ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଦୀର୍ଘ ୭ ବର୍ଷ ପରେ ଆସିଲା ବଡ଼ ରାୟ। ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ପାଟଣାଗଡ଼ ଏଡିଜେ କୋର୍ଟ। ଦୋଷୀକୁ ଆଜୀବନ କାରଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା ଆଦେଶ ଦିଆଯାଇଛି।

ଗତ ୨୦୧୮ ମସିହା ଫେବ୍ରୁଆରି ୧୮ ତାରିଖରେ ପାଟଣାଗଡ଼ରେ ସୌମ୍ୟଶେଖରଙ୍କ ସହ ରିମାଙ୍କର ବିବାହ ହୋଇଥିଲା। ରିସେପ୍ସନ ସମୟରେ ଅନେକ ଗିଫ୍ଟ ମିଳିଥିଲା। ୨୩ ତାରିଖରେ ମିଳିଥିବା ଗିଫ୍ଟ ଖୋଲିବା ସମୟରେ ଏକ  ବୋମା ବିସ୍ଫୋରଣ ହୋଇ ସୌମ୍ୟଶେଖର ଓ ତାଙ୍କ ଜେଜେମା’ଙ୍କର ମୃତ୍ୟୁ ହୋଇଥିଲା।

ଏହି ମାମଲାରେ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଗିରଫ କରାଯାଇଥିଲା। ସୌମ୍ୟଶେଖରଙ୍କ ମା’ ସଂଯୁକ୍ତା ସାହୁଙ୍କ ସହ ପୁଞ୍ଜିଲାଲ ମେହେରଙ୍କର ଶତ୍ରୁତା ରହିଥିଲା। ଏହାକୁ ନେଇ ପ୍ରତିଶୋଧ ପରାୟଣ ହୋଇ ଏକ କୋରିୟର ସଂସ୍ଥା ଜରିଆରେ ସଂଯୁକ୍ତାଙ୍କ ଘରକୁ ପାର୍ସଲରେ ଏକ ବୋମା ପଠାଇଥିଲେ ପୁଞ୍ଜିଲାଲା। କେହି ଗିଫ୍ଟ ଦେଇଛି ଭାବି ପାର୍ସଟିକୁ ଖୋଲିବା ମାତ୍ରେ ବିସ୍ଫୋରଣ ହୋଇଥିଲା।

ଏଥିରେ ସୌମ୍ୟଶେଖର ଓ ତାଙ୍କ ଜେଜେମା’ଙ୍କର ମୃତ୍ୟୁ ହୋଇଥିବା ବେଳେ ରିମା ଗୁରୁତର ଆହତ ହୋଇଥିଲେ। ତଦନ୍ତ ସମୟରେ ଏହି ଅଘଟଣ ପଛରେ ପୁଞ୍ଜିଲାଲା ମେହେରଙ୍କର ହାତ ରହିଥିବା ଜଣାପଡ଼ିଥିଲା। ପରେ ତାଙ୍କୁ ଗିରଫ କରାଯାଇଥିଲା।

ଏହାରି ମଧ୍ୟରେ ଏହି ଅଘଟଣକୁ ୭ ବର୍ଷ ବିତିଯାଇଛି। ବୁଧବାର ଦିନ ପାଟଣାଗଡ଼ ଏଡିଜେ କୋର୍ଟ ଏହି ମାମଲାର ରାୟ ପ୍ରକାଶ କରିଛନ୍ତି। ୨ ହଜାର ପୃଷ୍ଠାର ଚାର୍ଜସିଟ୍ ସହ ୬୦ରୁ ଅଧିକ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରି ଅଭିଯୁକ୍ତ ପୁଞ୍ଜିଲାଲ ମେହେରାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ।

Tags: #PatnagarhParcelBombCase #PunjilalMeher #PatnagarhADJCourt #LifeSentence #Balangir #Odisha

Comment