ଓଡ଼ିଶାଲାଇଭ୍ ବ୍ୟୁରୋ

(ଫୁଲବାଣୀରୁ ସଦାଶିବ ପାତ୍ର): ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଫୁଲବାଣୀ ଫାଷ୍ଟ ଟ୍ରାକ୍ କୋର୍ଟ ତଥା ପୋକ୍ସୋ କୋର୍ଟ। ଏହା ସହ ୨୦ ହଜାର ଟଙ୍କା ଜୋରିମାନା ଆଦେଶ ଦିଆଯାଇଛି। ଜୋରିମାନା ଅନାଦେୟ ଅଧିକ ୧୦ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି।

ନାବାଳିକା ଦୁଷ୍କର୍ମ ମାମଲାରେ ୧୧ ଜଣ ସାକ୍ଷୀ ଏବଂ ଡାକ୍ତରୀ ରିପୋର୍ଟକୁ ଆଧାର କରି ଅଭିଯୁକ୍ତ ସରୋଜ ସାଣ୍ଢଙ୍କୁ ଦୋଷୀ ସାବ୍ୟସ୍ତ କରି ବିଚାରପତି ମିହିର ରଞ୍ଜନ ପରିଡ଼ା ଏହି ରାୟ ପ୍ରଦାନ କରିଛନ୍ତି।

ଗତ ୨୦୧୭ ମସିହା ଜୁନ ୨୩ ତାରିଖରେ ନାବାଳିକାଙ୍କୁ ସରୋଜ ସାଣ୍ଢ ଅପହରଣ କରି ନେଇଥିଲେ। ପ୍ରାୟ ୧୫ ଦିନ ବିଭିନ୍ନ ସ୍ଥାନରେ ନାବାଳିକାଙ୍କୁ ରଖି ଦୁଷ୍କର୍ମ କରିଥିଲେ। ଝିଅ ନିଖୋଜ ହେବା ନେଇ ପରିବାର ପକ୍ଷରୁ ଫିରିଙ୍ଗିଆ ଥାନାରେ ଅଭିଯୋଗ କରାଯାଇଥିଲା।

ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ନାବାଳିକାକୁ ଜିଲ୍ଲା ବାହାରକୁ ନେବା ପାଇଁ ସରୋଜ ଯୋଜନା କରିଥିବା ସୂଚନା ପାଇ ଫିରିଙ୍ଗିଆ ଥାନା ପୋଲିସର ଏକ  ଟିମ୍ ୨୦୧୭ ଜୁଲାଇ ୧୧ ତାରିଖରେ ଫିରିଙ୍ଗିଆ ବସ ଷ୍ଟାଣ୍ଡରେ ପହଞ୍ଚିଥିଲା। ପୋଲିସକୁ ଦେଖି ସରୋଜ ଫେରାର ହେବାକୁ ଉଦ୍ୟମ କରିବା ସମୟରେ ପୋଲିସ ତାଙ୍କୁ ଗିରଫ କରିଥିଲା।

ପୀଡ଼ିତା ଏବଂ ଅଭିଯୁକ୍ତଙ୍କୁ ପୋଲିସ ଥାନାକୁ ନେଇ ପଚରା ଉଚରା କରିଥିଲା। ପୀଡ଼ିତା ଘଟଣା ସମ୍ପର୍କରେ ପୋଲିସକୁ ସବୁ ଜଣାଇବା ପରେ ଉଭୟଙ୍କର ଡାକ୍ତରୀ ମାଇନା କରାଯାଇଥିଲା। ଗିରଫ ପରେ ସରୋଜଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ଦୀର୍ଘ ୭ ବର୍ଷ ପରେ ଏହି ମାମଲାର ରାୟ ପ୍ରକାଶ ପାଇଛି।

Tags: #Phulbani #Court #POCSOCourt #Rapist #MinorGirlRapeCase

LEAVE A REPLY

Please enter your comment!
Please enter your name here