ଓଡ଼ିଶାଲାଇଭ୍ ବ୍ୟୁରୋ

  • ପାଲା, ଦାସକାଠିଆ, ଘୋଡ଼ାନାଚ ଓ ପଥପ୍ରାନ୍ତ ନାଟକ ଜରିଆରେ କରାଯିବ ସଚେତନ
  • ବିଦ୍ୟାଳୟସ୍ତରରେ ହେବ ପ୍ରବନ୍ଧ ପ୍ରତିଯୋଗିତା
  • ଜିଲ୍ଲା, ଉପଖଣ୍ଡ ଓ ବ୍ଲକରେ ବୁଲିବ ସଚେତନତା ରଥ
  • ବେଆଇନ ମାଦକ ଦ୍ରବ୍ୟ କାରବାର ଓ ଗଞ୍ଜେଇ ଚାଷ ରୋକିବାକୁ ପଦକ୍ଷେପ

(ଭୁବନେଶ୍ୱର): ରାଜ୍ୟରେ ଚାଲିଥିବା ବେଆଇନ ମାଦକ ଦ୍ରବ୍ୟ କାରବାର ଉପରେ ଲାଗିବ ଲଗାମ। ମେ’ ୩୧ରୁ ଆସନ୍ତା ଜୁନ ୨୬ ତାରିଖ ପର୍ଯ୍ୟନ୍ତ ବେଆଇନ ମାଦକଦ୍ରବ୍ୟ ବିରୋଧରେ ସଚେତନତା କାର୍ଯ୍ୟକ୍ରମ କରାଯିବ। ଏହି କାରବାରକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି କହିଛନ୍ତି ଆଇନ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ।

ରାଜ୍ୟରେ ମାଦକ ଦ୍ରବ୍ୟ କାରବାର ବନ୍ଦ କରିବା ଲାଗି ପଦକ୍ଷେପ ନେଇଛନ୍ତି ସରକାର। ଏ ନେଇ ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷଠାରେ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ସ୍ତରରୁ ଆରମ୍ଭ କରି ଗ୍ରାମପଞ୍ଚାୟତ ପର୍ଯ୍ୟନ୍ତ ରାଜ୍ୟର କୋଣ ଅନୁକୋଣରେ ମାଦକ ଦ୍ରବ୍ୟ କାରବାର ଏବଂ ସେବନ ବିରୋଧରେ ସଚେତନତାର ବାର୍ତ୍ତା ପହଞ୍ଚାଇବାକୁ ପଡ଼ିବ ବୋଲି ମନ୍ତ୍ରୀ କହିଛନ୍ତି।

ବିଭାଗୀୟ ମନ୍ତ୍ରୀ ଆହୁରି କହିଛନ୍ତି, “ପାଲା, ଦାସକାଠିଆ, ଘୋଡ଼ାନାଚ ସହ ପଥପ୍ରାନ୍ତ ନାଟକ ମଧ୍ୟମରେ ଏ ଦିଗରେ ଲୋକଙ୍କୁ ସେଚତନ କରିବାକୁ ଯୋଜନା ରହିଛି। ଜିଲ୍ଲା, ଉପଖଣ୍ଡ ଓ ବ୍ଲକ ସ୍ତରରେ ସଚେତନତା ରଥ ବୁଲିବ। ଏଥିପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି।”

ଗ୍ରାମଞ୍ଚଳରେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ସାମିଲ କରି ବିଦ୍ୟାଳୟ ସ୍ତରରେ ବେଆଇନ ନିଶା ସେବନ ଓ ଏହାର ଭୟାବହତା ବିଷୟରେ ପ୍ରବନ୍ଧ ପ୍ରତିଯୋଗିତାର ଆୟୋଜନ କରିବାକୁ ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପରାମର୍ଶ ଦେଇଥିଲେ।

ଏହି ଅବସରରେ ଅବକାରୀ ବିଭାଗ କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର ଆୟୋଜିତ ହେବାକୁ ଥିବା ଏହି ସଚେତନତା କାର୍ଯ୍ୟକ୍ରମର ଆଭିମୁଖ୍ୟ ସହ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ବିଭାଗର ସମ୍ପୃକ୍ତି ବିଷୟରେ ବୈଠକରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏଥିସହ ବିଭିନ୍ନ ବିଭାଗ ଜରିଆରେ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ‘Say Yes to Life, No to Drugs’ ସଂକଳ୍ପ କାର୍ଯ୍ୟକ୍ରମ ଏବଂ ବେଆଇନ ନିଶା କାରବାରକୁ ରୋକିବା ଦିଗରେ ‘ମାନସ ପୋର୍ଟାଲ’ (MANAS Portal) ଏବଂ ୧୯୩୩ ହେଲପ୍‌ଲାଇନ୍‌ ନମ୍ବର ଉପଯୋଗ ବିଷୟରେ ଲୋକଙ୍କୁ ସଚେତନ କରାଯିବ ବୋଲି କହିଥିଲେ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ସଚିବ ଅରବିନ୍ଦ ଅଗ୍ରୱାଲ, ପୋଲିସ ଡିଆଇଜି (ଏସ୍‌ଟିଏଫ୍‌) ପିନାକ ମିଶ୍ରଙ୍କ ସମେତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ବାଣିଜ୍ୟ ଓ ପରିବହନ, କ୍ରୀଡ଼ା ଓ ଯୁବସେବା, ବିଦ୍ୟାଳୟ ଓ ଗଣଶିକ୍ଷା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ପଞ୍ଚାୟତିରାଜ ଓ ପାନୀୟ ଜଳ, ମିଶନ ଶକ୍ତି ଆଦି ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Tags: #IllegalExciseBusiness #ExciseDept #Odisha #AwarenessProgram Odisha

Comment