ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ଭିନେତା ବାବୁସାନଙ୍କ ଆଜି ଜନ୍ମଦିନ। ଏହି ଅବସରରେ ବିଭିନ୍ନ ମହଲରୁ ବାବୁଙ୍କୁ ଶୁଭେଚ୍ଛାର ସୁଅ।

ଓଲିଉଡର ସୁପରଷ୍ଟାର୍ ଯୋଡ଼ି ଉତ୍ତମ-ଅପରାଜିତାଙ୍କ ସୁପୁତ୍ର ତନ୍ମୟ ମହାନ୍ତି ଓରଫ୍ ବାବୁସାନ୍ ଯେଉଁ ସିନେମାରୁ ଅଭିନୟର ଯାତ୍ରା ଆରମ୍ଭ କରିଥିଲେ। ସେହି ସିନେମାରୁ ବି ଗାୟକ ଭାବେ ସେ ସ୍ଵୀକୃତି ଲାଭ କରିଥିଲେ। ୨୦୦୯ରେ ରିଲିଜ୍ ହୋଇଥିବା ବାବୁସାନଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ‘ରୋମିଓ ଦ ଲଭର ବୟ’ର ଗୀତରେ କଣ୍ଠଦାନ କରିଥିଲେ ବାବୁସାନ୍। ନିଜେ ପରଦା ଉପରେ ନାୟକ ସାଜିଥିଲେ, ଆଉ ନିଜ ଗୀତ ବି ନିଜେ ଗାଇଥିଲେ ସେ। ଏହି ଫିଲ୍ମର ପ୍ରଯୋଜନା କରିଥିଲେ ବ୍ରଜରାଜ ମୁଭିଜ୍। ଏହାର ନିର୍ଦ୍ଦେଶକ ଥିଲେ ସ୍ଵର୍ଗତ ହର ପଟ୍ଟନାୟକ।

ବାବୁସାନ୍ ତାଙ୍କର ପ୍ରଥମ ସିନେମା ‘ରୋମିଓ ଦ ଲଭର ବୟ’ରେ ଓଲିଉଡର ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ସ୍ଵରୂପ ନାୟକଙ୍କ ସ୍ଵର ସଂଯୋଜନାରେ ପ୍ରଥମେ ଗୀତ ଗାଇଥିଲେ। ‘ରୋମିଓ ଦ ଲଭର୍ ବୟ’ର ଟାଇଟଲ୍ ଗୀତ ବେଶ୍ ଲୋକପ୍ରିୟ ହୋଇଥିଲା।

ତା’ ପରେ ୨୦୧୦ରେ ରିଲିଜ୍ ହୋଇଥିବା ଫିଲ୍ମ ‘ପ୍ରେମ ଅଢ଼େଇ ଅକ୍ଷର’ରେ ପୁଣି ବାବୁସାନଙ୍କ କଣ୍ଠରେ ଏକ ଶ୍ରୁତିମଧୁର ଗୀତ ବେଶ୍ ଚର୍ଚ୍ଚିତ ହୋଇଥିଲା। ଏହି ଗୀତଟି ହେଲା ମେଘରୁ ତୁ ଝରିଲୁ। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର। ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ପ୍ରେମ ଅଢ଼େଇ ଅକ୍ଷର’ର ଏହି ସୁପରହିଟ୍ ଗୀତ ପାଇଁ ବାବୁସାନ୍ ଶ୍ରେଷ୍ଠ କଣ୍ଠଶିଳ୍ପୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ଲାଭ କରିଥିଲେ। ‘ପ୍ରେମ ଅଢ଼େଇ ଅକ୍ଷର’ ପରେ ବାବୁସାନ୍ ଅନ୍ୟ କୌଣସି ସିନେମାରେ ମଳୟ ମିଶ୍ରଙ୍କ ସ୍ଵର ସଂଯୋଜନାରେ ଗୀତ ଗାଇ ନାହାନ୍ତି।

ଓଲିଉଡ୍ ସୁପରଷ୍ଟାର୍ ବାବୁସାନ୍ ଏଯାବତ୍ ସବୁଠାରୁ ଅଧିକ ସଂଖ୍ୟକ ସିନେମାରେ ଯେଉଁ ସଙ୍ଗୀତକାରଙ୍କ  କମ୍ପୋଜିସନରେ ଗୀତ ଗାଇଛନ୍ତି ସେ ହେଲେ ଅଭିଜିତ୍ ମଜୁମ୍‌ଦାର।

ତରଙ୍ଗ ସିନେ ପ୍ରଡକ୍ସନର ବ୍ଲକବଷ୍ଟର ମୁଭି ‘ଲଭ୍ ଷ୍ଟେସନ’ର ଆରମ୍ଭ ହୋଇଥିଲା ଅଭିଜିତ୍-ବାବୁସାନ୍‌ଙ୍କ ଯୋଡ଼ି। ଏହାପରେ ଆଜିଯାଏଁ ସେମାନଙ୍କ ଯୋଡ଼ି ଅବ୍ୟାହତ ରହିଛି। ଅଶୋକ ପତିଙ୍କ ‘ଲଭ୍ ଷ୍ଟେସନ୍’ରେ ବାବୁସାନ୍ ଗାଇଥିବା ଗୋଟିଏ ଓରେ ସାୱରିୟା… ଗୀତ ବେଶ୍ ଲୋକପ୍ରିୟ ହୋଇଥିଲା। ତା’ ପରେ ଅଭିଜିତ୍ ମଜୁମ୍‌ଦାରଙ୍କ ସ୍ଵର ସଂଯୋଜନାରେ ବାବୁସାନ୍  ‘ଲଭ୍ ପାଇଁ କୁଛ ଭି କରେଗା’, ‘ସୁନା ପିଲା ଟିକେ ସ୍କୃ ଢ଼ିଲା’, ସୁନ୍ଦରଗଡ଼ର ସଲମାନ୍ ଖାନ ଓ ଜବରଦସ୍ତ ପ୍ରେମିକ ଆଦି ସିନେମାରେ ମଧ୍ୟ କଣ୍ଠଦାନ କରିଛନ୍ତି।

ଚଳିତ ବର୍ଷ ମୁକ୍ତିଲାଭ କରିଥିବା ‘ଲୋକାଲ୍ ଟୋକା ଲଭ୍ ଚୋଖା’ରେ ମଧ୍ୟ ବାବୁସାନ ଗାଇଥିବା ଏକ ଗୀତ ଖୁବ୍ ଲୋକପ୍ରିୟ ହୋଇଛି। ତାହା ହେଲା ଆଖି ମାଗେ ମଞ୍ଜୁରି…। ସୁଧାଂଶୁ ମୋହନ ସାହୁ ଏହି ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାସ।

ଖ୍ୟାତାନାମା ସଙ୍ଗୀତ ନିର୍ଦ୍ଦେଶକ ବିକାଶ ଦାସଙ୍କ ସ୍ଵର ସଂଯୋଜନାରେ ମଧ୍ୟ ଓଲିଉଡ୍ ସୁପରଷ୍ଟାର ବାବୁସାନ୍ କଣ୍ଠଦାନ କରିଛନ୍ତି। ଏହି ସଙ୍ଗୀତକାରଙ୍କ ସ୍ଵର ସଂଯୋଜିତ  ‘ଶୂନ୍ୟତାକୁ ପଚାରେ ଯେବେ… ଗୀତଟି ଖୁବ୍ ଲୋକପ୍ରିୟ ହୋଇଥିଲା। ବାବୁସାନ୍ ଏହି ଗୀତଟି ଫିଲ୍ମ ‘ସୁପର ମିଛୁଆ’ ପାଇଁ ଗାଇଥିଲେ। ଗୁଡଲି ରଥଙ୍କ  ସ୍ଵର ସଂଯୋଜନାରେ ବାବୁସାନ୍ ଚକୋଲେଟ୍ ଫିଲ୍ମର ଏକ ସୁପରହିଟ୍ ଗୀତ ମିଠା ମିଠା ଛୁଆଁରେ…’ରେ କଣ୍ଠଦାନ କରି ବେଶ୍ ଚର୍ଚ୍ଚିତ ହୋଇଥିଲେ  ବାବୁସାନ୍। ଏତଦ୍‌ବ୍ୟତୀତ ସେ ଆଉ କେତେକ ଗୀତରେ କଣ୍ଠଦାନ କରିଛନ୍ତି।

ଏଇ ନିକଟରେ ଓଲିଉଡର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦଙ୍କ ସ୍ଵର ସଂଯୋଜନାରେ ପ୍ରଥମ ଥର ଲାଗି ଗୀତ ଗାଇଥିଲେ ବାବୁସାନ୍। ଏହି ନୂଆ ଫିଲ୍ମ ହେଲା ‘ଅଜବ  ସଞ୍ଜୁର ଗଜବ ଲଭ୍’। ଏହି ଗୀତଟି ହେଲା… ମୁସ୍କିଲ ହେ ଜିନା ତେରେ ବିନା। ‘ଅଜବ ସଞ୍ଜୁର ଗଜବ ଲଭ୍’ର ନିର୍ଦ୍ଦେଶକ ହେଲେ ଅଶୋକ ପତି। ଏହି ଗୀତଟି ଶ୍ରୋତାଙ୍କୁ ମନକୁ ଛୁଇଁପାରିଥିଲା।

Comment