ଓଡ଼ିଶାଲାଇଭ୍ ବ୍ୟୁରୋ

ବିଭିନ୍ନ ନିଶାଦ୍ରବ୍ୟ ତଥା ବିଷକ୍ତ ମାଦକ ଦ୍ରବ୍ୟ ବ୍ୟବହାରର କୁପରିଣାମ ବିଷୟରେ ଲୋକଙ୍କୁ ଅବଗତ କରିବା ପାଇଁ ରାଜ୍ୟ ସରକାରଙ୍କର ବିଶେଷ ଜନସଚେତନତା ଅଭିଯାନ ‘ଆମ ସଂକଳ୍ପ – ନିଶା ନୁହେଁ, ଜୀବନ’। ଅବକାରୀ ବିଭାଗ ପକ୍ଷରୁ ପ୍ରାୟ ଏକ ମାସ ଧରି ଚାଲିଥିବା ଏହି ଅଭିଯାନର ପ୍ରଥମ ପର୍ଯ୍ୟାୟ ନିକଟରେ ଶେଷ ହୋଇଛି। ଅଭିଯାନରେ ରାଜ୍ୟର କୋଣ ଅନୁକୋଣରେ ପହଞ୍ଚିଥିଲା ନିଶାମୁକ୍ତିର ବାର୍ତ୍ତା।
‘ଆମ ସଂକଳ୍ପ – ନିଶା ନୁହେଁ, ଜୀବନ’ ଅଭିଯାନକୁ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ବିଭାଗଗୁଡ଼ିକର ସମନ୍ଵୟରେ ସହରରୁ ଗାଁ ପର୍ଯ୍ୟନ୍ତ ବ୍ୟାପକ କରାଯାଇଥିଲା। ଓଡ଼ିଶାର ୩୩ ହଜାର ୭୪୮ଟି ଗାଁରେ ଗଡ଼ିଥିଲା ଅଭିଯାନର ସଚେତନତା ରଥ। ପାରମ୍ପରିକ ପାଲା, ଦାସକାଠିଆ ଏବଂ ଘୋଡ଼ାନାଚ ତଥା ପଥପ୍ରାନ୍ତ ନାଟକ ଭଳି ୩ ହଜାର ୩୨୫ଟି ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଘରେ ଘରେ ପହଞ୍ଚିଥିଲା ନିଶାମୁକ୍ତି ଅଭିଯାନର ବାର୍ତ୍ତା।
ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ସମାଜର ସବୁ ବର୍ଗର ଲୋକେ ଏହି ଅଭିଯାନ ସହ ଯୋଡ଼ି ହୋଇଥିଲେ। ସେମାନଙ୍କ ମଧ୍ୟରେ ମୋଟ ୫ ଲକ୍ଷ ୪୦ ହଜାରରୁ ଅଧିକ ସୂଚନା ପୁସ୍ତିକା ବଣ୍ଟନ କରାଯାଇଥିଲା। ଅଭିଯାନ ଅନ୍ତର୍ଗତ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ଓ ନିଶା ନିବାରଣ କେନ୍ଦ୍ରରେ ହୋଇଥିବା ସ୍ଵାସ୍ଥ୍ୟ ଶିବିରରେ ୨ ହଜାର ୮୪୯ ଜଣ ବ୍ୟକ୍ତି ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ।
ଏହି ଅଭିଯାନରେ ଜୁନ୍ ୫ ତାରିଖ ‘ବିଶ୍ଵ ପରିବେଶ ଦିବସ’ ଅବସରରେ ରାଜ୍ୟ ଅବକାରୀ ବିଭାଗ ଏବଂ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମିଳିତ ଆନୁକୂଲ୍ୟରେ ସବୁ ଜିଲ୍ଲାରେ ବ୍ୟାପକ ବୃକ୍ଷରୋପଣ କରାଯାଇଥିଲା। ଏଥିରେ ସାରା ରାଜ୍ୟରେ ୭,୫୬୨ଟି ବୃକ୍ଷରୋପଣ କରାଯାଇଥିଲା।

ସେହିପରି ଜୁନ୍ ୨୧ ତାରିଖରେ ‘ଅନ୍ତର୍ଜାତୀୟ ଯୋଗ ଦିବସ’ରେ କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ସମସ୍ତ ଜିଲ୍ଲାରେ ୩୦ ହଜାର ବ୍ୟକ୍ତି ଏଥିରେ ଅଂଶଗ୍ରହଣ କରିଥିଲେ। ଏହିସବୁ କାର୍ଯ୍ୟକ୍ରମ ମାଧ୍ୟମରେ ‘ଆମ ସଂକଳ୍ପ – ନିଶା ନୁହେଁ, ଜୀବନ’ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା।
ଅଭିଯାନର ପ୍ରଥମ ପର୍ଯ୍ୟାୟ ମେ’ ୩୧, ‘ବିଶ୍ୱ ତମାଖୁ ବର୍ଜନ’ ଦିବସରୁ ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଯାନର ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ‘‘ତମାଖୁ ଏବଂ ବିଭିନ୍ନ ମାଦକ ଦ୍ରବ୍ୟର ବ୍ୟବହାର ଫଳରେ ପ୍ରତିବର୍ଷ ବିଶ୍ଵରେ ପ୍ରାୟ ୮୦ ଲକ୍ଷ ଲୋକଙ୍କର ଜୀବନହାନି ହେଉଛି। ତା’ ଭିତରେ ଭାରତରେ ଏହି ସଂଖ୍ୟା ପ୍ରାୟ ୧୪ ଲକ୍ଷ। ତେଣୁ, ଏହାର କୁପରିଣାମ ବିଷୟରେ ଲୋକଙ୍କୁ ସଚେତନ କରାଯିବ। ବିଶେଷକରି, ରାଜ୍ୟରେ ଅବକାରୀ ଆଇନକୁ କଡ଼ାକଡ଼ି ପାଳନ କରିବା ସହ ବିଭିନ୍ନ ବେଆଇନ ରାସାୟନିକ ନିଶାଦ୍ରବ୍ୟ କାରବାରକୁ ରୋକିବା ପାଇଁ ବଳିଷ୍ଠ ପଦକ୍ଷେପ ନିଆଯିବ।’’

ଜୁନ ୨୬ ତାରିଖରେ ଅଭିଯାନର ଶେଷ ଦିନ ତଥା ଅନ୍ତର୍ଜାତୀୟ ନିଶା ସେବନ ଓ ବେଆଇନ କାରବାର ନିରୋଧ ଦିବସ ଅବସରରେ ରାଜଧାନୀ ଭୁବନେଶ୍ୱରରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କଳିଙ୍ଗ ଷ୍ଟାଡିୟମଠାରୁ ଏକ ସଚେତନତା ପଦଯାତ୍ରା ବାହାରି ଜନତା ମଇଦାନ ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ।
“ବିଭିନ୍ନ ନିଶାଦ୍ରବ୍ୟ ତଥା ଚୋରା ଓ ବେଆଇନ ମଦ କାରବାରକୁ ରୋକିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ହୋଇଥିବା ‘ଆମ ସଂକଳ୍ପ – ନିଶା ନୁହେଁ, ଜୀବନ’ ଏକ ବିଶେଷ ଅଭିଯାନ। ବିଭିନ୍ନ ବିଭାଗର ସମନ୍ଵୟରେ ଏହା ସଫଳ ହୋଇଛି। ରାଜ୍ୟର ସବୁ ଅଞ୍ଚଳରେ ନିଶାମୁକ୍ତିର ବାର୍ତ୍ତା ପହଞ୍ଚିପାରିଛି। ଅଭିଯାନର ଆଗାମୀ ପର୍ଯ୍ୟାୟଗୁଡ଼ିକୁ ମଧ୍ୟ ଆହୁରି ବ୍ୟାପକ କରାଯିବ,” କରିଥିଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
ଏହି ପଦଯାତ୍ରା ମାଧ୍ୟମରେ ବିଭିନ୍ନ ନିଶା ଓ ମାଦକ ଦ୍ରବ୍ୟ ସେବନର କୁପରିଣାମ ବିଷୟରେ ଲୋକଙ୍କୁ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମରେ ନାଟକ ଓ ଗୀତ ମାଧ୍ୟମରେ ନିଶାମୁକ୍ତିର ବାର୍ତ୍ତା ଦିଆଯାଇଥିଲା। ଏହି ଅବସରରେ ଅବକାରୀ ବିଭାଗର କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର, ରାଜ୍ୟ ଅବକାରୀ କମିଶନର ଧର୍ମେନ୍ଦ୍ର ମଲ୍ଲିକ, ଓଏସବିସିର ପରିଚାଳନା ନିର୍ଦ୍ଦେଶକ ଅମ୍ୱର କୁମାର କର, ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକାଶିଳ୍ପୀ ତଥା ଅଭିଯାନର ଅନ୍ୟତମ ବ୍ରାଣ୍ଡ ଆମ୍ବାସଡର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଅଭିନେତ୍ରୀ ପିଙ୍କି ପ୍ରଧାନଙ୍କ ସହିତ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀ, ବହୁ ବୁଦ୍ଧିଜୀବୀ ତଥା ଯୁବପିଢ଼ି ଯୋଗ ଦେଇଥିଲେ।
Tags: #AmaSankalpa #SayNoToDrugs #SayNoToIllicitLiquor #YesToLife #ExciseDept #Odisha


















