କାର୍ଯ୍ୟଦକ୍ଷତା ଗୁରୁତ୍ଵପୂର୍ଣ୍ଣ।”

ନାଲକୋର ପଞ୍ଚମ ଷ୍ଟ୍ରିମ ରିଫାଇନେରୀ ସଂପ୍ରସାରଣ, ପୋଟାଙ୍ଗୀ ଖଣି କାର୍ଯ୍ୟକ୍ଷମ, ସ୍କେଲ୍ଟର ପ୍ଲାଣ୍ଟ ତଥା କ୍ୟାପ୍ଟିଭ ପାୱାର ପ୍ଲାଣ୍ଟର ପ୍ରସ୍ତାବିତ ସଂପ୍ରସାରଣ ହେଲେ ସ୍ଥିତି ଆହୁରି ସୁଦୃଢ଼ ହୋଇପାରିବ ବୋଲି ସେ କହିଥିଲେ।

ନାଲକୋ ଆର୍ଥିକ ବର୍ଷ ୨୦୨୪-୨୫ରେ ସର୍ବକାଳୀନ ସର୍ବାଧିକ ୫,୩୨୫ କୋଟି ଟଙ୍କାର ନିଟ୍ ଲାଭ ରେକର୍ଡ କରି ଏକ ନୂତନ ଆର୍ଥିକ ମାଇଲଖୁଣ୍ଟ ସ୍ଥାପନ କରିଛି, ଯାହାକି ବିଗତ ଆର୍ଥିକ ବର୍ଷ ତୁଳନାରେ ୧୫୮ ପ୍ରତିଶତ ବୃଦ୍ଧି ହୋଇଛିI ଏହାସହ କମ୍ପାନି ଆର୍ଥିକ ବର୍ଷ ୨୦୨୪-୨୫ ସର୍ବକାଳୀନ ସର୍ବାଧିକ ରେକର୍ଡ ସହ ୧୬ ହାଜର ୭୮୮ କୋଟି ଟଙ୍କାର ମୋଟ ବ୍ୟବସାୟ କରିଛି।

ଏହି ଅବସରରେ ନାଲକୋର ବାଣିଜ୍ୟିକ ନିର୍ଦ୍ଦେଶକ ସଦାଶିବ ସାମନ୍ତରାୟ, ଉତ୍ପାଦନ ନିର୍ଦ୍ଦେଶକ ପଙ୍କଜ କୁମାର ଶର୍ମା, ପି ଆଣ୍ଡ ଟି ନିର୍ଦ୍ଦେଶକ ଜଗଦୀଶ ଅରୋରା, ମାନବ ସମ୍ବଳ ନିର୍ଦ୍ଦେଶକ ଡକ୍ଟର ତାପସ କୁମାର ପଟ୍ଟନାୟକ ଏବଂ ମୁଖ୍ୟ ସତର୍କତା ଅଧିକାରୀ ପ୍ରଣବଜ୍ୟୋତି ନାଥ ପ୍ରମୁଖ ଯୋଗ ଦେଇଥିଲେ।

Tags: #Nalco #BrijendraPratapSingh #Aluminium #India

Comment