ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡ ସୁପରଷ୍ଟାର ବାବୁସାନଙ୍କ ଆଗାମୀ ସିନେମା ‘ଶ୍ରୀମାନ ସୁରଦାସ’ ଦଶହରା ଅବସରରେ ରିଲିଜ ହେବାକୁ ଯାଉଛି ଆସନ୍ତୁ ଜାଣିବା ଏହି ସିନେମା ବିଷୟରେ କିଛି ରୋଚକ କଥା…

ଓଲିଉଡର ଷ୍ଟାରସନ ବାବୁସାନଙ୍କୁ ଗତ କିଛି ବର୍ଷ ହେବ ନୂଆ ବର୍ଷ, ରଜ ଓ ଦଶହରା ଅବସରରେ ରିଲିଜ୍ ହେଉଥିବା ଓଡ଼ିଆ ସିନେମାରେ ପ୍ରାୟତଃ ଦେଖିବାକୁ ମିଳୁଛି।

ଚଳିତବର୍ଷ ବାବୁସାନଙ୍କୁ ଜାନୁଆରିରେ ରିଲିଜ୍‌ ହୋଇଥିବା ଓଡ଼ିଆ ଫିଲ୍ମ ‘ଓନ୍‌ଲି ପ୍ୟାର୍’ରେ ଦେଖିବାକୁ ମିଳିଥିଲା। ତା’ପରେ ରଜ ଅବସରରେ ମୁକ୍ତିଲାଭ କରିଥିବା ଓଡ଼ିଆ ସିନେମା ‘ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌’ରେ ନଜର ଆସିଥିଲେ ବାବୁସାନ୍। ଏଥର ଟିକେ ବ୍ୟତିକ୍ରମ କରି ବାବୁସାନ୍‌ ପୁଣି ଗଣେଶ ପୂଜାକୁ ବି ଆସୁଛନ୍ତି ‘ଲୋକାଲ୍ ଟୋକା ଲଭ୍‌ ଚୋଖା’ରେ।

ଏହି ତିନିଟି ଅବସର ପରେ ଦର୍ଶକଙ୍କ ଉତ୍କଣ୍ଠା ରହିଛି ଦଶହରାକୁ। ସିନେପ୍ରେମୀମାନେ ଜାଣିବାକୁ ଚାହୁଁଛନ୍ତି ଯେ ତାଙ୍କର ପ୍ରିୟ ନାୟକ ବାବୁସାନଙ୍କୁ ସେମାନେ ପୂଜା ବଜାରର କେଉଁ ଓଡ଼ିଆ ସିନେମାରେ ଦେଖିବାକୁ ପାଇବେ। ଦଶହରା ଅବସରରେ ରିଲିଜ ହେଉଛି ବାବୁସାନଙ୍କ ସିନେମା ‘ଶ୍ରୀମାନ ସୁରଦାସ’।

ବାବୁସାନ୍‌ ହେଲେ ଶ୍ରୀମାନ୍‌ ସୁରଦାସ

ଓଲିଉଡ ସୁପରଷ୍ଟାର ବାବୁସାନ୍‌ ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌ ବନିବା ପରେ ଏବେ ହୋଇଛନ୍ତି ଶ୍ରୀମାନ୍‌ ସୁରଦାସ। ‘ଶ୍ରୀମାନ୍‌ ସୁରଦାସ’ ଚରିତ୍ରରେ ପୂଜା ବଜାରକୁ ଆସିବେ ବାବୁସାନ୍‌।

ତରଙ୍ଗ ସିନେ ପ୍ରଡକ୍ସନର ନୂଆ ସିନେମା ‘ଶ୍ରୀମାନ୍‌ ସୁରଦାସ’ରେ ବାବୁସାନ୍‌ ଟାଇଟଲ୍‌ ରୋଲ୍‌ରେ ଆସୁଛନ୍ତି। ଏହି ଫିଲ୍ମରେ ଦର୍ଶକ ତାଙ୍କର ପ୍ରିୟ ନାୟକଙ୍କୁ ଜଣେ ଦୃଷ୍ଟିହୀନ ଯୁବକ ଭୂମିକାରେ ଦେଖିବାକୁ ପାଇବେ।

ବାବୁସାନ ପୁଣିଥରେ ତରଙ୍ଗ ସିନେ ପ୍ରଡକ୍ସନ୍ସରେ

ଏଥର ପୂଜା ବଜାରରେ ବାବୁସାନଙ୍କର ଯେଉଁ ଓଡ଼ିଆ ସିନେମା ରିଲିଜ୍‌ ହେବ, ତାହାର ପ୍ରଯୋଜନା କରୁଛନ୍ତି ତରଙ୍ଗ ସିନେ ପ୍ରଡକ୍ସନ୍ସ। ଏହା ବାବୁସାନଙ୍କର ତରଙ୍ଗ ବ୍ୟାନରରେ ଷଷ୍ଠ ସିନେମା ହେବ।

ଏହି ପ୍ରଯୋଜନା ସଂସ୍ଥା ଦ୍ୱାରା ପ୍ରଯୋଜିତ ଓଡ଼ିଆ ସିନେମା ‘ଲଭ ଷ୍ଟେସନ୍’ରେ ପ୍ରଥମେ ଅଭିନୟ କରିଥିଲେ ବାବୁସାନ୍। ‘ଲଭ୍‌ଷ୍ଟେସନ’ ବ୍ଲକବଷ୍ଟର ହିଟ୍ ହେବା ପରେ ଗତ ତିନିବର୍ଷ ଧରି ଲଗାତାର ବାବୁସାନ୍‌ ତରଙ୍ଗ ସିନେ ପ୍ରଡକ୍ସନ୍ସର ରଜ ଓ ପୂଜା ସିନେମାରେ କାମ କରିଆସୁଛନ୍ତି। ତରଙ୍ଗର ଅନ୍ୟ ଯେଉଁସବୁ ସିନେମାରେ ବାବୁସାନ ଅଭିନୟ କରିଛନ୍ତି, ତାହା ହେଲା ‘ଲଭ ପାଇଁ କୁଛ୍‌ଭି କରେଗା’, ‘ସିଷ୍ଟର ଶ୍ରୀଦେବୀ’, ‘ହିରୋ ନମ୍ବର ୱାନ୍’ ଓ ‘ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌’।

ପୁଣି ବାବୁସାନଙ୍କ ନାୟିକା ହେଲେ ଭୂମିକା

ଏଥର ଦଶହରାରେ ଆସୁଥିବା ବାବୁସାନଙ୍କ ଫିଲ୍ମରେ ପୁଣି ଥରେ ନାୟିକା ସାଜିଛନ୍ତି ଭୂମିକା। ଭୂମିକାଙ୍କ ଡେବ୍ୟୁ ଫିଲ୍ମ ହେଲା ‘ତୁ ମୋ’ ଲଭଷ୍ଟୋରି’। ତା’ପରେ ତାଙ୍କୁ ‘ହିରୋ ନମ୍ବର ୱାନ୍’ରେ ବାବୁସାନଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲେ। ଗତବର୍ଷର ପୂଜା ବଜାର ଭଳି ଏଥର ପୂଜା ବଜାରରେ ବି ବାବୁସାନ୍‌- ଭୂମିକାଙ୍କ ଯୋଡ଼ି ଧମାଲ୍ କରିବେ ବୋଲି ଆଶା କରାଯାଉଛି।

ଫେରିଲେ ବୁଦ୍ଧାଦିତ୍ୟ

ଓଲିଉଡର ପ୍ରତିଭାବାନ୍‌ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ବେଶ୍‌ କିଛି ଦିନର ବ୍ୟବଧାନରେ ପୁଣି ଓଡ଼ିଆ ସିନେମାରେ ନଜର ଆସିବେ। ସେ ‘ଶ୍ରୀମାନ୍‌ ସୁରଦାସ’ ସିନେମାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି।

‘ଶ୍ରୀମାନ୍‌ ସୁରଦାସ’ ହେବ ବୁଦ୍ଧାଦିତ୍ୟଙ୍କର ବାବୁସାନ୍‌ ଓ ତରଙ୍ଗ ସିନେ ପ୍ରଡକ୍ସନ୍ ସହିତ ଦ୍ୱିତୀୟ ସିନେମା। ବୁଦ୍ଧାଦିତ୍ୟ ଆଗରୁ ବାବୁସାନ୍‌ଙ୍କ ସହିତ ଫିଲ୍ମ ‘ଲୋଫର୍‌’ରେ କାମ କରିଥିଲେ। ଏଣେ ବୁଦ୍ଧାଦିତ୍ୟ ତରଙ୍ଗ ସିନେ ପ୍ରଡକ୍ସନ୍‌ ବ୍ୟାନର୍‌ରେ ନିର୍ମିତ ‘ଜଗା ହାତରେ ପଘା’ରେ ଆଗରୁ ଖଳନାୟକ ଭୂମିକାରେ ନଜର ଆସିଥିଲେ। ବୁଦ୍ଧାଦିତ୍ୟ ନିର୍ଦ୍ଦେଶକ ପତିଙ୍କ ସହିତ ମଧ୍ୟ ନନ୍ଦିନୀ ଆଇ ଲଭ ୟୁ, ପ୍ରେମରୋଗୀ ଓ ଲୋଫର୍‌ ପରେ ପୁଣି ଥରେ ‘ଶ୍ରୀମାନ ସୁରଦାସ’ରେ କାମ କରୁଛନ୍ତି।

ଖଳନାୟକ ଭୂମିକାରେ ମିହିର ଦାସ

‘ଶ୍ରୀମାନ ସୁରଦାସ’ ସିନେମାରେ ମିହିର ଦାସ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ଜଣାଯାଇଛି। ତରଙ୍ଗ ସିନେ ପ୍ରଡକ୍ସନସ ଓ ନିର୍ଦ୍ଦେଶକ ଅଶୋକ ପତି ଭର୍ସାଟାଇଲ୍‌ ଆକ୍ଟରେ ମିହିର ଦାସଙ୍କୁ ପୁଣି ଏକ ଦମ୍‌ଦାର୍‌ ଭୂମିକାରେ ନେଇଥିବା କୁହାଯାଉଛି।

ନିର୍ଦ୍ଦେଶକ ଅଶୋକ ପତିଙ୍କ ସିନେମାରେ ବାବୁସାନ୍

ବାବୁସାନ ପୁଣି ଥରେ ଓଲିଉଡର ଷ୍ଟାଇଲିସ୍‌ ଡିରେକ୍ଟର ଅଶୋକ ପତିଙ୍କ ସହିତ କାମ କରୁଛନ୍ତି। ଆଗରୁ ଅଶୋକଙ୍କ ନିର୍ଦ୍ଦେଶନାରେ ବାବୁସାନ୍‌

‘ସଞ୍ଜୁ ଓ ସଞ୍ଜନା’, ‘ଲୋଫର୍‌’, ‘ଦିୱାନା ଦିୱାନି’, ‘ଇଡିଅଟ୍’, ‘ସୁପର ମିଛୁଆ’, ‘ୱାନ୍ ଫୋର୍‌ ଥ୍ରି ଆଇ ଲଭ୍‌ ୟୁ’, ‘ଲଭ ଷ୍ଟେସନ’, ‘ଲଭ ପାଇଁ କୁଛ୍‌ ଭି କରେଗା’, ‘ସିଷ୍ଟର ଶ୍ରୀଦେବୀ’ ଓ ‘ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌’ ଆଦି ସିନେମାରେ କାମ କରି ସଫଳତା ହାସଲ କରିଛନ୍ତି।

ଏଥର ପୂଜା ବଜାର ପାଇଁ ବାବୁସାନଙ୍କ ଯେଉଁ ସିନେମା ତିଆରି ହେଉଛି, ସେହି ଟିମ୍‌ରେ ନିର୍ଦ୍ଦେଶକ ଅଶୋକ ପତି, ନାୟକ ବାବୁସାନ୍‌, ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍‌ ମଜୁମଦାର, ସଂଳାପ ଲେଖକ ରଣଜିତ୍‌ ପଟ୍ଟନାୟକ ଓ ଗୀତିକାର ଡ ନିର୍ମଳ ନାୟକ ଅଛନ୍ତି। ଏମାନଙ୍କୁ ଏକ ହିଟ୍‌ ଟିମ୍ ବୋଲି କୁହାଯାଏ। ଏ ଦୃଷ୍ଟିରୁ ଆଶା କରାଯାଇପାରେ ଯେ ଏଥର ପୂଜାରେ ଏହି ହିଟ୍‌ ଟିମ୍‌ ପୁଣି ନିଜର କମାଲ୍‌ ଦେଖାଇବେ।

Comment