ଓଡ଼ିଶାଲାଇଭ୍ ବ୍ୟୁରୋ

ଫାଶୀଦଣ୍ଡ ସବୁଠାରୁ ଭୟଙ୍କର ଏବଂ ଯନ୍ତ୍ରଣାଦାୟକ ଏବେ ଫାଶୀର ବିକଳ୍ପ ଖୋଜିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ଯାହାକୁ ନେଇ ଆରମ୍ଭ ହୋଇଛି ବିତର୍କ, ଭାରତରେ ହୋଇପାରେ ଫାଶୀଦଣ୍ଡର ବିକଳ୍ପ?

ଫାଶୀଦଣ୍ଡ ସବୁଠାରୁ ଭୟଙ୍କର ଏବଂ ଯନ୍ତ୍ରଣାଦାୟକ ଦଣ୍ଡ। ଏହା ଦ୍ଵାରା ମାନବାଧିକାର କ୍ଷୁର୍ଣ୍ଣ ହେଉଛି ବୋଲି ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାକୁ ନେଇ ସୁପ୍ରିମକୋର୍ଟରେ ଏକ ମାମଲା ମଧ୍ୟ ଚାଲିଛି। କିଛି ଦିନ ତଳେ ଏହି ମାମଲାର ଶୁଣାଣି କରି ଫାଶୀର ବିକଳ୍ପ ଖୋଜିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଯାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଚାଲିଛି। ତେବେ ଭାରତରେ କ’ଣ ହୋଇପାରେ ଫାଶୀଦଣ୍ଡର ବିକଳ୍ପ ତାକୁ ନେଇ ଆମ୍ଭ ହୋଇଛି ବିତର୍କ।

ସୁପ୍ରିମକୋର୍ଟ କହିଛନ୍ତି “ଯଦି ବିଜ୍ଞାନସମ୍ମତ କୌଣସି କମ ଯନ୍ତ୍ରଣାଦାୟକ ବିକଳ୍ପ ମୃତ୍ୟୁଦଣ୍ଡର ଅନୁସନ୍ଧାନ କରାଯାଇ ପାରେ ତେବେ ଫାଶୀକୁ ଅସାମ୍ବିଧାନିକ ଘୋଷଣା କରାଯାଇପାରିବ।”

କ୍ୟାପିଟାଲ ପନିସମେଣ୍ଟ, ଡେଥ୍ ପେନାଲ୍ଟି ବା ମୃତ୍ୟୁଦଣ୍ଡ, ଯେ କୌଣସି ଦେଶର ଦଣ୍ଡବିଧିରେ ଏହା ସବୁଠାରୁ ଭୟଙ୍କର ଦଣ୍ଡ। ଯେତେବେଳେ କେହି ଅତି ଘୃଣ୍ୟ, ହିଂସ୍ର ଅପରାଧ କରିଥାଏ ଏବଂ ତା’ଠାରେ ବଦଳିବାର କୌଣସି ଲକ୍ଷଣ ନ ଥାଏ ସେତେବେଳେ କୋର୍ଟ ତାକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରନ୍ତି। ତେବେ ଆମ ଦେଶର ଆଇନ ବ୍ୟବସ୍ଥାରେ ମୃତ୍ୟୁଦଣ୍ଡ ପାଇଁ କେବଳ ଫାଶୀର ବ୍ୟବସ୍ଥା ରହିଛି।

କାହିଁକି ମିଳେ ଫାଶୀଦଣ୍ଡ?

ଦେଶଦ୍ରୋହ ପ୍ରମାଣିତ ହେଲେ ଫାଶୀଦଣ୍ଡ ମିଳିଥାଏ। ଆଇପିସି ଧାରା ୧୩୨ ଅନୁସାରେ ଦେଶ ବିରୋଧରେ ବିଦ୍ରୋହ ବା ଲଢ଼େଇ ପାଇଁ ଉସ୍‌କାଇଥିଲେ ମଧ୍ୟ ଫାଶୀଦଣ୍ଡରେ ଦଣ୍ଡିତ କରାଯାଏ। ଆଇପିସି ଧାରା ୩୦୨ ଅନୁସାରେ ହତ୍ୟା ଅପରାଧ ପାଇଁ ଫାଶୀ ଦଣ୍ଡ ମିଳିଥାଏ। ସେହିପରି କୌଣସି ନାବାଳକ ନାବାଳିକା କିମ୍ବା ମାନସିକ ଭିନ୍ନକ୍ଷମକୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରିଥିଲେ ମଧ୍ୟ ଫାଶୀ ଦଣ୍ଡ ମିଳେ।

ଆଜୀବନ କାରାଦଣ୍ଡ ଭୋଗିଥିବା କୌଣସି ଅପରାଧୀ ଯଦି ହତ୍ୟା ଉଦ୍ୟମ କରିଥିବା ପ୍ରମାଣିତ ହୁଏ ତେବେ ଆଇପିସି ଧାରା ୩୦୭(୨) ଅନୁସାରେ ଫାଶୀ ଦଣ୍ଡାଦେଶର ପ୍ରାବଧାନ ରହିଛି। ଦୁଷ୍କର୍ମରେ କୌଣସି ପୀଡ଼ିତାଙ୍କର ମୃତ୍ୟୁ କିମ୍ବା ସେ କୋମାକୁ ଚାଲିଯାଇଥିଲେ ଅପରାଧୀକୁ ଫାଶୀଦଣ୍ଡ ଶୁଣାନ୍ତି କୋର୍ଟ। ଏହା ସହିତ ଆହୁରି ଅନେକ ଅପରାଧ ରହିଛି ଯେଉଁଥି ପାଇଁ ଭାରତୀୟ ଦଣ୍ଡବିଧିରେ ସିଧାସଳଖ ଫାଶୀ ଦେବାର ବ୍ୟବସ୍ଥା ରହିଛି।telengana high court-2

ଫାଶୀ ଦେବା ମୁଖ୍ୟ କାରଣ ହେଉଛି, ଏହା ସମାଜ ପାଇଁ ଏକ ବଡ଼ ଉଦାହରଣ ପାଲଟିବ। କୌଣସି ବ୍ୟକ୍ତି ଅପରାଧ କରିବା ପୂର୍ବରୁ ଫାଶୀ ଘଟଣାକୁ ମନେ ପକାଇ ଅପରାଧ କରିବାରୁ ଦୂରେଇ ରହିବ। ଆଇପିସି ଧାରା ବ୍ୟତୀତ କିଛି ରାଜ୍ୟରେ କେତେକ ଜଘନ୍ୟ ଅପରାଧ ପାଇଁ ଫାଶୀଦଣ୍ଡ ଦିଆଯିବାକୁ ସ୍ଵତନ୍ତ୍ର ଆଇନ ପ୍ରଣୟନ ହୋଇଛି।

ଜିଲ୍ଲା ଓ ଦୌରାଜଜ୍ ଫାଶୀଦଣ୍ଡାଦେଶ ଦେଇପାରିବେ। କିନ୍ତୁ ଏହା ହାଇକୋର୍ଟଙ୍କ ବିନା ଅନୁମତିରେ ଏହା କାର୍ଯ୍ୟକାରୀ ହୋଇପାରିବ ନାହିଁ। ଯଦି କୌଣସି ଅପରାଧ ପାଇଁ ତଳକୋର୍ଟରେ ଫାଶୀ ଦଣ୍ଡାଦେଶ ମିଳିଥାଏ, ତେବେ ହାଇକୋର୍ଟ ତାକୁ ଆଜୀବନ କାରାଦଣ୍ଡକୁ ପରିବର୍ତ୍ତନ କରିପାରିବେ। କିମ୍ବା ଫାଶୀ ଦଣ୍ଡାଦେଶ ଶୁଣାଇ ବି ପାରିବେ।

ବିକଳ୍ପ ଖୋଜିବାକୁ କମିଟି ଗଠନ ପାଇଁ ପରାମର୍ଶ

ଫାଶୀଦଣ୍ଡ ଅଧିକ ଯନ୍ତ୍ରଣାଦାୟକ। ଏଥିରେ ଅପରାଧୀ ଛଟପଟ ହୋଇ ମରେ। ଏହା ମାନବାଧିକାର ବିରୋଧୀ। ତେଣୁ ଏହାର ବିକଳ୍ପ ଖୋଜିବା ପାଇଁ ସୁପ୍ରିମକୋର୍ଟରେ ହୋଇଥିବା ଏକ ମାମଲାର ବିଚାର କରି ଏହା ଉପରେ ଗୁରୁତ୍ଵ ଦେବାକୁ କେନ୍ଦ୍ରକୁ କହିଛନ୍ତି ସୁପ୍ରିମକୋର୍ଟ। ଏ ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏକ କମିଟି ଗଠନ କରି ମୃତ୍ୟୁଦଣ୍ଡର ବିଭିନ୍ନ ବିକଳ୍ପ ଖୋଜିବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ରକୁ କହିଛନ୍ତି। ଆବେଦନକାରୀ ତାଙ୍କ ଆବେଦନରେ ମୃତ୍ୟୁଦଣ୍ଡର ଏକାଧିକ ବିକଳ୍ପ ସମ୍ପର୍କରେ ଉଲ୍ଲେଖ କରିଥିଲେ। ଆବେଦନକାରୀଙ୍କ କହିବା ଅନୁସାରେ ବିଷାକ୍ତ ଇଞ୍ଜେକ୍ସନ, ଗୁଳି ମାରିବା ଓ ବିଦ୍ୟୁତ୍ ଝଟକାବାଲା ଚେୟାରରେ ବସାଇ ମୃତ୍ୟୁଦଣ୍ଡ ଦେବା କମ୍ ଯନ୍ତ୍ରଣାଦାୟକ। କିନ୍ତୁ ପ୍ରଧାନ ବିଚାରପତିଙ୍କ ନେତୃତ୍ଵରେ ଗଠିତ ଖଣ୍ଡପୀଠ ଏହାର ବିଚାର କରି ସବୁ ବିକଳ୍ପ ସମ୍ପର୍କରେ ଆଲୋଚନାର ତର୍ଜମା କରିଥିଲେ।

୨୦୧୭ରେ ହୋଇଥିଲା ଜନସ୍ଵାର୍ଥ ମାମଲା

୨୦୧୭ରେ ରିଷି ମଲହୋତ୍ରା ନାମକ ଜଣେ ଆଇନଜୀବୀ ମୃତ୍ୟୁଦଣ୍ଡର କାର୍ଯ୍ୟକାରିତାର ପ୍ରକ୍ରିୟାକୁ ନେଇ ଏକ ଜନସ୍ଵାର୍ଥ ମାମଲା ସୁପ୍ରିମକୋର୍ଟରେ ଦାୟର କରିଥିଲେ। ତାଙ୍କ ଆବେଦନରେ ସେ ଦର୍ଶାଇଥିଲେ ଯେ, ମୃତ୍ୟୁଦଣ୍ଡକୁ ଫାଶୀ ବିନା ଆଉ କେମିତି ଅଧିକ ମାନବୀୟ ଢଙ୍ଗରେ କାର୍ଯ୍ୟକାରୀ କରାଯାଇପାରିବ।

ତତ୍‌କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟିସ ଏମ୍ ଖାନଓ୍ଵାଲିକର ଏବଂ ବର୍ତ୍ତମାନର ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାକୁ ନେଇ ନୋଟିସ ଜାରି କରିଥିଲେ ମଧ୍ୟ ଏହି ମାମଲା ସେଦିନଠାରୁ ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇପାରିନଥିଲା। ୨୦୦୩ରେ ‘ଲ’ କମିଶନ ତାଙ୍କ ୧୮୭ତମ ରିପୋର୍ଟରେ ଏହାକୁ ନେଇ ଅନେକ ସୁପାରିସ କରିଛନ୍ତି। ଫାଶୀ ଦଣ୍ଡର ବିକଳ୍ପ ଭାବେ ବିଷାକ୍ତ ଇଞ୍ଜେକ୍ସନକୁ କାର୍ଯ୍ୟକାରୀ କରିବା ପାଇଁ ସୁପାରିସ ହୋଇଛି।

କମିଟି ଗଠନ ପାଇଁ ସୁପ୍ରିମକୋର୍ଟଙ୍କ ପରାମର୍ଶ

କେଉଁ ମୃତ୍ୟୁଦଣ୍ଡ କମ୍ ଯନ୍ତ୍ରଣା ଦାୟକ ତାହାର ବିଜ୍ଞାନସମ୍ମତ କାରଣ ସମ୍ବଳିତ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ କହିଛନ୍ତି ସୁପ୍ରିମକୋର୍ଟ। ନିଜେ ମଧ୍ୟ କମିଟି ଗଠନ କରିପାରିବେ ବୋଲି ସୁପ୍ରିମକୋର୍ଟ ପ୍ରସ୍ତାବ ଦେଇଛନ୍ତି। ଜାତୀୟ ଆଇନ ବିଶ୍ଵବିଦ୍ୟାଳୟରୁ ବିଶେଷଜ୍ଞ, ଏମ୍‌ସର ଡାକ୍ତର, ବୈଜ୍ଞାନିକମାନଙ୍କୁ ନେଇ କମିଟି ଗଠନ କରାଯାଇପାରିବ ବୋଲି ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ପିଏସ୍ ନରସିଂହାଙ୍କ ଖଣ୍ଡପୀଠ କହିଛନ୍ତି।

 

କ’ଣ ରହିଛି ମୃତ୍ୟୁଦଣ୍ଡର ବିକଳ୍ପ ପ୍ରସ୍ତାବ?

ଆବେଦନକାରୀ ରିଷି ମଲହୋତ୍ରା କହିଥିଲେ ଯେ, ଫାଶୀ ଅପେକ୍ଷା ଗୁଳି କରି, ବିଷାକ୍ତ ଇଞ୍ଜେକ୍ସନ, ବିଜୁଳି ଚେୟାରର ବିକଳ୍ପକୁ ଗ୍ରହଣ କରାଯାଇପାରିବ। ସୁପ୍ରିମକୋର୍ଟ ଖଣ୍ଡପୀଠ ମଧ୍ୟ ଏହାକୁ ଗୁରୁତ୍ଵର ସହ ନେଇ ଏହାର ଅନେକ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ।

ବିଷାକ୍ତ ଇଞ୍ଜେକ୍ସନ ଦିଆଗଲେ କ’ଣ ଯନ୍ତ୍ରଣା ମିଳେନାହିଁ କି ବୋଲି ପ୍ରଶ୍ନ କରିଥିଲେ ଜଷ୍ଟିସ ପିଏସ୍ ନରସିଂହା। ଆମେରିକାର ତଥ୍ୟ ଅନୁସାରେ ବିଷାକ୍ତ ଇଞ୍ଜେକ୍ସନରେ ମୃତ୍ୟୁ ମଧ୍ୟ ତତ୍‌କ୍ଷଣାତ ହୁଏନାହିଁ। ଅଧିକ ଓଜନର ଲୋକ ମରିବାକୁ ସଂଘର୍ଷ କରିଥାଏ। ଏଥିରେ ଯନ୍ତ୍ରଣା ମଧ୍ୟ ହୋଇଥାଏ ବୋଲି ଏକ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ କହିଛନ୍ତି। ସେହିପରି ଗୁଳିକରି ମାରିବା ଉପରେ ମଧ୍ୟ ଚର୍ଚ୍ଚା ହୋଇଥିଲା ଏବଂ ଏହା ବି ଯନ୍ତ୍ରଣାଦାୟକ ବୋଲି କୁହାଯାଇଥିଲା। ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ମେ ୨ ତାରିଖରେ ହେବ।

୫୩ଟି ଦେଶରେ ରହିଛି ମୃତ୍ୟୁଦଣ୍ଡ

୨୦୨୨ ମସିହା ସୁଦ୍ଧା ଭାରତ ସମେତ ୫୩ଟି ଦେଶରେ ମୃତ୍ୟୁଦଣ୍ଡର ବ୍ୟବସ୍ଥା ରହିଛି। ଯଦିଓ ୧୧୧ଟି ଦେଶ ମୃତ୍ୟୁଦଣ୍ଡକୁ ସେମାନଙ୍କ ଦଣ୍ଡ ସଂହିତାରୁ ଉଚ୍ଛେଦ କରିସାରିଛନ୍ତି। କିନ୍ତୁ ଏବେ ବି ବିଶ୍ଵର ୬୦ ପ୍ରତିଶତ ଲୋକ ରହୁଥିବା ଦେଶଗୁଡ଼ିକରେ ଫାଶୀଦଣ୍ଡ କାଏମ୍ ରହିଛି। ଭାରତ, ଚୀନ୍, ଆମେରିକା, ସିଙ୍ଗାପୁର, ଇଣ୍ଡୋନେସିଆ, ପାକିସ୍ତାନ, ବାଂଲାଦେଶ, ନାଇଜେରିଆ, ଇଜିପ୍ଟ, ସାଉଦିଆରବ, ଇରାକ, ଇରାନ, ୟେମେନ, ଜାପାନ ଓ ତାଇଓ୍ଵାନରେ ମୃତ୍ୟୁଦଣ୍ଡ ରହିଛି। ବିଭିନ୍ନ ଦେଶର ମାନବାଧିକାର ସଂଗଠନ ଓ ଅନ୍ତର୍ଜାତୀୟ ସଂଗଠନ ମୃତ୍ୟୁଦଣ୍ଡକୁ ବିରୋଧ କରିଆସିଛନ୍ତି।

କେଉଁ ଦେଶରେ ମୃତ୍ୟୁଦଣ୍ଡ କେମିତି?

ଚୀନ୍‌ରେ ମୃତ୍ୟୁଦଣ୍ଡ ଦେବା ପାଇଁ ଏକ ଫାୟାରିଂ ସ୍କ୍ଵାଡକୁ ନିଯୁକ୍ତି ଦିଆଯାଇଛି। ସେମାନେ ଅପରାଧୀଙ୍କୁ ଗୁଳି କରି ହତ୍ୟା କରିଥାନ୍ତି। ଆମେରିକାର ୨୭ଟି ରାଜ୍ୟରେ ବିଷାକ୍ତ ଇଞ୍ଜେକ୍ସନ ଦ୍ଵାରା ମୃତ୍ୟୁଦଣ୍ଡକୁ କାର୍ଯ୍ୟକାରୀ କରାଯାଇଥାଏ। ଅନ୍ୟ କିଛି ରାଜ୍ୟରେ ବିଜୁଳି ଝଟ୍‌କା ଦେଇ ମୃତ୍ୟୁଦଣ୍ଡ କାର୍ଯ୍ୟକାରୀ କରିବାର ଆଇନଗତ ବ୍ୟବସ୍ଥା ରହିଛି। କଲୋରାଡା, ମିସିସିପି, ସାଉଥ କରୋଲିନାରେ ଗୁଳିଦ୍ଵାରା ମୃତ୍ୟୁଦଣ୍ଡ କାର୍ଯ୍ୟକାରୀ କରିବାକୁ ଆଇନଗତ ବ୍ୟବସ୍ଥା ରହିଛି। ସାଉଦି ଆରବରେ ମୁଣ୍ଡ କାଟ ଦ୍ଵାରା ମୃତ୍ୟୁଦଣ୍ଡକୁ କାର୍ଯ୍ୟକାରୀ କରାଯାଏ। କିଛି ଦେଶରେ ତ ବିଷାକ୍ତ ଗ୍ୟାସ ଚ୍ୟାମ୍ବରରେ ବସାଇ ମୃତ୍ୟୁଦଣ୍ଡ ଦିଆଯାଏ।

ଏକ ରିପୋର୍ଟ ଅନୁସାରେ ୨୦୨୧ ମସିହାରେ ଇରାନରେ ସର୍ବାଧିକ ୩୫୩ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଇଜିପ୍ଟରେ ୮୨, ସାଉଦି ଆରବରେ ୬୪, ଆମେରିକାରେ ୧୧, ଚାଇନାରେ ୬, ବାଂଲାଦେଶରେ ୩ ଓ ଜାପାନରେ ୩ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି।

ଭାରତରେ କେତେ ଜଣଙ୍କୁ ଫାଶୀ ହୋଇଛି?

ଏକ ଅସମର୍ଥିତ ସୂତ୍ର ଅନୁସାରେ ସ୍ଵାଧୀନତା ପରଠାରୁ ଆମ ଦେଶରେ ଅତି କମରେ ୭୨୦ ଜଣଙ୍କୁ ଫାଶୀଦଣ୍ଡ ମିଳିଛି। ଏହାର ଅଧାରୁ ଅଧିକ ଉତ୍ତରପ୍ରଦେଶର। ନୂଆଦିଲ୍ଲୀ ସ୍ଥିତ ଜାତୀୟ ଆଇନ ବିଶ୍ଵବିଦ୍ୟାଳୟର ଏକ ଗବେଷଣା ରିପୋର୍ଟରୁ ଏହି ସୂଚନା ମିଳିଛି। ଶେଷ ଥର ପାଇଁ ନିର୍ଭୟା ମାମଲାରେ ଫାଶୀ ଦିଆଯାଇଛି।

ଏହି ରିପୋର୍ଟ ଅନୁସାରେ ଉତ୍ତରପ୍ରଦେଶରେ ୩୫୪ଜଣଙ୍କୁ ଫାଶୀଦଣ୍ଡ ମିଳିଛି। ହରିଆଣାରେ ୯୦, ମଧ୍ୟପ୍ରଦେଶରେ ୭୩, ମହାରାଷ୍ଟ୍ରରେ ୫୭, କର୍ଣ୍ଣାଟକରେ ୩୬, ପଶ୍ଚିମବଙ୍ଗରେ ୩୦, ଆନ୍ଧ୍ରରେ ୨୭, ଦିଲ୍ଲୀରେ ୨୪ ଓ ପଞ୍ଜାବରେ ୧୦ଜଣଙ୍କୁ ଫାଶୀଦଣ୍ଡ ମିଳିଛି। ରାଜସ୍ଥାନରେ ୮ ଜଣଙ୍କୁ, ଓଡ଼ିଶା ଓ ଜମ୍ମୁକଶ୍ମୀରରେ ୫ ଏବଂ ଗୋଆରେ ଜଣଙ୍କୁ ଫାଶୀଦଣ୍ଡ ମିଳିଛି।

Tags: #Law #Court #DeathPenalty #Crime #HangtillDeath #DeathPenalty

Comment