ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା। ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଳକର ଶୁଲିଆ ପୀଠ ପଶୁପକ୍ଷୀଙ୍କ ବଳିରେ ରକ୍ତରଞ୍ଜିତ ହୋଇଛି। ବଳିପ୍ରଥା ବନ୍ଦ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ସତ୍ତ୍ୱେ ଏଠାରେ ହଜାର ହଜାର ସଂଖ୍ୟାରେ ମାନସିକଧାରୀ ଶୁଲିଆ ଦେବତାଙ୍କ ପାଖରେ ବଳି ଚଢ଼ାଇଛନ୍ତି।

ଶୁଲିଆ ଯାତ୍ରା ପାଇଁ ମଙ୍ଗଳବାର ଭୋରରେ ଆଦିବାସୀମାନେ ପାରମ୍ପରିକ ବେଶରେ ସୁସଜ୍ଜିତ ହୋଇ ଅସ୍ତ୍ରଶସ୍ତ୍ର ଧରି ଶୋଭାଯାତ୍ରାରେ ଆସିଥିଲେ। ପ୍ରଥମେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ସମର୍ପଣ କଲା ପରେ ଧଳା ବୋଦା, କଳା କୁକୁଡ଼ା ଓ ପାରା ଆଦିକୁ ପ୍ରଥମେ ବଳି ଦିଆଯାଇଥିଲା। ଏହାପରେ ପୋଢ଼ ଓ ବୋଦାକୁ ବଳି ଦିଆଯାଉଥିବା ଦେଖିବାକୁ ମିଳିଥିଲା।

ଅନ୍ୟପଟେ ଶୁଲିଆ ଯାତ୍ରା ଲାଗି ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଶୁଲିଆ ପୀଠରେ ବହୁ ସଂଖ୍ୟାରେ ପୋଲିସ କର୍ମୀ ମୁତୟନ ହୋଇଥିଲେ।

ତେବେ ବଳିପ୍ରଥା ବନ୍ଦ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନ କରାଯାଇଥିଲେ ମଧ୍ୟ ଏହାର ବିଶେଷ ପ୍ରଭାବ ଲୋକଙ୍କ ଉପରେ ପଡ଼ିନଥିଲା। ଯାତ୍ରା ପୂର୍ବରୁ ହୋଇଥିବା ସମନ୍ଵୟ ବୈଠକରେ ପୁରୁଣା ପରମ୍ପରାର ବିଧିରକ୍ଷା ପାଇଁ ଆଦିବାସୀ ସଂଘ ପକ୍ଷରୁ ଅନୁରୋଧ କରାଯାଇଥିଲା।

ଶୁଲିଆ ଦେବତାଙ୍କ କରୁଣାରେ ମାନସିକ ପୂରଣ ହେଉଥିବା ଆଦିବାସୀମାନଙ୍କ ବିଶ୍ଵାସ ରହିଛି। ପ୍ରତିବର୍ଷ ପୌଷ ମାସର ପ୍ରଥମ ମଙ୍ଗଳବାର ଦିନ ଏହି ଶୁଲିଆ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଅନେକ ସଂଖ୍ୟାରେ ଆଦିବାସୀ ସମୁଦାୟର ଲୋକେ ଏଥିରେ ସାମିଲ ହୋଇଥାନ୍ତି।

Tags: #SuliaJatra #AnimalSacrifice #TribalCulture #Suliapitha #Balangir

Comment