ଓଡ଼ିଶାଲାଇଭ୍ ବ୍ୟୁରୋ

ଗତକାଲି ହାଇକୋର୍ଟ ଯାଇଥିଲେ ଆଜି ଭୁବନେଶ୍ୱର କୋର୍ଟରେ ପହଞ୍ଚି ମାନହାନି ମକଦ୍ଦମା ରୁଜୁ କରିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର। ସେ ୫ କୋଟି ୧୦ ହଜାର ଟଙ୍କାର ମାନହାନି ମକଦ୍ଦମା ରୁଜୁ କରିଛନ୍ତି। ଅଭିନେତା ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ, ଶ୍ୱଶୁର ଲଳିତ ଶତପଥୀ ଏବଂ ୟୁଟ୍ୟୁବ ବିରୋଧରେ ମାମଲା ହୋଇଛି।

ଜୁଲାଇ ମାସ ୨୩ ତାରିଖରେ ଅଭିନେତା ବାବୁସାନ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବାବେଳେ ବାବୁସାନଙ୍କ ପତ୍ନୀ ତୃପ୍ତି ପ୍ରକୃତିଙ୍କୁ ରାସ୍ତା ଉପରେ ଗାଳିଗୁଲଜ ସହ ମାରପିଟ କରିଥିଲେ। ଏହି ଘଟଣା ଭିନ୍ନ ମୋଡ଼ ନେବା ପରେ ଉଭୟ ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଥିଲା।

୫ କୋଟି ୧୦ ଲକ୍ଷ ଟଙ୍କାର ମାନହାନି ମକଦ୍ଦମା

ନିଜ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ନ୍ୟାୟ ପାଇବା ପାଇଁ ମଙ୍ଗଳବାର ଦିନ ପ୍ରକୃତି ମିଶ୍ର ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଆଜି ସେ ଭୁବନେଶ୍ୱର କୋର୍ଟରେ ହଜାର ହୋଇ ନିଜର ମାନସମ୍ମାନ ହାନି ହୋଇଥିବା ଦର୍ଶାଇ ୫ କୋଟି ୧୦ ଲକ୍ଷ ଟଙ୍କାର ମାନହାନି ମକଦ୍ଦମା ରୁଜୁ କରିଛନ୍ତି। ତୃପ୍ତି ଶତପଥୀ ଏବଂ ତାଙ୍କ ବାପା ଲଳିତ ଶତପଥୀ ତଥା ୟୁଟ୍ୟୁବକୁ ପକ୍ଷଭୁକ୍ତ କରାଯାଇଛି। ସେହିଦିନ ଘଟଣାସ୍ଥଳରେ ଉପସ୍ଥିତ ଥିବା ଅନ୍ୟ ୮ଜଣଙ୍କ ବିରୋଧରେ ମଧ୍ୟ ମୋକଦ୍ଦମା ରୁଜୁ କରାଯିବ ବୋଲି କହିଛନ୍ତି ପ୍ରକୃତି ମିଶ୍ରଙ୍କ ଓକିଲ ବ୍ୟୋମକେଶ ତ୍ରିପାଠୀ।

ବ୍ୟୋମକେଶ ତ୍ରିପାଠୀଙ୍କ ସୂଚନା ଅନୁସାରେ ୟୁଟ୍ୟୁବରେ ପ୍ରକୃତିଙ୍କ ପ୍ରତି ଅପମାନଜନକ ଭିଡିଓ ଥିବାରୁ ୟୁଟ୍ୟୁବକୁ ପକ୍ଷଭୁକ୍ତ କରାଯାଇଛି। ୟୁଟ୍ୟୁବରେ ପ୍ରକୃତିଙ୍କ ମାନସମ୍ମାନ ଓ ଇଜ୍ଜତକୁ ଆଞ୍ଚ ଆସିବା ପରି ସମ୍ବାଦ ପରିବେଷଣ କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୋଲିସ୍ ଏହି ମାମଲାରେ ଉପଯୁକ୍ତ ଦଫା ଲଗାଇ ନାହିଁ। ଗତ ୧୬ ତାରିଖରେ ପ୍ରକୃତିଙ୍କ ପକ୍ଷରୁ ଭୁବନେଶ୍ୱର ଡିସିପିଙ୍କୁ ଚିଠି ଦିଆଯାଇଥିଲା, କିନ୍ତୁ କୌଣସି ନ୍ୟାୟ ନମିଳିବାରୁ ସେମାନେ ବାଧ୍ୟ ହୋଇ କୋର୍ଟଙ୍କ ଦ୍ଵାରସ୍ଥ ହୋଇଥିବା କହିଛନ୍ତି।

ଯିଏ ମାଡ଼ ମାରିଛି ସିଏ ଭୁଲ ମାଗିବା ଦରକାର: ପ୍ରକୃତିଙ୍କ ଓକିଲ

ପ୍ରକୃତି ମିଶ୍ରଙ୍କ ଓକିଲ ବ୍ୟୋମକେଶ ତ୍ରିପାଠୀ କହିଛନ୍ତି ଏହା ଘରୋଇ ସମସ୍ୟା ହୋଇଥିବାରୁ ପ୍ରକୃତିଙ୍କ ବାପା ଉଭୟ ପରିବାର ମଧ୍ୟରେ ବୁଝାମଣା ହୋଇଯାଉ ବୋଲି ଚାହୁଁଥିଲେ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସମାଧାନର କୌଣସି ବାଟ ବାହାରି ପାରିଲା ନାହିଁ। ଯିଏ ପ୍ରକୃତି ମିଶ୍ରଙ୍କୁ ମାଡ଼ ମାରି ସମ୍ମାନ ହାନୀ କରିଛନ୍ତି ତାଙ୍କୁ ଭୁଲ ମାଗିବାକୁ ପଡ଼ିବ। ସେ କହିଛନ୍ତି ଦୁଇ ପକ୍ଷ ମଧ୍ୟରେ ଆପୋସ ଆଲୋଚନା ସହ ଭୁଲ ମାଗିବା ପରେ ଘଟଣାର ସମାଧାନ ହୋଇପାରିବ।

ଜୁଲାଇ ୨୩ ତାରିଖରେ ଭୁବନେଶ୍ୱର ସତ୍ୟନଗର ଅଞ୍ଚଳରେ ବାବୁସାନଙ୍କ ପତ୍ନୀ ତୃପ୍ତି ପ୍ରକୃତିଙ୍କୁ ରାସ୍ତା ଉପରେ ମାଡ଼ ମାରିଥିଲେ। ଏହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଉଭୟ ବାବୁସାନଙ୍କ ପତ୍ନୀ ଏବଂ ପ୍ରକୃତି ମିଶ୍ର ପରସ୍ପର ବିରୋଧରେ ଥାନାରେ ମାମଲା ରୁଜୁ କରିଥିଲେ। କିନ୍ତୁ ପୋଲିସ୍ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ କରିଛନ୍ତି ପ୍ରକୃତି ମିଶ୍ର।

Tags: #ActressPrakrutiMishra #Trupti #BabusanMohanty #Case #Court #DefamationCase

Comment