ଓଡ଼ିଶାଲାଇଭ୍ ବ୍ୟୁରୋ

Section 377 Scrapped

ସମଲିଙ୍ଗୀ ବିବାହକୁ ନେଇ ଆସିଲା ସୁପ୍ରିମକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ। ସମଲିଙ୍ଗୀ ବିବାହକୁ ସ୍ଵୀକୃତି ଦେବାକୁ ମନା କରିବା ସହ ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ବିବାହ ଏକ ମୌଳିକ ଅଧିକାର ନୁହେଁ ବୋଲି ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ରାୟରେ ଦର୍ଶାଇଛନ୍ତି।

ଏହା ସହ କୋର୍ଟ କହିଛନ୍ତି ସଂସଦ ଆଇନ ନଆଣିବା ପର୍ଯ୍ୟନ୍ତ ସମଲିଙ୍ଗୀ ବିବାହକୁ ସ୍ଵୀକୃତି ଦେଇହେବ ନାହିଁ। ଏହା ଉପରେ ସଂସଦ ନିଷ୍ପତ୍ତି ନେଉ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସମଲିଙ୍ଗୀଙ୍କ ସହ ହେଉଥିବା ଭେଦଭାବ ରୋକିବା ପାଇଁ କେନ୍ଦ୍ର ସରକାର ଏବଂ ପୋଲିସକୁ ମାର୍ଗଦର୍ଶିକା ଜାରି କରିଛନ୍ତି କୋର୍ଟ।

ସମଲିଙ୍ଗୀ ବିବାହକୁ ଆନଗତ ସ୍ଵୀକୃତି ପ୍ରଦାନ କରିବାକୁ ଦେଶର ବିଭିନ୍ନ ହାଇକୋର୍ଟରେ ଆବେଦନ କରାଯାଇଥିଲା। ଗତବର୍ଷ ଡିସେମ୍ବର ମାସରେ ସମସ୍ତ ମାମଲା ସୁପ୍ରିମକୋର୍ଟକୁ ଆସିଥିଲା। ଏହା ପରେ ଏ ସଂସକ୍ରାନ୍ତରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ମାଗିଥିଲେ। ସୁପ୍ରିମକୋର୍ଟ ଗତ ମେ’ ମାସ ୧୧ ତାରିଖରେ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ।

କ’ଣ ରହିଛି ସମଲିଙ୍ଗୀଙ୍କ ଦାବି?

ସମଲିଙ୍ଗୀ ବିବାହକୁ ଆନଗତ ସ୍ଵୀକୃତି ପ୍ରଦାନ କରିବାକୁ ଆବେଦନ କରିଥିଲେ ୧୮ଟି ସମଲିଙ୍ଗୀ ଯୋଡ଼ି। ସାଧାରଣ ଦମ୍ପତିଙ୍କ ଭଳି ଜୀବନ ଅତିବାହିତ କରିବାକୁ ଅନୁମତି ଦେବା ପାଇଁ ସେମାନଙ୍କର ଦାବି ରହିଛି। ଏହା ସହ ସେମାନେ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଯେପରି କୌଣସି ପ୍ରତିବନ୍ଧକ ନରହିବ। କେବଳ ସେତିକି ନୁହେଁ ସମ୍ପତି କିଣିବା ସମୟରେ ଯେପରି ସେମାନଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ନପଡ଼େ। ସମାଜରେ ମୁଣ୍ଡ ଟେକି ବଞ୍ଚିବାର ଅଧିକାର ପ୍ରଦାନ କରିବା ଆଦି ଏମାନଙ୍କର ଦାବି ରହିଛି।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଜଷ୍ଟିସ ସଞ୍ଜୟ କିଷନ କୌଲ ସମଲିଙ୍ଗୀ ଯୋଡ଼ିଙ୍କ ଅଧିକାର ସମପକ୍ଷରେ ଯୁକ୍ତି ବାଢ଼ିଥିଲେ। ସମଲିଙ୍ଗୀ ବିବାହ ଉପରେ ଚାରି ଜଣ ବିଚାରପତି ମୁଖ୍ୟ ବିଚାରପତି ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଏସ ରବୀନ୍ଦ୍ର ଭଟ୍ଟ, ଜଷ୍ଟିସ ପିଏସ ନରସିହ୍ମା ଏବଂ ଜଷ୍ଟିସ ହିମା କୋହଲି ମିଶ୍ରିତ ନିଷ୍ପତ୍ତି ଶୁଣାଇଥିଲେ।

ସୁପ୍ରିମକୋର୍ଟ ସମଲିଙ୍ଗୀ ଯୋଡ଼ିଙ୍କୁ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଅଧିକାର ପ୍ରଦାନ କରିଛନ୍ତି। ସମଲିଙ୍ଗୀଙ୍କ ନିମନ୍ତେ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି କୋର୍ଟ। କୋର୍ଟ କହିଛନ୍ତି ସମଲିଙ୍ଗୀଙ୍କ ସହ ଯେପରି କୌଣସି ଭେଦଭାବ କରାନଯାଏ ତା’ ଉପରେ ଦୃଷ୍ଟି ଦେବାର ଆବଶ୍ୟତକା ରହିଛି। ସମଲିଙ୍ଗୀଙ୍କ ଲାଗି ସୁରକ୍ଷିତ ବାସଗୃହ, ଡାକ୍ତରୀ ଚିକିତ୍ସା, ସେମାନଙ୍କ ଅଭିଯୋଗ ଶୁଣିବା ଲାଗି ଏକ ହେଲପଲାଇନ ନମ୍ବର, ପୋଲିସ ସେମାନଙ୍କୁ ହଇରାଣ ହରକତ କରିବେ ନାହିଁ ଏବଂ ଯେଉଁମାନେ ନିଜ ଘରକୁ ଯିବାକୁ ଚାହିଁବେ ନାହିଁ ସେମାନଙ୍କ ଉପରେ ଯେପରି ବଳ ପ୍ରୟୋଗ କରାଯିବ ନାହିଁ ସେ ଉପରେ ପଦକ୍ଷେପ ନେବାକୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

Tags: #Supremecourt #Judgement #samesexmarriage #lgbtq #India

Comment