ଓଡ଼ିଶାଲାଇଭ୍ ବ୍ୟୁରୋ

(ଫୁଲବାଣୀରୁ ସଦାଶିବ ପାତ୍ର): କେକେବିଏନ ସଂଗଠନର ଦୁଇ ମାଓବାଦୀ ରଞ୍ଜିତ ନାୟିତମ ଓ ଉଙ୍ଗା ପୋୟମ ଗୁରୁବାର ଦିନ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଡିଜିପି ସୁନୀଲ ବଂଶଲ।

ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ଛତିଶଗଡ଼ ଅଞ୍ଚଳର। ଉଭୟ ମାଓବାଦୀ ଆଞ୍ଚଳିକ କମିଟିର ସଦସ୍ୟ ଥିଲେ। ରଞ୍ଜିତ ଓ ଉଙ୍ଗା ଛତିଶଗଡ଼ ଏବଂ ଓଡ଼ିଶାରେ ଅନେକ ହିଂସା କାର୍ଯ୍ୟକଳାପରେ ଲିପ୍ତ ଥିଲେ। ସେମାନେ ଆତ୍ମସମର୍ପଣ କରିବାକୁ ବୌଦ୍ଧ ଏସ୍‌ପିଙ୍କୁ ଯୋଗାଯୋଗ କରିଥିଲେ।

ସରକାରଙ୍କ ଥଇଥାନ ନୀତି ଅନୁସାରେ ଆତ୍ମସମର୍ପଣକାରୀଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ଡିଜିପି ସୁନୀଲ ବଂଶ କହିଛନ୍ତି। ମାଓବାଦୀମାନେ ହିଂସା ପଥ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଡିଜିପି ପରାମର୍ଶ ଦେଇଛନ୍ତି।

ମହିଳା କ୍ୟାଡରମାନଙ୍କୁ ଯୌନ ନିର୍ଯାତନା ଦେବା, ଲୋକଙ୍କୁ ଭୟଭୀତ କରି ଚାନ୍ଦା ଆଦାୟ କରିବା, ଯୁବତୀଯୁବକମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ସଙ୍ଗଠନରେ ସାମିଲ କରିବା ଏବଂ ବରିଷ୍ଠ କ୍ୟାଡରମାନଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ସଂଗଠନ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ଉଭୟ ରଞ୍ଜିତ ନାୟିତମ ଓ ଉଙ୍ଗା ପୋୟମ।

Tags: #Kandhamal #Maoist #KKBNDivision #MaoistSurrenders #Phulbani #Odisha

Comment