ସତୀଶ ଶର୍ମା

ଆସାମର ଗୁଆହାଟୀରେ ଆସନ୍ତା ଅକ୍ଟୋବର ୬ରୁ ୧୧ ତାରିଖ ଯାଏଁ ଖେଳାଯିବାକୁ ଥିବା ବିଶ୍ଵ କନିଷ୍ଠ ବ୍ୟାଡମିଣ୍ଟନ ଚାମ୍ପିୟନସିପ ଲାଗି ଘୋଷିତ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ଓଡ଼ିଶାର ବିଶାଖା ଟପ୍ପୋ।

ପ୍ରଥମ ଆଦିବାସୀ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଖେଳିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ୧୭ ବର୍ଷୀୟ ବିଶାଖା। ଗୁବାହାଟିରେ ଆୟୋଜିତ ହେବାକୁ ଥିବା ବିଶ୍ୱ ଜୁନିଅର ବ୍ୟାଡମିଣ୍ଟନ ଚ୍ୟାମ୍ପିୟନସିପ ପାଇଁ ଘୋଷିତ ୨୫ ଜଣିଆ ଭାରତୀୟ ଦଳରେ ବିଶାଖାଙ୍କ ନାଁ ରହିଛି।

ରାଉରକେଲା ଇସ୍ପାତ କାରଖାନାରେ କାର୍ଯ୍ୟରତ ଚାରୋ ଟପ୍ପୋ ଏବଂ ଜୟଶ୍ରୀ ଟପ୍ପୋଙ୍କ ଝିଅ ହେଉନ୍ତି ବିଶାଖା। ୨୦୦୭ ମସିହା ସେପ୍ଟେମ୍ବର ୨୫ ତାରିଖରେ ବିଶାଖାଙ୍କ ଜନ୍ମ। ତିନି ଭଉଣୀଙ୍କ  ମଧ୍ୟରୁ ସବୁଠାରୁ ସାନ ହେଉଛନ୍ତି ବିଶାଖା। ବିଶାଖା ପିଲାଟି ଦିନରୁ ବ୍ୟାଡମିଣ୍ଟନ ପ୍ରତି ଆକୃଷ୍ଟ ହୋଇଥିଲେ।

ନିଜର କଠୋର ପରିଶ୍ରମ ଏବଂ ପରିବାରର ସହଯୋଗ ଯୋଗୁଁ ବ୍ୟାଡମିଣ୍ଟନ ଖେଳରେ ସଫଳତା ହାସଲ କରିଛନ୍ତି ବିଶାଖା ଟପ୍ପୋ। ଝିଅକୁ ଖେଳ ମଇଦାନକୁ ନେବା ପାଇଁ ଅନେକ ପରିଶ୍ରମ କରିବାକୁ ପଡ଼ିଛି ବାପାଙ୍କୁ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଝିଅକୁ ରାକେଟ୍ ଧରାଇ ସାଙ୍ଗରେ ଖେଳୁ ଥିଲେ ବାପା ଚାରୋ ଟପ୍ପୋ। ଏହିଠାରୁ ଆରମ୍ଭ ହୋଇଥିଲା ଜଣେ ଅନ୍ତର୍ଜାତୀୟ ଖେଳାଳିର ନିର୍ମାଣ।

ସେକ୍ଟର-୯ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ କେନ୍ଦ୍ରରେ କୋଚ ମହମ୍ମଦ ହାସିମଙ୍କଠାରୁ ପ୍ରଶିକ୍ଷଣ ନେବା ଆରମ୍ଭ କରିଥିଲେ ବିଶାଖା। ମାତ୍ର ୧୩ ବର୍ଷ ବୟସରେ ଓଡ଼ିଶା ଚ୍ୟାମ୍ପିୟନ ହୋଇଥିଲେ ବିଶାଖା।

ଗତ ୨୦୨୩ ଜୁନରେ ଉତ୍ତରପ୍ରଦେଶର ବିବିଡି ୟୁପି ବ୍ୟାଡମିଣ୍ଟନ ଏକାଡମୀ ଆୟୋଜିତ ବାଳିକା ଯୁଗଳ ୧୭ ବର୍ଗରୁ କମ୍ ୟୋନେକ୍ସ-ସନରାଇଜ ସର୍ବଭାରତୀୟ ଉପକନିଷ୍ଠ ରାଙ୍କିଙ୍ଗ ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ। ୨୦୨୨ ଡିସେମ୍ବରରେ ଭୁବନେଶ୍ଵରରେ ଆୟୋଜିତ ସନରାଇଜ ଜାତୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପରେ ଉପକନିଷ୍ଠ ବର୍ଗର ମିଶ୍ରିତ ଯୁଗଳରେ ବିଜେତା ହୋଇଥିଲେ ବିଶାଖା ଟପ୍ପୋ।

୨୦୨୨ ଜାନୁଆରିରେ ଗଣ୍ଡିଗଡ଼ଠାରେ ପ୍ରଥମ ଜାତୀୟ ମ୍ୟାଚ ଖେଳିଥିବା ବେଳେ ପୁଣେରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ ବିଶାଖା।

ବିଶାଖଙ୍କ ସଫଳତା

  • ୨୦୧୯ ଅଣ୍ଡର ୧୩ ଓଡ଼ିଶା ଚ୍ୟାମ୍ପିୟନ୍ 
  • ୨୦୨୩ ଅଣ୍ଡର ୧୯ ଡବଲ୍ସ (କାଂସ୍ୟ)  
  • କୋଲକାତା ପୂର୍ବ ଅଞ୍ଚଳ (ସ୍ଵର୍ଣ୍ଣ) 
  • ହାଇଦ୍ରାବାଦ ଜାତୀୟ ସବଜୁନିୟର (୨ କାଂସ୍ୟ)  
  • ଉଦୟପୁର ଅଣ୍ଡର ୧୯ ଡବଲ୍ସ (ରୌପ୍ୟ)  
  • ୨୦୨୪ ଚେନ୍ନାଇ ଖେଲୋ ଇଣ୍ଡିଆ (ରୌପ୍ୟ)  
  • ୨୦୨୪ ଗୟା ପୂର୍ବାଞ୍ଚଳ (ସ୍ଵର୍ଣ୍ଣ)
  • ୨୦୨୪ ଭୁବନେଶ୍ୱର ୪୭ତମ ଜୁନିଅର ନ୍ୟାସନାଲ୍ ମିକ୍ସଡ୍ ଡବଲ୍ସ (ସ୍ଵର୍ଣ୍ଣ)

ବିଶାଖା ବର୍ତ୍ତମାନ ପର୍ଯ୍ୟନ୍ତ ନେପାଳ, ଶ୍ରୀଲଙ୍କା, ଥାଇଲାଣ୍ଡ, ନେଦରଲ୍ୟାଣ୍ଡ ଓ ଜର୍ମାନୀରେ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇଛନ୍ତି।

କ୍ରୀଡ଼ା ଜଗତରେ ତାଙ୍କର ପ୍ରେରଣା ହେଉଛନ୍ତି ଫୁଟବଲ୍‌ର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ବ୍ୟାଡମିଣ୍ଟନ ଖେଳାଳି ଜାପାନୀୟ ଯୁଗଳ ଚିହାରୁ ଶିଡା ଓ ନାମି ମାଟସୁୟାମା।

“ବ୍ୟାଡମିଣ୍ଟନ ଗୋଟିଏ ମହଙ୍ଗା ଖେଳ। ଅଧିକାଂଶ ଧନୀ ଶ୍ରେଣୀର ପିଲାମାନେ ହିଁ ଏହି ଖେଳକୁ ଆସନ୍ତି। କଠିନ ପରିଶ୍ରମ ଏବଂ ଦୃଢ଼ ନିଷ୍ଠା ମଣିଷକୁ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚାଏ, ଏହା ମୁଁ ପ୍ରମାଣ କରିବାକୁ ଚାହେଁ”, କୁହନ୍ତି ବିଶାଖା।

ସେ କହୁନ୍ତି ଦେଶ ପାଇଁ ଖେଳିବା ଗର୍ବର କଥା। ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଜିତିବାକୁ ଆଶା ରଖିଛନ୍ତି ବିଶାଖା।

(ଲେଖକ ହେଉଛନ୍ତି ଜଣେ ବରିଷ୍ଠ କ୍ରୀଡ଼ା ସାମ୍ବାଦିକ। ମତାମତ ସମ୍ପୂର୍ଣ୍ଣ ନିଜସ୍ୱ।)

Tags: #VishakhaToppo #BadmintonPlayer #FirstTribalInternationalBadmintonPlayer #Odisha

Comment