ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଞ୍ଚଳରେ ଗତ ୨୦୨୧ ମସିହାରେ ଘଟିଥିବା ନାବାଳିକା ଅପହରଣ ମାମଲାର ବିଚାର କରି ସୋମବାର ଦିନ ଜୟପୁର ସ୍ୱତନ୍ତ୍ର ପକ୍ସୋ କୋର୍ଟ ଦୋଷୀକୁ ୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହ ୯ ହଜାର ଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦେୟ ଅଧିକ ଜେଲ୍ ଦଣ୍ଡ ଭୋଗିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଦୋଷୀ ସାବ୍ୟସ୍ତ ହୋଇଥିବା ଯୁବକ ହେଉଛି ବୋରିଗୁମ୍ମା ଥାନା ଟପାଡ଼ ଅଞ୍ଚଳର ସୁନାଧର ପୁଜାରୀ।

ଗତ ୨୦୨୧ ମସିହାରେ ଟପାଡ଼ ଅଞ୍ଚଳର ଜଣେ ନାବାଳିକାକୁ ରାତିରେ ତାଙ୍କ ଘରୁ ଅପହରଣ କରିବାକୁ ଉଦ୍ୟମ କରିବା ସହ ଅଦସ ବ୍ୟବହାର କରିଥିଲା ସୁନାଧର। ନାବାଳିକା ଜଣକ ପାଟି କରିବାରୁ ତାଙ୍କ ଘର ଲୋକ ଅପହରଣ କରୁଥିବା ସୁନାଧରକୁ କାବୁ କରି ପୋଲିସ ଜିମାର ଦେଇଥିଲେ।

ନାବାଳିକାଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ବୋରିଗୁମ୍ମା ଥାନା ପୋଲିସ ଏକ ଅପହରଣ ମାମଲା ରୁଜୁ କରି ସୁନାଧରକୁ ଗିରଫ କରିଥିଲା। ସୋମବାର ଦିନ ଜୟପୁର ସ୍ୱତନ୍ତ୍ର ପକ୍ସୋ କୋର୍ଟ ଏହି ମାମଲାର ବିଚାର କରିଥିଲେ। ଏହି ମାମଲାରେ କୋର୍ଟ ମୋଟ ୮ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିଥିଲେ। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି କୋର୍ଟ ଅଭିଯୁକ୍ତ ସୁନାଧରକୁ ଦୋଷୀ ସାବ୍ୟସ୍ତ କରି ଏହି ରାୟ ପ୍ରଦାନ କରିଛନ୍ତି।

Tags: #Court #PocsoCourt #Miner #Judgement #Kidnap

Comment